ବୁମ୍‌ରା ଦେଲେ ଶୃଙ୍ଖଳା ବିଜୟ

ରୋହିତ-କୋହଲିଙ୍କ ଦ୍ୱିଶତକ

କାନପୁର: ଭାରତ-ନ୍ୟୁଜିଲାଣ୍ଡ୍‌ ଦିନିକିଆ ଶୃଙ୍ଖଳାରେ ସବୁଠାରୁ ରୋମାଞ୍ଚଭରା ତଥା ଲୋମଟାଙ୍କୁରା ମ୍ୟାଚ୍‌ ରବିବାର କାନ୍‌ପୁରର ଗ୍ରିନ୍‌ ପାର୍କରେ ଦେଖିବାକୁ ମିଳିଲା। ବଡ଼ ସ୍କୋର୍‌ର ପଶ୍ଚାତଧାବନ କରି ଲଢ଼ୁଆ ବ୍ୟାଟିଂ ଦେଖାଇଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ଦଳ ଶେଷରେ ଯଶପ୍ରୀତ୍‌ ବୁମରାଙ୍କ ୟର୍କର୍‌ ଆଗରେ ହିଁ ହାର ମାନିଗଲା। ୬ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ସହିତ ଭାରତ ୨-୧ରେ ଶୃଙ୍ଖଳା ଜିତିଗଲା। ଏହା ଭାରତର ଲଗାତାର ସପ୍ତମ ଦିନିକିଆ ଶୃଙ୍ଖଳା ବିଜୟ। ଅନ୍ୟପକ୍ଷରେ ଭାରତ ମାଟିରେ ପ୍ରଥମ ଥର ଶୃଙ୍ଖଳା ବିଜୟର ଦ୍ୱାରଦେଶରେ ପହଞ୍ଚିଥିଲେ ମଧ୍ୟ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ଲକ୍ଷ୍ୟ ପଥରେ ପହଞ୍ଚିବାରେ ସଫଳ ହେଲାନାହିଁ।

ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ନ୍ୟୁଜିଲାଣ୍ଡ୍‌ ବୋଲରମାନେ ଶିଖର ଧାଓ୍ଵନ (୧୪, ୨୦ ବଲ୍‌, ୩ ଚୌକା)ଙ୍କୁ ସଅଳ ପ୍ୟାଭିଲଅନ୍‌ ପଠାଇଦେବାରେ ସଫଳ ହୋଇଥିଲେ। କିନ୍ତୁ ଦୁଇ ଅଭିଜ୍ଞ ଯୋଡ଼ି ରୋହିତ ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ଦ୍ୱିଶତକ ଭାଗୀଦାରି କରିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ୩୫.୧ ଓଭରରେ ଏହି ମୁମ୍ବାଇ-ଦିଲ୍ଲୀ ଯୋଡ଼ି ୨୩୦ ରନର୍‌ ସଂଗ୍ରହ କରିଥିଲେ। ୪୦ ଓଭଗର ବେଳକୁ ଭାରତ ୧ ଓ୍ଵିକେଟ୍‌ରେ ୨୫୨ ରନ୍‌ ସଗ୍ରହ କରି ନେଇଥିଲା। ଶେଷ ୧୦ ଓଭରରେ କିନ୍ତୁ ଭାରତ ୫ ଓ୍ଵିକେଟ୍‌ ହରାଇବାରୁ ଆଶା ମୁତାବକ ରନ୍‌ ଉଠାଇ ପାରିନଥିଲା। ରୋହିତ ଶର୍ମା (୧୪୭, ୧୩୮ ବଲ୍‌, ୧୮ ଚୌକା, ୨ ଛକା) ଏକ ବହୁ ପ୍ରତୀକ୍ଷିତ ଶତକୀୟ ପାଳି ଖେଳିଥିଲେ। ବିରାଟ କୋହଲି (୧୧୩, ୧୦୬ ବଲ୍‌, ୯ ଚୌକା, ୧ ଛକା) ନିଜର ୩୨ତମ ଦିନିକିଆ ଶତକ ଓ ୯୦୦୦ ରନ୍‌ ପୂରଣ କରିବାର କୀର୍ତିମାନ କରିଥିଲେ। ଏହି ଦ୍ୱିଶତକ ଭାଗୀଦାରି ଭାଙ୍ଗିବା ପରେ ହାର୍ଦିକ ପାଣ୍ଡ୍ୟା (୮) ବିଫଳ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନି (୨୫, ୧୭ ବଲ୍‌, ୩ ଚୌକା), କେଦାର ଯାଦବ (୧୮, ୧୦ ବଲ୍‌, ୧ ଚୌକା, ୧ ଛକା) ଦ୍ରୁତ ପାଳି ଖେଳିଥିଲେ ମଧ୍ୟ ଏହା ଆଶାଠାରୁ କମ୍‌ ଥିଲା। ଦୀନେଶ କାର୍ତିକ (୪*, ୩ ବଲ୍‌) ସୀମିତ ସୁଯୋଗ ପାଇଥିଲେ। ଶେଷ ୧୦ ଓଭରରେ ଭାରତ ୮୫ ରନ୍‌ ଯୋଡ଼ି ୩୩୭ରେ ପହଞ୍ଚି ଅବଶ୍ୟ ଲଢ଼ୁଆ ସ୍କୋର୍‌ ଛିଡ଼ା କରିଥିଲା। ଭ୍ରମଣକାରୀ ଦଳ ପକ୍ଷରୁ ଦୁଇ ଦ୍ରୁତ ବୋଲର ଟିମ୍‌ ସାଉଦି, ଅଦାମ୍‌ ମିଲ୍‌ନେ ଏବଂ ସ୍ପିନର୍‌ ମିଚେଲ ସାଣ୍ଟନର୍‌ ପ୍ରତ୍ୟେକ ୨ ଓ୍ଵିକେଟ୍‌ ନେଇଥିଲେ।

ଜବାବରେ ନ୍ୟୁଜିଲାଣ୍ଡ୍‌ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ବିସ୍ଫୋରକ ଆରମ୍ଭ କରିଥିଲେ। ବିଶେଷ କରି କଲିନ୍‌ ମୁନ୍‌ରୋ (୭୫, ୬୨ ବଲ୍‌୍‌, ୮ ଚୌକା, ୩ ଛକା) ୩୮ ବଲ୍‌ରୁ ଅର୍ଧଶତକ ହାସଲ କରିବା ଏବଂ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ (୬୪, ୮୪ ବଲ୍‌, ୮ ଚୌକା)ଙ୍କ ସହିତ ମିଶି ଶତକୀୟ ଭାଗୀଦାରି କରିବା ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇନେବା ପାଇଁ ଯଥେଷ୍ଟ ଥିଲା। ମଧ୍ୟକ୍ରମରେ ରସ୍‌ ଟେଲର୍‌ (୩୯, ୪୭ ବଲ୍‌, ୩ ଚୌକା) ଏବଂ ଟମ୍‌ ଲଥାମ୍‌ (୬୫, ୫୨ ବଲ୍‌, ୭ ଚୌକା) ମଧ୍ୟ ଢ଼େର ଲଢ଼ିଥିଲେ। ହେନରି ନିକୋଲ୍‌ସ (୩୭, ୨୪ ବଲ୍‌, ୫ ଚୌକା, ୧ ଛକା) ମଧ୍ୟ କିଛି କମ୍‌ ଧମକାଇନଥିଲେ। ଶେଷ ୪ ଓଭରରେ ହିଁ ଭାରତ ମ୍ୟାଚ୍‌ରେ ମୋଡ଼ ଆଣିଥିଲା। ଶେଷ ୨୪ ବଲ୍‌ରୁ ୩୮ ରନ୍‌ ଆବଶ୍ୟକ କରୁଥିବା ନ୍ୟୁଜିଲାଣ୍ଡ୍‌ ଦଳ ଏହି ସହଜ ଲକ୍ଷ୍ୟରେ ବିଫଳ ହୋଇଥିଲା। ହେନରି ନିକୋଲ୍‌ସଙ୍କୁ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଥିବା ଭୁବନେଶ୍ୱର କୁମାର ବୋଲ୍‌ଡ କରିଦେବା ପାଳିରେ ମୋଡ଼ ଥିଲା। ନିଜର ୧୦ ଓଭରରେ ୯୨ ରନ୍‌ ଦେଇଥିଲେ ମଧ୍ୟ ଏହି ଓ୍ଵିକେଟ୍‌ ହିଁ ଭାରତକୁ ପ୍ରତ୍ୟାବର୍ତନ ବାଟ ଦେଖାଇଥିଲା। ଅବଶିଷ୍ଟ କାମ କରିଥିଲେ ଯଶପ୍ରୀତ୍‌ ବୁମରା। ବିପଜ୍ଜଜନକ ଟମ୍‌ ଲାଥମ୍‌ଙ୍କୁ ରନ୍‌ ଆଉଟ୍‌ କରିଦେବା ପରେ ମିଚେଲ୍‌ ସାଣ୍ଟନର୍‌ଙ୍କୁ ଶିଖର ଧାଓ୍ଵନଙ୍କ ହାତରେ କ୍ୟାଚ୍‌ କରାଇବା ନିର୍ଣ୍ଣାୟକ ହୋଇଥିଲ। ବୁମରା (୧୦-୦-୪୭-୩) ଏବଂ ସ୍ପିନର୍‌ ୟୁଜବେନ୍ଦ୍ର ଚହଲ୍‌ (୧୦-୦-୪୭-୨) ସମାନ ହାରରେ ରନ୍‌ ବ୍ୟୟ କରି ଦଳକୁ ବିଜୟରେ ବଡ଼ ଯୋଗଦାନ ରଖିଥିଲେ। ଚହଲ ପାଳିର ମଧ୍ୟଭାଗକୁ ନିୟନ୍ତ୍ରଣରେ ରଖିଥିବାବେଳେ ବୁମରା ବିଜୟ ମୁଣ୍ଡି ମାରିଥିଲେ। ଶେଷ ଓଭରରେ ୧୫ ରନ୍‌ ଆବଶ୍ୟକ ଥିବାବେଳେ ବିଶ୍ୱସନୀୟ ବୁମ୍‌ରା ମାତ୍ର ୮ ରନ୍‌ ବ୍ୟୟ କରିଥିଲେ। ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ବିରାଟ କୋହଲି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

କୋହଲିଙ୍କ ବିଶ୍ୱ କୀର୍ତ୍ତିମାନ

ଦିନିକିଆ ଆନ୍ତର୍ଜାତିକରେ ଦ୍ରୁତତମ ୯୦୦୦ ରନ୍‌ ପୂରଣ କରିବାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ସ୍ଥାନୀୟ ଗ୍ରିନ୍‌ ପାର୍କ ଷ୍ଟାଡିୟମ୍‌ରେ ରବିବାର ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆରେ ଦମ୍‌ଦାର ଶତକ ଜମାଇଥିବା କୋହଲି ବ୍ୟକ୍ତିଗତ ଭାବେ ୮୩ ରନ୍‌ କରିଥିଲା ବେଳେ ଏହି ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଏହି କୀର୍ତିମାନ କରିବା ପାଇଁ କୋହଲି ୧୯୪ ପାଳି ଖେଳିଥିଲେ। ଏକ୍ଷେତ୍ରରେ ସେ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ (୨୦୫ ପାଳି) ଏବଂ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି (୨୨୮ ପାଳି)ଙ୍କୁ ପଛରେ ପକାଇ ଦେଇଛନ୍ତି। ୯,୦୦୦ ରନ୍‌ ପୂରଣ କରିବାରେ କୋହଲି ଷଷ୍ଠ ଭାରତୀୟ ତଥା ବିଶ୍ୱର ୧୯ତମ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। କୋହଲିଙ୍କ ପୂର୍ବରୁ ଗତବର୍ଷ ମହେନ୍ଦ୍ର ସିଂହ ଧୋନି ୯୦୦୦ ରନ୍‌ ପୂରଣ କରିସାରିଥିଲା ବେଳେ ସଚିନ୍‌ ତେନ୍ଦୁଲକର, ରାହୁଲ୍‌ ଦ୍ରାବିଡ୍‌, ସୌରଭ ଗାଙ୍ଗୁଲି ଓ ମହମ୍ମଦ ଆଝାରଉଦ୍ଦିନ୍‌ ଏହି କ୍ଲବ୍‌ର ସଦସ୍ୟ ରହିଥିଲେ।
ଏହି ମ୍ୟାଚ୍‌ରେ କୋହଲି ୧୧୩ (୧୦୬ ବଲ୍‌, ୯ ଚୌକା, ୧ ଛକା) ରନ୍‌ର ପାଳି ଖେଳିଥିଲେ। ଚଳିତ ବର୍ଷ କୋହଲିଙ୍କର ଏହା ଷଷ୍ଠ ଶତକ ଥିଲା। ଏହି ସଫଳତା ବଳରେ ଅଧିନାୟକ ଭାବେ ଗୋଟିଏ ବର୍ଷରେ ସର୍ବାଧିକ ଶତକ ହାସଲର କୀର୍ତ୍ତିମାନ ମଧ୍ୟ ପାଇଲେ। କୋହଲିଙ୍କ ଏହି କୀର୍ତିମାନ ପୂର୍ବରୁ ସୌରଭ ଗାଙ୍ଗୁଲି (୨୦୦୦ ମସିହା), ଅଷ୍ଟ୍ରେଲୀୟ ଅଧିନାୟକ ରିକି ପଣ୍ଟିଂ (୨୦୦୩ ଓ ୨୦୦୭), ଦକ୍ଷିଣ ଆଫ୍ରିକାର ଗ୍ରେମ୍‌ ସ୍ମିଥ୍‌ (୨୦୦୫) ଏବଂ ଡି’ଭିଲିୟର୍ସ (୨୦୧୫) ଗୋଟିଏ ଲେଖାଏଁ ବର୍ଷରେ ସର୍ବାଧିକ ୫ ଲେଖାଏଁ ଶତକ ହାସଲ କରିଥିଲେ।

ଏହି ଦୁଇଟି କୀର୍ତିମାନ ବ୍ୟତୀତ କୋହଲି ଅଧିନାୟକ ଭାବେ ଗୋଟିଏ ଋତୁରେ ସର୍ବାଧିକ ଦିନିକିଆ ଆନ୍ତର୍ଜାତିକ ରନ୍‌ କରିବାର କୀର୍ତ୍ତିମାନ ମଧ୍ୟ କରିଛନ୍ତି। ୨୦୦୭ରେ ରିକି ପଣ୍ଟିଂ ୧୪୨୪ ରନ୍‌ କରି ଏପର୍ଯ୍ୟନ୍ତ ନିଜ ନାମରେ କୀର୍ତିମାନ ରଖିଥିଲା ବେଳେ କୋହଲି ଚଳିତ ବର୍ଷ ଏପର୍ଯ୍ୟନ୍ତ ମୋଟ ୧୪୬୦ ରନ୍‌ କରି ସାରିଲେଣି। କୋହଲି ମଧ୍ୟ ୨୦୧୭ରେ ତିନିଟିଯାକ ଫର୍ମାଟ୍‌ରେ ୨୦୦୦ରୁ ଅଧିକ ରନ୍‌ ସଂଗ୍ରହ କରି ସାରିଲେଣି। କୋହଲି ମଧ୍ୟ ଆନ୍ତର୍ଜାତିକ ଶତକ (ସବୁ ଫର୍ମାଟ୍‌)ରେ ଅର୍ଧଶତକ ପୂରଣ କରିବାଠୁ ଗୋଟିଏ ପଛରେ ରହିଛନ୍ତି। ଏବେ କୋହଲି ମୋଟ୍‌ ଉପରେ ୪୯ (ଦିନିକିଆରେ ୩୨ ଓ ଟେଷ୍ଟ୍‍ରେ ୧୭) ଶତକ ହାସଲ କରିସାରିଲେଣି।

ଏହି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ସହ ମିଶି କୋହଲି ୨୩୦ ରନ୍‌ର ଭାଗୀଦାରି କରିଥିଲେ। ଯାହାକି ଉଭୟଙ୍କ ମଧ୍ୟରେ ଦ୍ୱାଦଶ ଶତକୀୟ ଭାଗୀଦାରି। କୋହଲି-ରୋହିତ ଏକ୍ଷେତ୍ରରେ ତେନ୍ଦୁଲକର-ଗାଙ୍ଗୁଲି (୨୬) ଏବଂ ତେନ୍ଦୁଲକର-ବୀରେନ୍ଦ୍ର ସେହବାଗ (୧୩)ଙ୍କ ପଛକୁ ତୃତୀୟରେ ରହିଛନ୍ତି। ଅନ୍ୟପଟେ ରୋହିତ ଶର୍ମା ଚଳିତ ବର୍ଷ ନିଜର ପଞ୍ଚମ ତଥା ମୋଟ ୧୫ତମ ଶତକ ହାସଲ କରିଥିଲେ। ଚଳିତ ମାସରେ ମଧ୍ୟ ରୋହିତଙ୍କର ଏହା ଦ୍ୱିତୀୟ ଶତକ ଥିଲା। ଏହି ମ୍ୟାଚ୍‌ରେ ସେ ୧୪୭ (୧୩୮ ବଲ୍‌, ୧୮ ଚୌକା, ୨ ଛକା) ରନ୍‌ କରିଥିଲେ। ଏଥି ସହ ରୋହିତ ଦିନିକିଆରେ ୧୫୦ ଛକା ମାରିଥିଲେ।

ସମ୍ବନ୍ଧିତ ଖବର