ନ୍ୟୁଜିଲାଣ୍ଡରେ ୪-୧ ଚମକ, ପଞ୍ଚମ ଦିନିକିଆକୁ ୩୫ ରନ୍‌ରେ ଜିତିଲା ଭାରତ

ରାୟୁଡୁ ମ୍ୟାଚ୍, ସାମି ଶୃଙ୍ଖଳା ଶ୍ରେଷ୍ଠ

ୱେଲିଂଟନ୍: ଶେ‌ଷ ଦିନିକିଆରେ ସଫଳ ଲେଉଟାଣୀ ସହ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଭାରତ ୪-୧ରେ ଜିତି ନେଇଛି। ତା’ ସହ ଅଷ୍ଟ୍ରେଲିଆ (୨୦୦୦/୦୧, ୨୦୦୪/୦୫) ଓ ଶ୍ରୀଲଙ୍କା (୧୯୯୯/୨୦୦୦) ପରେ ତୃତୀୟ ଦଳ ଭାବେ ନ୍ୟୁଜିଲାଣ୍ଡକୁ ତା‌’ ଘରୋଇ ମାଟିରେ ୩ କିମ୍ବା ତା’ଠାରୁ ଅଧିକ ବ୍ୟବଧାନରେ ହରାଇବାର ଗୌରବ ଅର୍ଜନ କରିଛି। ସେହିଭଳି ବୁଧବାରଠାରୁ ଆରମ୍ଭ ହେଉଥିବା ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ନିଜ ଆତ୍ମବିଶ୍ବାସକୁ ଉଚ୍ଚ କରି ପାରିଛି। ରବିବାରର ପଞ୍ଚମ ତଥା ଶେଷ ଦିନିକିଆକୁ ୩୫ ରନ୍‌ରେ ଜିତି ଭାରତ ମଧ୍ୟ ଚଳିତ ବିଦେଶ ଗସ୍ତରେ ଲଗାତାର ଦ୍ବିତୀୟ ଶୃଙ୍ଖଳା ବିଜୟ ହାସଲ କରିଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ୨-୧ରେ ହରାଇଥିଲା। ରବିବାର ୧୮ ରନ୍‌ରେ ୪ ୱିକେଟ୍ ହରାଇ ‌ଘୋର ସଙ୍କଟରେ ପଡ଼ିଥିଲା ଭାରତ। ତେବେ ଅମ୍ବାତି ରାୟୁଡୁ (୯୦ ରନ୍, ୧୧୩ ବଲ୍, ୮ ଚୌକା, ୪ ଛକା) ଓ ହାର୍ଦିକ ପାଣ୍ଡ୍ୟା (୪୫ ରନ୍, ୨୨ ବଲ୍, ୨ ଚୌକା, ୫ ଛକା)ଙ୍କ ଦାୟିତ୍ବବାନ ବ୍ୟାଟିଂ ସହ ବୋଲିଂ ବାହିନୀର ମିଳିତ ପ୍ରୟାସ ପାଇଁ ଘରୋଇ ଦଳକୁ ରୋମାଞ୍ଚକର ଭାବେ ହରାଇଥିଲା। ତା’ ସହ ଶୃଙ୍ଖଳା ବିଜୟ ବ୍ୟବଧାନକୁ ୪-୧ କରି ନେଇଥିଲା। ପାଞ୍ଚ ଟିକିଆ ଶୃଙ୍ଖଳାର ପ୍ରଥମ ତିନି ମ୍ୟାଚ୍‌ରେ ଏକତରଫା ବିଜୟ ହାସଲ କରି ଭାରତ ୩-୦ରେ ଆଗୁଆ ରହିଥିଲା। ହେଲେ ଚତୁର୍ଥ ଦିନିକିଆକୁ ଅପ୍ରତ୍ୟାଶିତ ଭାବେ ୮ ୱିକେଟ୍‌ରେ ହାରି ଯାଇଥିଲା। ପଞ୍ଚମ ମୁକାବିଲାରେ କିନ୍ତୁ ପୂର୍ବ ଭୁଲ ସୁଧାରି ବିଜୟର ମିଠା ସ୍ବାଦ ଚାଖିଥିଲା। ୧୮/୪ରୁ ୨୫୨ ୱେଲିଂଟନର ୱେଷ୍ଟପାକ୍ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଶୀର୍ଷକ୍ରମ ଲଗାତାର ଦ୍ବିତୀୟ ଥର ପାଇଁ ବିଫଳ ହୋଇଥିଲା। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ୧୦ ଓଭର ଭିତରେ ଚାରିଟି ୱିକେଟ୍ ହରାଇ ବସିଥିଲା ଭାରତ। ଏହି ସମୟ ମଧ୍ୟରେ ଦଳର ରନ୍ ସଂଗ୍ରହ ହାର ଥିଲା ମାତ୍ର ୧.୮। ନ୍ୟୁଜିଲାଣ୍ଡ ଏମିତି ଅଗ୍ନିବର୍ଷୀ ବୋଲିଂ କରିଥିଲା ଯେ ଅଧିନାୟକ ରୋହିତ ଶର୍ମା (୨), ଶିଖର ଧାୱନ (୬), ଯୁବ ତାରକା ଶୁବମନ ଗିଲ୍‌(୭) ଓ ମହେନ୍ଦ୍ର ସିଂହ ଧୋନି (୧) ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଶୀର୍ଷକ୍ରମ ଶସ୍ତାରେ ସଫା ହେବା ପରେ ମଧ୍ୟକ୍ରମ କିନ୍ତୁ ସ୍ଥିତି ପୂରା ସୁଧାରି ନେଇଥିଲେ। ରାୟୁଡୁ ଓ ଅଲରାଉଣ୍ଡର ବିଜୟ ଶଙ୍କର (୪୫ ରନ୍, ୬୪ ବଲ୍, ୪ ଚୌକା) ପଞ୍ଚମ ୱିକେଟ୍‌ରେ ୯୮ ରନ୍ ଯୋଡ଼ି କେବଳ ୱିକେଟ୍ ପତନ ଧାରାକୁ ରୋକି ନଥିଲେ, ଭାରତ ସ୍କୋରକୁ ୧୦୦ ରନ୍ ପାର କରାଇଥିଲେ। ଏହା ପରେ କେଦାର ଯାଦବ (୩୪ ରନ୍, ୪୫ ବଲ୍, ୩ ଚୌକା) ଓ ହାର୍ଦିକ ପାଣ୍ଡ୍ୟା ଭାରତୀୟ ସ୍କୋରକୁ ଅଢ଼େଇ ଶହ ଟପାଇ ଦେଇଥିଲେ। ଭାରତ ୪୯.୫ ଓଭରରେ ୨୫୨ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଏହା ପରେ ୟୁଜବେନ୍ଦ୍ର ଚହଲ (୧୦-୦-୪୧-୩), ମହମ୍ମଦ ସାମି (୮-୦-୩୫-୨) ଓ ପାଣ୍ଡ୍ୟା (୮-୧-୫୦-୨) କିୱି ବ୍ୟାଟ୍ସମ୍ୟାନଙ୍କୁ ନିଜ ନିଜ ଶାଣିତ ବୋଲିଂରେ ଘାଇଲା କରି ଦେଇଥିଲେ। ଏକଦା ଭଲ ସ୍ଥିତିରେ ଥିବା ନ୍ୟୁଜିଲାଣ୍ଡ୍‌ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୪୪.୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୧୭ ରନ୍ କରି ପାରିଥିଲା। ରାୟୁଡୁ ଦିନିକିଆରେ ଦଶମ ଅର୍ଧଶତକ ଅର୍ଜନ କରିଥିଲେ ମଧ୍ୟ ଶତକ ଅର୍ଜନରୁ ବଞ୍ଚିତ ହୋଇଥିଲେ। ତେବେ ଏହି ପାଳି ପାଇଁ ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ନ୍ୟୁଜିଲାଣ୍ଡକୁ ପାଞ୍ଚଟି ଯାକ ମ୍ୟାଚ୍‌ରେ ପାଣି ପିଆଇ ଦେଇଥିବା ମହମ୍ମଦ ସାମି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ଚହଲ-ସାମି ଚମକ
ୱେଲିଂଟନର ପୂର୍ବ ପରିସଂଖ୍ୟାନ ଅନୁସାରେ ଅଢ଼େଇ ଶହ ରନ୍ କରିଥିବା ଦଳ ଏଠାରେ ବିଜୟୀ ହେବାର ସମ୍ଭାବନା ଅଧିକ ଥିଲା। ଶେଷରେ ଏହା ହିଁ ଘଟିଥିଲା। ଭାରତୀୟ ବୋଲରଙ୍କ ଘନ ଘନ ଆକ୍ରମଣରେ କିୱି ବ୍ୟାଟ୍ସମ୍ୟାନ୍ ଘାଇଲା ହୋଇ ଯାଇଥିଲେ। ବିଶେଷ କରି ଧମାକାଦାର ବ୍ୟାଟିଂ କରିଥିବା ହାର୍ଦିକ ପାଣ୍ଡ୍ୟା ଠିକଣା‌ ସମୟରେ ବିପଜ୍ଜନକ ରସ୍ ଟେଲର (୧)ଙ୍କୁ ଆଉଟ୍ କରିବା ନ୍ୟୁଜିଲାଣ୍ଡ ପାଇଁ ସବୁଠାରୁ ବଡ଼ ଧକ୍କା ହୋଇଥିଲା। ପ୍ରଥମ ପାୱାର ପ୍ଲେ ମଧ୍ୟରେ ଦୁଇଟି ୱିକେଟ୍ ହରାଇ ଥିବା ନ୍ୟୁଜିଲାଣ୍ଡକୁ ଅଧିନାୟକ ‌କେନ୍ ୱିଲିୟମସନ୍ (୩୯), ଟମ୍ ଲାଥାମ (୩୭) ଓ ଜେମ୍ସ ନିସାମ (୪୪) ଆଶା ଦେଇଥିଲେ। ନିସାମଙ୍କୁ ‌ଧୋନି ରନ୍ଆଉଟ୍ କରିବା ପରେ କିନ୍ତୁ ଘରୋଇ ଦଳର ସବୁ ଆଶା ମଉଳି ଯାଇଥିଲା। ଟ୍ରେଣ୍ଟ ବୋଲ୍ଟଙ୍କୁ ଭୁବନେଶ୍ବର କୁମାର ସାମିଙ୍କ ହାତରେ କ୍ୟାଚ୍ କରାଇ ନ୍ୟୁଜିଲାଣ୍ଡ୍‌ ପାଳିକୁ ୪୪.୧ ଓଭରରେ ଶେଷ କରି ଦେଇଥିଲେ।

ପାଣ୍ଡ୍ୟାଙ୍କ ୬,୬,୬
ସୁଇଂ ବୋଲରଙ୍କୁ ସୁହାଉଥିବା ୱେଲିଂଟନ ପିଚ୍‌ରେ ଅନ୍ୟସବୁ ଭାରତୀୟ ବ୍ୟାଟ୍ସମ୍ୟାନ୍ ପ୍ରତିଟି ରନ୍ ପାଇଁ ସଂଘର୍ଷ କରିଥିଲେ। ପାଣ୍ଡ୍ୟା କିନ୍ତୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଟଡ୍ ଆସ୍‌ଲେଙ୍କ ୪୭ତମ ଓଭରର ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ବଲ୍‌କୁ ସେ ଉପରେ ଉପରେ ସୀମା ରେଖା ପାର କରାଇ ଦେଇଥିଲେ। କୌଣସି ବୋଲରଙ୍କୁ ସେ ହ୍ୟାଟ୍ରିକ୍ ଛକା ମାରିବାର ଏହା ପ୍ରଥମ ଘଟଣା ନଥିଲା। ୨୦୧୭ରେ ଚେନ୍ନାଇରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଆଡାମ ଜାମ୍ପା, ସେହିବର୍ଷ ପାଲେକେଲରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ମାଲିନ୍ଦା ପୁଷ୍ପକୁମାର, ଦି ଓଭାଲଠାରେ ପାକିସ୍ତାନ ବିପକ୍ଷ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ସଦାବ ଖାନଙ୍କୁ, ସେହି ଚାମ୍ପିଅନ୍ସ ଟ୍ରଫିର ପାକିସ୍ତାନ ବିପକ୍ଷ ଲିଗ୍ ମ୍ୟାଚ୍‌ରେ ଇମାଦ ୱାସିମଙ୍କୁ ମଧ୍ୟ ପାଣ୍ଡ୍ୟା ଲଗାତାର ତିନିଟି ଲେଖାଏଁ ଛକା ମାରି ସାରିଛନ୍ତି।

କୋହଲି ପଠାଇଲେ ସ୍ବତନ୍ତ୍ର ବାର୍ତା
ପଞ୍ଚମ ଦିନିକିଆର ଚମକପ୍ରଦ ପ୍ରତ୍ୟାବର୍ତନ ଏବଂ ବିଜୟ ପରେ ନିୟମିତ ଅଧିନାୟକ ବିରାଟ କୋହଲି ଭାରତୀୟ ଖେଳାଳିଙ୍କ ପାଖକୁ ସ୍ବତନ୍ତ୍ର ଓ ଭାବବିହ୍ବଳ ବାର୍ତା ପଠାଇଥିଲେ। ପ୍ରଥମ ତିନିଟି ଦିନିକିଆ ଖେଳିଥିବା କୋହଲି ଏଥିଲାଗି ଟ୍ବିଟର୍‌ର ସହାୟତା ନେଇଥିଲେ। ଭାରତ ବିଜୟ ପରେ କୋହଲି ଟ୍ବିଟ୍ କରିଥିଲେ ଯେ କଠିନ ପରିସ୍ଥିତିରେ ଚମତ୍କାର ପ୍ରତ୍ୟାବର୍ତନ, ୪-୧ ବିଜୟ ଆମ ସ୍ବଭାବକୁ ଦର୍ଶାଉଛି। ଭାଇମାନେ ବହୁତ ଭଲ ଖେଳିଲ, ଜୟ ହିନ୍ଦ୍। ସୂଚନାଯୋଗ୍ୟ ଯେ ପ୍ରଥମ ତିନିଟି ଦିନିକିଆ ଜିତି ଭାରତ ଦୀର୍ଘ ଏକ ଦଶନ୍ଧି ପରେ ନ୍ୟୁଜିଲାଣ୍ଡରେ ଶୃଙ୍ଖଳା ଜିତିବା ପରେ କୋହଲି ପରବର୍ତୀ ଦୁଇଟି ଦିନିକିଆ ସହ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ବିଶ୍ରାମ ନେଇଥିଲେ। ଆଗକୁ ବିଶ୍ବକପ୍ ଥିବାରୁ ଦଳୀୟ ଅଧିକାରୀ ଓ ଚୟନକର୍ତା ତାଙ୍କୁ ଏହି ଆବଶ୍ୟକ ବିଶ୍ରାମ ଦେଇଥିଲେ। କୋହଲି ଦଳରୁ ଦୂରରେ ଥିଲେ ମଧ୍ୟ ଦଳର ପ୍ରଦଶର୍ନ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ତେବେ ସେ ସଂପ୍ରତି ନିଜ ପରିବାର ଏବଂ ପତ୍ନୀଙ୍କ ସହ ଛୁଟି କଟାଉଛନ୍ତି।

ସମ୍ବନ୍ଧିତ ଖବର