ଭାରତକୁ ୩-୦ରେ ଜିତାଇଲେ ଧାୱନ-ପନ୍ତ

ଅଷ୍ଟ୍ରେଲିଆ ଗସ୍ତ ୨୧ରୁ

ଚେନ୍ନାଇ: ନୂଆଦିଲ୍ଲୀର ବରିଷ୍ଠ କନିଷ୍ଠ ବାମହାତୀ ଯୋଡ଼ି ଶିଖର ଧାୱନ ଏବଂ ଋଷବ ପନ୍ତଙ୍କ ବି‌ସ୍ଫୋରକ ବ୍ୟାଟିଂ ବଳରେ ଭାରତ ରବିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। ଏଥି ସହିତ ଭାରତ ଗସ୍ତରେ ଖେଳିଥିବା ସମସ୍ତ ୩ ଫର୍ମାଟ ଶୃ୍‌ଙ୍ଖଳାରେ ମଧ୍ୟ ଇଣ୍ଡିଜ୍ ପରାଜୟ ବରଣ କରିଛି। ଟେଷ୍ଟ୍‌କୁ ୦-୨, ଦିନିକିଆକୁ ୧-୩ରେ ହାରିଥିବା ଇଣ୍ଡିଜ୍ ନିଜର ସବୁଠୁ ସାମର୍ଥ୍ୟର ଫର୍ମାଟ ଟ୍ବେଣ୍ଟି-୨୦ରେ ବି ନିଜ ପ୍ରଶଂସକଙ୍କୁ ନିରାଶ କରିଥିଲା। ରବିବାର ଖେଳାଯାଇଥିବା ଅନ୍ତିମ ମ୍ୟାଚ୍ ରୋମାଞ୍ଚକ ଭାବେ ଶେଷ ହୋଇଥିଲା। ଶେଷ ବଲରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ନିର୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୮୧ ରନ୍ କରିଥିଲା। ପ୍ରଥମ ୬ ଓଭର ତଥା ପାୱାର ପ୍ଲେରେ ବିନା କ୍ଷତିରେ ୫୧ ରନ୍ କରିଥିବା ଇଣ୍ଡିଜ୍‌କୁ ଲଗାତାର ଓଭରରେ ୟୁଜବେନ୍ଦ୍ର ଚହଲ ଯୁଗଳ ଝଟକା ଦେଇଥିଲେ। ସେ ପ୍ରାରମ୍ଭିକ ଯୋଡ଼ି ସାଇ ହୋପ (୨୪, ୨୨ ବଲ) ଏବଂ ସିମରନ୍ ‌ହେଟମେୟର (୨୬, ୨୧ ବଲ)ଙ୍କୁ ପ୍ୟାଭିଲିଅନ୍ ରାସ୍ତା ଦେଖାଇଥିଲେ। ଦୀନେଶ ରାମଦିନ (୧୫, ୧୫ ବଲ)ଙ୍କ ୱିକେଟ୍‌ ନେଇଥିଲେ ୱାସିଂଟନ୍ ସୁନ୍ଦର। ଏହା ପରେ କିନ୍ତୁ ଡାରେନ୍ ବ୍ରାଭୋ (୪୩*, ୩୭ ବଲ, ୨ ଚୌକା, ୨ ଛକା) ଏବଂ ନିକୋଲାସ୍ ପୁରନ (୫୩*, ୨୫ ବଲ, ୪ ଚୌକା, ୪ ଛକା) ଅତୁଟ ଚତୁର୍ଥ ୱିକେଟ୍‌ ପାଇଁ ୮୭ ରନ୍ ଯୋଡ଼ି ନେଇଥିଲେ। ପୁରନଙ୍କ ବିସ୍ଫୋରକ ବ୍ୟାଟିଂ କାରଣରୁ ଶେଷ ୫ ଓଭରରେ ଇଣ୍ଡିଜ୍ ୬୪ ରନ୍ ‌ସଂଯୋଗ କରି ନେଇଥିଲା। ଜବାବରେ ଭାରତ ଏହାର ଅଧିନାୟକ ରୋହିତ ଶର୍ମା (୪) ଏବଂ ଲୋକେଶ ରାହୁଲ (୧୭)ଙ୍କୁ ଶସ୍ତାରେ ହରାଇ ପ୍ରାରମ୍ଭିକ ଅସୁବିଧାରେ ପଡ଼ିଥିଲା। ଏହା ପରେ କିନ୍ତୁ ଶିଖର ଧାୱନ (୯୨, ୬୨ ବଲ, ୧୦ ‌ଚୌକା, ୨ ଛକା) ଏବଂ ଋଷବ ପନ୍ତ (୫୮, ୩୮ ବଲ, ୫ ଚୌକା, ୩ ଛକା) ଭାରତକୁ ବିଜୟ ମୁହଁରେ ପହଞ୍ଚାଇ ଦେଇଥିଲେ ମଧ୍ୟ ଲଗାତାର ଓଭରରେ ଆଉଟ୍‌ ହୋଇଯାଇଥିଲେ।‌ ଶେଷ ଓଭରରେ ୬ ରନ୍ ଲୋଡୁଥିବା ଭାରତ ପଞ୍ଚମ ବଲରେ ଧାୱନଙ୍କୁ ହରାଇଥିଲା। ଶେଷ ବଲ୍‌ରେ ମିସ୍‌ଫିଲଡରୁ ଫାଇଦା ଉଠାଇ ମନୀଷ ପାଣ୍ଡେ ବିଜୟସୂଚକ ଏକ ରନ୍ ନେଇଥିଲେ। ଶିଖର ଧାୱନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତ ଏହାପରେ ଅଷ୍ଟ୍ରେଲିଆ ଗସ୍ତ କରି ନଭେମ୍ବର ୨୧ରୁ ୨୦୧୯ ଜାନୁଆରି ୧୮ ମଧ୍ୟରେ ୩ ଟ୍ବେଣ୍ଟି-୨୦, ୪ ଟେଷ୍ଟ୍ ଏବଂ ୩ ଦିନିକିଆ ବିଶିଷ୍ଟ ୩ ଶୃଙ୍ଖଳା ଖେଳିବ।

ସମ୍ବନ୍ଧିତ ଖବର