ଲଗାତାର ଅଷ୍ଟମ ଶୃଙ୍ଖଳା ବିଜୟ

ବିଶାଖାପାଟଣା: ଭାରତୀୟ ସ୍ପିନର୍‌ଙ୍କ ଚମତ୍କାର ପ୍ରତ୍ୟାବର୍ତନ ପରେ ଶ୍ରେୟସ ଆୟର ଏବଂ ଶିଖର ଧାଓ୍ଵନଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ଭାରତ ରବିବାର ୮ ଓ୍ଵିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ଏଥି ସହିତ ଘରୋଇ ଦଳ ଟେଷ୍ଟ୍‍ ପରେ ଦିନିକିଆ ବିଜୟ ସହ ଦ୍ୱିମୁକୁଟ ଅର୍ଜନ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ମଧ୍ୟ ଭାରତ ପ୍ରଥମ ଶୃଙ୍ଖଳା ଜିତିଛି। କୋହଲି ଛାଡ଼ିଥିବା ଲଗାତାର ଦିନିକିଆ ଶୃଙ୍ଖଳା ବିଜୟ ମଧ୍ୟ ୮ରେ ପହଞ୍ଚିଛି। ସୋମବାର ଓଡ଼ିଶା ଆସୁଥିବା ରୋହିତ ଶର୍ମାଙ୍କ ଦଳ ବୁଧବାରଠାରୁ ବାରବାଟୀରୁ ୩ ମ୍ୟାଚ୍‌ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଅଭିଯାନ ଆରମ୍ଭ କରିବ।

ରବିବାର ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ପ୍ରଥମରୁ ଦାନୁଷ୍କ ଗୁଣତିଳକାଙ୍କୁ ହରାଇଥିଲା। ବୁମରା ତାଙ୍କୁ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। କିନ୍ତୁ ଅଭିଜ୍ଞ ଉପୁଲ ଥରଙ୍ଗା ଏବଂ ସଦୀରା ସମରବିକ୍ରମା ବିସ୍ଫୋରକ ବ୍ୟାଟିଂ କରି ଶ୍ରୀଲଙ୍କାକୁ ଦୃଢ଼ ମୂଳଦୁଆ ପକାଇବା ସହିତ ବଡ଼ ସ୍କୋର୍‌ ଆଶା ଦେଇଥିଲେ। ସମରବିକ୍ରମା ଧୈର୍ଯ୍ୟର ସହ ଖେଳୁଥିବାବେଳେ ଥରଙ୍ଗା ମାତ୍ର ୩୬ ବଲ୍‌ରୁ ଅର୍ଧଶତକ ପୂର୍ଣ୍ଣ କରି ନେଇଥିଲେ। ଫଳରେ ଶ୍ରୀଲଙ୍କା ୧୭ ଓଭରରେ ୧ ଓ୍ଵିକେଟ୍‌ରେ ୧୦୦ ଛୁଇଁଥିଲା। ୟୁଜବେନ୍ଦ୍ର ଚହଲ ୨୩ତମ ଓଭରରେ ସମରବିକ୍ରମା (୪୨, ୫୭ ବଲ୍‌)ଙ୍କୁ ଆଉଟ୍‌ କରିବା ବେଳକୁ ଶ୍ରୀଲଙ୍କା ୧୩୬ ରନ୍‌ କରିଥିଲା। ୨୭ ଓଭରରେ ଅତିଥି ଦଳ ୨ ଓ୍ଵିକେଟ୍‌ରେ ୧୬୦ ରନ୍‌ କରିଥିଲା। କିନ୍ତୁ ଚହଲ ଓ କୁଲଦୀପ ଯାଦବଙ୍କ ସ୍ପିନ୍‌ ଯୋଡ଼ି ଶ୍ରୀଲଙ୍କାର ସମ୍ଭାବ୍ୟ ୩୫୦/୪୦୦ ରନ୍‌ ଆଶାରେ ପାଣି ଭରି ଦେଇଥିଲେ। ୫୫ ରନ୍‌ରେ ତିସରା ପେରେରାଙ୍କ ଦଳ ଶେଷ ୮ ଓ୍ଵିକେଟ୍‌ ହରାଇ ଆଶ୍ଚର୍ଯ୍ୟଜନକ ଭାବେ ୨୧୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳୀୟ ସ୍କୋର୍‌ ୧୬୦ ରନ୍‌ରେ ଥରଙ୍ଗା (୯୫, ୮୨ ବଲ୍‌, ୧୨ ଚୌକା, ୩ ଛକା)ଙ୍କୁ ତୃତୀୟ ଅମ୍ପାୟାରଙ୍କ ଜରିଆରେ ଷ୍ଟମ୍ପିଂ କରାଇ ଧୋନି ଭାରତ ପାଇଁ ବଡ଼ ମାଛ ଶିକାର କରିବା ପରେ ସିଂହଳୀ ଦଳ ଆଉ ଲେଉଟି ପାରିନଥିଲା। ବରଂ ଭାରତୀୟ ସ୍ପିନରଙ୍କ ଆଗରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରି ୨୬ ରନ୍‌ରେ ଶେଷ ୬ ଓ୍ଵିକେଟ୍‌ ହରାଇ ଦେଇଥିଲା। ସ୍ପିନ୍‌ ଯୋଡ଼ି କୁଲଦୀପ-ୟୁଜବେନ୍ଦ୍ର ୩-୩ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଏକଦା ଥରଙ୍ଗାଙ୍କ ବ୍ୟାଟିଂରେ ଲଗାତାର ୫ ଚୌକାର ଶିକାର ହୋଇଥିବା ହାର୍ଦିକ ପାଣ୍ଡ୍ୟା ମଧ୍ୟ ଚମତ୍କାର ପ୍ରତ୍ୟାବର୍ତନ କରି ପ୍ରଶଂସନୀୟ ବୋଲିଂ ଚିିତ୍ର (୧୦-୧-୪୯-୨) ପାଇଥିଲେ। ଭୁବନେଶ୍ୱର କୁମାର ଓ ବୁମରା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଦଖଲ କରି କୌଣସି ଭାରତୀୟଙ୍କୁ ଓ୍ଵିକେଟଶୂନ୍ୟ ହେବାକୁ ଦେଇ ନ ଥିଲେ।

ବୋଲର୍‌ଙ୍କ ପରେ ଧାଓ୍ଵନ ଧମାକା

ଜବାବରେ ମୋହାଲିରେ ଦ୍ୱିଶତକ ପାଳି ଖେଳିଥିବା ରୋହିତ ଶର୍ମା (୭) ଯୁବ ସ୍ପିନର ଅଖିଳ ଧନଞ୍ଜୟଙ୍କ ଦ୍ୱାରା ବୋଲ୍‌ଡ ହୋଇଯାଇଥିଲେ। କିନ୍ତୁ ଶିଖର ଧାଓ୍ଵନଙ୍କୁ ପଛରେ ପକାଇ ଶ୍ରେୟସ ଆୟର ୪୪ ବଲ୍‌ରୁ ଆଗୁଆ ଅର୍ଧଶତକ ହାସଲ କରି ନେଇଥିଲେ। ଧାଓ୍ଵନଙ୍କୁ ଅର୍ଧଶତକ ହାସଲ କରିବାକୁ ୪୬ ବଲ୍‌ର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ବାମ-ଡାହାଣ ଯୋଡ଼ି ୧୯ ଓଭରରେ ୧୩୫ ରନ୍‌ ଯୋଡ଼ି ମ୍ୟାଚ୍‌କୁ ଅତି ସହଜ କରି ଦେଇଥିଲେ। ଆୟର (୬୫, ୬୩ ବଲ୍‌, ୮ ଚୌକା, ୧ ଛକା) ଶତକ ହାସଲ ଦିଗରେ ଆଗେଇ ପାରିନଥିଲେ। ଧାଓ୍ଵନ (୧୦୦*, ୮୫ ବଲ୍‌, ୧୩ ଚୌକା, ୨ ଛକା) ନିଜର ଦ୍ୱିତୀୟ ୫୦ ରନ୍‌କୁ ୩୮ ବଲ୍‌ରୁ ସଂଗ୍ରହ କରି ଦ୍ୱାଦଶ ଦିନିକିଆ ଶତକ ପୂର୍ଣ୍ଣ କରି ନେଇଥିଲେ। ଗୁଣରତ୍ନେଙ୍କ ବୋଲିଂରେ ବଲ୍‌କୁ ଡିପ୍‌ ସ୍କୋୟାର୍‌ ଲେଗ୍‌ ସୀମାରେଖା ବାହାରକୁ ପଠାଇ ସେ ଏହି ବ୍ୟକ୍ତିଗତ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଧନଞ୍ଜୟଙ୍କ ବୋଲିଂରେ ବଲ୍‌କୁ କଭର ସୀମାରେଖା ସେପାଖକୁ ପଠାଇ ଦୀନେଶ କାର୍ତିକ (୨୬*, ୩୧ ବଲ୍‌, ୩ ଚୌକା) ବିଜୟ ମୁଣ୍ଡି ମାରିଥିଲେ। ଭାରତ ୩୨.୧ ଓଭରରେ ୨ ଓ୍ଵିକେଟ୍‌ ହରାଇ ୨୧୯ ରନ୍‌ ସଂଗ୍ରହ କରିଥିଲା। ଆୟର ମ୍ୟାଚ୍‌ର ଶ୍ରେଷ୍ଠ ବ୍ୟାଙ୍କେବଲ୍‌ ଖେଳାଳି ବିବେଚିତ ହୋଇଥିଲେ। ଚଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ଶିଖର ଧାଓ୍ଵନ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ହାତେଇ ନେଇଥିଲେ।

ଅଷ୍ଟ୍ରେଲିଆ ଓ ଇଣ୍ଡିଜ୍‌ର ସମକକ୍ଷ

ଦିନିକିଆ ଅନ୍ତର୍ଜାତୀୟରେ ଭାରତୀୟ ଦଳ ଲଗାତାର ଅଷ୍ଟମ ଶୃଙ୍ଖଳା ବିଜୟ ହାସଲ କରିବା ପରେ ବିଗତ ଦିନର ଦୁଇ ସଫଳ ସୀମିତ ଓଭର ଦଳ ଅଷ୍ଟ୍ରେଲିଆ ଓ େଓ୍ଵଷ୍ଟଇଣ୍ଡିଜ୍‌ର ସମକକ୍ଷ ହୋଇଛି। ୮୦ ଦଶକରେ େଓ୍ଵଷ୍ଟଇଣ୍ଡିଜ୍‌ ଏବଂ ଏକବିଂଶ ଶତାବ୍ଦୀ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ଏଭଳି ସଫଳତା ପାଇଥିଲେ। ଅନ୍ୟପକ୍ଷରେ ଶିଖର ଧାଓ୍ଵନ ୯୫ ପାଳିରୁ ୪୦୦୦ ରନ୍‌ ଅତିକ୍ରମ କରି ଦ୍ୱିତୀୟ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ବିରାଟ କୋହଲି ୯୩ ବଲ୍‌ରୁ ୪୦୦୦ ରନ୍‌ ପୂରଣ କରିଥିଲେ। ବିଶ୍ୱ କ୍ରିକେଟ୍‌ରେ କିନ୍ତୁ ହାସିମ୍‌ ଆମଲା (୮୧)ଙ୍କ ନାମରେ ଏହାର କୀର୍ତିମାନ ରହିଛି। ଉପୁଲ ଥରଙ୍ଗା ମଧ୍ୟ ରବିବାର ଚଳିତ ବର୍ଷର ତୃତୀୟ ଖେଳାଳିଭାବେ ଦିନିକିଆରେ ୧୦୦୦ ରନ୍‌ ପୂର୍ଣ କରିଥିଲେ। ପୂର୍ବରୁ ବିରାଟ କୋହଲି ଏବଂ ରୋହିତ ଶର୍ମା ଏହି କୃତିତ୍ୱ ଅର୍ଜନ କରିଥିଲେ। ରବିବାର କିନ୍ତୁ ସବୁକୁ ପଛରେ ପକାଇ ଦେଇଥିଲା ଧୋନିଙ୍କ ନିଖୁଣ ଷ୍ଟମ୍ପିଂ। କୁଲଦୀପଙ୍କ ବୋଲିଂରେ ଥରଙ୍ଗାଙ୍କୁ ଚମକା ଦେଇଥିଲେ ଧୋନି। ଅଫ ଷ୍ଟମ୍ପ ବାହାରେ ପଡ଼ିଥିବା ବଲ୍‌କୁ ଥରଙ୍ଗା ଡ୍ରାଇଭ୍‌ କରିବାକୁ ଚାହିଁଥିଲେ। ବଲ୍‌ ଟର୍ନ କରି ତାଙ୍କୁ ପରାସ୍ତ କରିବା ପରେ ଧୋନି ବଲ୍‌କୁ ସଂଗ୍ରହ କରି କିଛି କ୍ଷଣରେ ବେଲ୍‌ ଉଡ଼ାଇ ଦେଇଥିଲେ। ଟିଭି ରିପ୍ଲେରେ ଥରଙ୍ଗା ନିଜ ପଛ ପାଦକୁ ସ୍ପଷ୍ଟ ଭାବେ ରଖିନଥିବା ଦେଖି ତୃତୀୟ ଅମ୍ପାୟାର୍‌ ଆଉଟ୍‌ ଘୋଷଣା କରିଥିଲେ। ଏହା ଥିଲା ଧୋନିଙ୍କ ଦିନିକିଆରେ ୧୦୫ତମ ଷ୍ଟମ୍ପିଂ। ଓ୍ଵିକେଟ୍‌ ପଛପଟେ ତାଙ୍କ ମୋଟ ଆଉଟ୍‌ ସଂଖ୍ୟା ଏବେ ୩୯୭ରେ ପହଞ୍ଚିଛି। ଷ୍ଟମ୍ପିଂରେ ସେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୯୯)ଙ୍କୁ ପଛରେ ପକାଇ ପୂର୍ବରୁ ଶୀର୍ଷ ସ୍ଥାନ ଦଖଲ କରିସାରିଛନ୍ତି।

ସମ୍ବନ୍ଧିତ ଖବର