ଦୁବାଇ: ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଦଳ ସଫଳତାର ନୂଆ ସ୍ତର ଛୁଇଁଛି। ଶନିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨ ଓ୍ଵିକେଟ୍ରେ ହରାଇ ଦ୍ୱିତୀୟ ଥର ପାଇଁ ଦିନିକିଆ ଦୃଷ୍ଟିହୀନ କ୍ରିକେଟ୍ ବିଶ୍ୱକପ୍ ଜିତିବାର ଗୌରବ ଅର୍ଜନ କରିଛି। ୟୁଏଇର ସାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲରେ ପାକିସ୍ତାନ ୩୦୯ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଯାହାକୁ ଭାରତ ୮ ବଲ୍ ପୂର୍ବରୁ ହାସଲ କରି ନେଇଥିଲା। ତା’ ସହ ଏକମାତ୍ର ଦଳ ଭାବେ ଦୁଇଥର ବିଶ୍ୱକପ୍ ଜିତିବାର କୀର୍ତ୍ତିମାନ ଲାଭ କରିଥିଲା। ଏହା ପୂର୍ବରୁ ୨୦୧୪ରେ ଦକ୍ଷିଣ ଆଫ୍ରିକାର କେପଟାଉନରେ ସେହି ପାକିସ୍ତାନକୁ ହରାଇ ଭାରତୀୟ ଦୃଷ୍ଟିହୀନ ଦଳ ପ୍ରଥମ ଥର ପାଇଁ ବିଶ୍ୱ ବିଜେତା ହୋଇଥିଲା। ପାକିସ୍ତାନ ଆଜି ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୪୦ ଓଭରରେ ୮ ଓ୍ଵିକେଟ୍ ହରାଇ ୩୦୮ ରନ୍ କରିଥିଲା। ଭାରତ ସେହି ୮ ଓ୍ଵିକେଟ୍ ବିନିୟମରେ ୩୮.୨ ଓଭରରେ ୩୦୯ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ମ୍ୟାଚଟି ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପାକିସ୍ତାନ ଶେଷ ଆଡ଼କୁ ଭାରତ ଉପରେ ଟିକିଏ ଭାରି ପଡ଼ିଥିଲା। ହେଲେ ଠିକଣା ସମୟରେ ଭାରତୀୟ ଖେଳାଳି ଦାୟିତ୍ୱବାନ ବ୍ୟାଟିଂ କରି ବିଜୟର ସ୍ୱାଦ ଚାଖିଥିଲେ। ଭାରତର ଏହି ବିଜୟରେ ଓଡ଼ିଆ ଛାପ ମଧ୍ୟ ରହିଛି। ଭାରତୀୟ ଦଳରେ ଦୁଇ ଜଣ ଓଡ଼ିଆ ମହମ୍ମଦ ଜାଫର ଇଇବାଲ ଏବଂ ପଙ୍କଜ ଭୂଏ ସାମିଲ ଥିଲେ।
ସୁନୀଲ ରମେଶ (୯୩) ଆଜି ଭାରତ ବିଜୟର ନାୟକ ଥିଲେ। ଅଧିନାୟକ ଅଜୟ ରେଡ୍ଡୀ (୬୩) ଓ ସେ ମିଶି ଭାରତ ବିଜୟକୁ ପକ୍କା କରି ଦେଇଥିଲେ। ତେବେ ମ୍ୟାଚ୍ର ଶେଷ ପର୍ଯ୍ୟାୟରେ ଭାରତ କିଛିଟା ଚାପରେ ପଡ଼ି ଯାଇଥିଲା। ହେଲେ ଠିକଣା ସମୟରେ ପାକିସ୍ତାନ ବୋଲରଙ୍କୁ ଦୃଢ଼ ଜବାବ ଦେଇ ବିଶ୍ୱକପ୍ ତୋଳି ଧରିବାର ସୌଭାଗ୍ୟ ପାଇଥିଲା। ଭାରତ ମଧ୍ୟ ୧୩ ତାରିଖରେ ଖେଳା ଯାଇଥିବା ଲିଗ୍ ମ୍ୟାଚ୍ରେ ପାକିସ୍ତାନକୁ ୭ ଓ୍ଵିକେଟ୍ରେ ପରାସ୍ତ କରିଥିଲା। ସମଗ୍ର ପ୍ରତିଯୋଗିତାରେ ଅପରାଜେୟ ରହିବାର ଅନନ୍ୟ କୀର୍ତ୍ତିମାନ ମଧ୍ୟ ଭାରତ କରିଥିଲା। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍ ରିଚାର୍ଡସନ୍, ପୂର୍ବତନ ପାକିସ୍ତାନ କ୍ରିକେଟର ଜାହିର ଆବାସ ଓ ପୂର୍ବତନ ଭାରତୀୟ ଓ୍ଵିକେଟ୍ ରକ୍ଷକ ସୟଦ କିର୍ମାନିଙ୍କ ଏପସ୍ଥିତି ଭାରତର ଏହି ବିଜୟକୁ ଅଧିକ ସ୍ୱତନ୍ତ୍ର କରି ଦେଇଥିଲା। ଭାରତୀୟ ଦଳ ବାଂଲାଦେଶକୁ ୭ ଓ୍ଵିକେଟ୍ରେ ହରାଇ ଫାଇନାଲ୍ ଯାଇଥିଲା। ଅନ୍ୟ ପକ୍ଷରେ ପାକିସ୍ତାନ ଶ୍ରୀଲଙ୍କାକୁ ୧୫୬ ରନ୍ରେ ହରାଇ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାକୁ ଗର୍ବିତ କଲେ ଜାଫର-ପଙ୍କଜ
ପାକିସ୍ତାନକୁ ହରାଇ ଭାରତ ଶନିବାର ଦ୍ୱିତୀୟ ଥର ପାଇଁ ୪୦ ଓଭରିଆ ଦୃଷ୍ଟିହୀନ ବିଶ୍ୱକପ୍ ଜିତିଥିଲା ବେଳେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ରାଜ୍ୟର ଦୁଇ ଜଣ ଖେଳାଳି ମହମ୍ମଦ ଜାଫର ଇକବାଲ ଏବଂ ପଙ୍କଜ ଭୂଏ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ହୋଇ ସାରା ଓଡ଼ିଶାକୁ ଗର୍ବିତ କରିଛନ୍ତି। ଜାଫର ୨୦୧୪ରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ମଧ୍ୟ ସଦସ୍ୟ ଥିଲେ। ଏଣୁ ସେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ହୋଇଛନ୍ତି। ଅନ୍ୟ ପକ୍ଷରେ ଭାରତୀୟ ଦଳର ନିୟମିତ ସଦସ୍ୟ ହୋଇ ପାରିଥିବା ପଙ୍କଜ ପ୍ରଥମ ଥର ପାଇଁ ୪୦ ଓଭରିଆ ବିଶ୍ୱକପ୍ ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ଜାଫର ଏବଂ ପଙ୍କଜ ଟେ୍ଵଣ୍ଟି-୨୦ ବିଶ୍ୱକପ୍ ଜିତିଥିବର ଭାରତୀୟ ଦଳର ମଧ୍ୟ ସଦସ୍ୟ ଥିଲେ। ଜାଫର ଖୋର୍ଧା ଜିଲ୍ଲାର ସୁନ୍ଦରପଦାର ଆଜାଦନଗର ବାସିନ୍ଦା ହୋଇଥିଲା ବେଳେ ପଙ୍କଜ ହେଉଛନ୍ତି କୋରାପୁଟ ପୁଅ।