କୃନାଲ କଲେ ଶୃଙ୍ଖଳା ସମତୁଲ

ଅକଲାଣ୍ଡ୍‌: କୃନାଲ ପାଣ୍ଡ୍ୟାଙ୍କ ସ୍ପିନ୍ ଯାଦୁ (୩/୨୯) ପରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଧଶତକ (୨୮ ବଲ୍‌) ବଳରେ ଭାରତ ଶୁକ୍ରବାର ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଅତି ସହଜରେ ୭ ୱିକେଟ୍‌ରେ ୭ ବଲ୍ ପୂର୍ବରୁ ଜିତି ନେଇଛି। ଏଥି ସହିତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ତରକୁ ଆସିଯାଇଛି। ରବିବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ନିର୍ଣ୍ଣାୟକ ହେବ। ଶୁକ୍ରବାର ନ୍ୟୁଜିଲାଣ୍ଡ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ପ୍ରଥମ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଧଶତକ ଜମାଇଥିବା ଟିମ୍ ସେଫର୍ଟଙ୍କୁ ଭୁବନେଶ୍ବର କୁମାର ତୃତୀୟ ଓଭରରେ ଆଉଟ୍ କରିଦେବା ବେଳକୁ ଦଳୀୟ ସ୍କୋର୍ ଥିଲା ୧୫। ଏହା ପରେ କଲିନ୍ ମୁନରୋ ଏବଂ ଅଧିନାୟକ କେନ୍ ୱିଲିୟମସନ୍‌ ପାଳିକୁ ପୁନଃ ଗଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ କୃନାଲ ପାଣ୍ଡ୍ୟାଙ୍କ ଆଗମନ ପରେ ଏହି ପାଳି ବିପର୍ଯ୍ୟସ୍ତ ହୋଇଯାଇଥିଲା। ନିଜର ୧୦ ବଲ୍‌ ଭିତରେ ୩ ୱିକେଟ୍ ଦଖଲ କରି ନେଇଥିଲେ ଏହି ବାମହାତୀ ସ୍ପିନର। ମୁନରୋ, ଡାରିଲ୍ ମିଚେଲ ଏବଂ ୱିଲିୟମସନ୍‌ଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ଫଳରେ ଘରୋଇ ଦଳ ୪୧/୧ରୁ ୫୦/୪ରେ ପହଞ୍ଚିଯାଇଥିଲା। ଏହି ସମୟରେ କିନ୍ତୁ ରସ୍ ଟେଲର୍ (୪୨, ୩୬ ବଲ, ୩ ଚୌକା) ଏବଂ କଲିନ୍ ଗ୍ରାଣ୍ଡହୋମ୍‌ (୫୦, ୨୮ ବଲ, ୧ ଚୌକା, ୪ ଛକା) ପଞ୍ଚମ ୱିକେଟ୍ ପାଇଁ ୭୭ ରନ୍ ଯୋଡ଼ି ଦଳକୁ ଚମତ୍କାର ପ୍ରତ୍ୟାବର୍ତନ କରାଇଥିଲେ। ରସ୍ ଟେଲରଙ୍କ ରନ୍ ଆଉଟ୍ ଏବଂ ଗ୍ରାଣ୍ଡହୋମଙ୍କୁ କନିଷ୍ଠ ପାଣ୍ଡ୍ୟା (ହାର୍ଦିକ) ଆଉଟ୍ କରିଦେବା ପରେ ନ୍ୟୁଜିଲାଣ୍ଡ୍ ଆଉ ଆଗକୁ ବଢ଼ି ପାରିନଥିଲା। ଶେଷ ଓଭରରେ ଖଲିଲ୍ ଅହମ୍ମଦ ୨ ୱିକେଟ୍ ନେଇ ଘରୋଇ ଦଳକୁ ୧୫୮/୮ରେ ସୀମିତ ରଖିଥିଲେ। ଭାରତ ଏହି ପାଳିରେ ୩୫ ଡଟ୍‌ ବଲ୍ ବୋଲିଂ କରିବା ନିର୍ଣ୍ଣାୟକ ଥିଲା।

ଜବାବରେ ଭାରତର ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ ଶିଖର ଧାୱନ ୯.୨ ଓଭରରେ ୭୯ ରନ୍ ଇଠାଇବା ଫଳରେ ଭ୍ରମଣକାରୀ ଦଳ ପାଇଁ ବିଜୟ ଔପଚାରିକତା ଭଳି ଲାଗିଥିଲା। ରୋହିତ ଶର୍ମା ୨୯ ବଲ୍‌ରୁ ୪ ଛକା, ୩ ଚୌକା ସହୟତାରେ ୫୦ ରନ୍ ଏବଂ ଧାୱନ ୩୧ ବଲ୍‌ରୁ ୩୦ ରନ୍ କରିଥିଲେ। ଏମାନଙ୍କ ପରେ ଋଷବ ପନ୍ତ୍‌ (୪୦*, ୨୮ ବଲ, ୪ ଚୌକା, ୧ ଛକା) ଏବଂ ମହେନ୍ଦ୍ର ସିଂହ ଧୋନି (୨୦*, ୧୭ ବଲ୍‌, ୧ ଚୌକା) ଭାରତକୁ ୭ ବଲ୍‌ ପୂର୍ବରୁ ୭ ୱିକେଟ୍‌ରେ ବିଜୟ ମଣ୍ଡିତ କରିଥିଲେ। ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା କୃନାଲ ପାଣ୍ଡ୍ୟାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

ବିବାଦରେ ଡିଆର୍‌ଏସ୍ ନିଷ୍ପତ୍ତି
ଅକଲାଣ୍ଡ୍‌: ଡିଆର୍‌ଏସ୍‌ (ଡିସିସନ୍ ରିଭ୍ୟୁ ସିଷ୍ଟମ୍‌) ପୁଣି ବିବାଦ ଘେରକୁ ଆସିଛି। ଭାରତ-ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ଟ୍ବେଣ୍ଟି-୨୦ ବେଳେ ଡିଆର୍‌ଏସ୍ ନିଷ୍ପତ୍ତି ସତ୍ତ୍ବେ ବିତର୍କ ମୁଣ୍ଡ ଟେକିଛି। ନ୍ୟୁଜିଲାଣ୍ଡ୍ ପାଳିର ଷଷ୍ଠ ଓଭରରେ ଡାରିଲ୍ ମିଚେଲଙ୍କୁ ଭାରତୀୟ ସ୍ପିନର କୃନାଲ ପାଣ୍ଡ୍ୟା ଲେଗ୍ ବିଫୋର୍ ୱିକେଟ୍ (ଏଲ୍‌ବିଡବ୍‌ଲ୍ୟୁ) କରି ଦେଇଥିଲେ। ଅପରପାର୍ଶ୍ବରେ ଥିବା ଅଧିନାୟକ କେନ୍ ୱିଲିୟମସନ୍‌ଙ୍କ ପରାମର୍ଶ ନେଇ ମିଚେଲ ଏହାକୁ ରିଭ୍ୟୁ କରିଥିଲେ। ଟିଭି ରିପ୍ଲେ ତଥା ହଟସ୍ପଟ୍‌ ଦାଗରୁ ସ୍ପଷ୍ଟ ଭାବେ ଜଣାପଡ଼ିଥିଲା ବଲ୍ ପ୍ୟାଡ୍‌ ଛୁଇଁବା ପୂର୍ବରୁ ବ୍ୟାଟ୍ ଦେଇ ଗତି କରିଛି। କିନ୍ତୁ ତୃତୀୟ ଅମ୍ପାୟାର୍ ସନ୍ ହେଗ୍‌ ଆଉଟ୍ ଘୋଷଣା କରିଥିଲେ। ରିପ୍ଲେ ବେଳେ ଧୋନି, ୱିଲିୟମସନ୍‌ ଏବଂ ରୋହିତ ଶର୍ମା ଆଲୋଚନା ବି କରିଥିଲେ। କିନ୍ତୁ ତୃତୀୟ ଅମ୍ପାୟାରଙ୍କ ଘୋଷଣା ନିୟମ ଦୃଷ୍ଟିରୁ ନ୍ୟୁଜିଲାଣ୍ଡ୍‌କୁ ବିବାଦୀୟ ଆଉଟ୍‌ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ପଡ଼ିଥିଲା। ଏକମାତ୍ର ବିକଳ୍ପ ଥିଲା ରୋହିତ ଶର୍ମା ଯଦି ଚାହିଁଥାନ୍ତେ ମିଚେଲଙ୍କୁ ଫେରାଇ ଆଣିଥାନ୍ତେ। ଯାହା ସେ କରିନଥିବାରୁ ଏବେ କିଛି ଭାଗରୁ ସମାଲୋଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର