ଜୋହର୍ କପ୍‌ରେ ଭାରତର ବିଜୟ ଅଭିଯାନ, ପ୍ରତାପ, ଶିଳାନନ୍ଦ, ଉତ୍ତମ‌ ଦେଲେ ଗୋଲ୍‌

ଭୁବନେଶ୍ବର: ମାଲେସିଆର ଜୋହର ବାହରୁଠାରେ ଶନିବାରଠାରୁ ନବମ ସୁଲତାନ ଅଫ୍ ଜୋହର୍‌ କପ୍‌ ଆରମ୍ଭ ହୋଇଛି। ଭାରତୀୟ କନିଷ୍ଠ ଦଳ ୪-୨ ଗୋଲ୍‌ରେ ଆୟୋଜକ ମାଲେସିଆକୁ ପରାସ୍ତ କରି ଚମତ୍କାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳର ବିଜୟରେ ଦୁଇ ଓଡ଼ିଆ ପୁଅ ପ୍ରତାପ ଲାକ୍ରା (୧୯, ୩୩ ମିନିଟ୍‌) ଏବଂ ଶିଳାନନ୍ଦ ଲାକ୍ରା (୩୯ ମିନିଟ୍‌) ମିଳିତ ଭାବେ ୩ ଗୋଲ୍ ଦେଇ ବଡ଼ ଅବଦାନ ରଖିଛନ୍ତି।

ମହମ୍ମଦ ହାସନ୍‌ (୮ ମିନିଟ) ଏବଂ ମହମ୍ମଦ ଜୈନୁଦ୍ଦିନ୍‌ (୯ ମିନିଟ)ଙ୍କ ଲଗାତାର ଗୋଲ୍ ବଳରେ ମାଲେସିଆ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। କିନ୍ତୁ ଭାରତୀୟ ଯୁବ ଦଳ ଚମତ୍କାର ପ୍ରତ୍ୟାବର୍ତନ କରି ବିଜୟ ଛଡ଼ାଇ ଆଣିଥିଲା। ପ୍ରଥମ କ୍ବାର୍ଟରରେ ମାଲେସିଆ ୨-୦ରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ପ୍ରାରମ୍ଭରୁ ଭାରତକୁ ମିଳିଥିବା ଏକ ପେନାଲଟି କର୍ନରୁ ମାଲେସିଆ ନିଷ୍ଫଳ କରି ଦେଇଥିଲା। କିନ୍ତୁ ଦଳକୁ ମିଳିଥିବା ପେନାଲଟି ଷ୍ଟ୍ରୋକ୍‌କୁ ଓଡ଼ିଆ ପୁଅ ପ୍ରତାପ ଲାକ୍ରା ଗୋଲ୍‌ରେ ପରିଣତ କରିଦେଇଥିଲେ। ଏଥି ସହିତ ଭାରତ ପ୍ରଥମାର୍ଧରେ ୧-୨ରେ ପଛୁଆ ରହିଥିଲା। ଦ୍ବିତୀୟାର୍ଧରେ ଭାରତ ମଧ୍ୟ ଲୟ ବଜାୟ ରଖିଥିଲା। ପ୍ରତାପ ଲାକ୍ରାଙ୍କ ପେନାଲଟି କର୍ନର‌ ଗୋଲ୍ ବଳରେ ଭାରତ ବରାବର ସ୍ତରକୁ ଆସିଯାଇଥିଲା। ଅନ୍ୟତମ ଓଡ଼ିଆ ଶିଳାନନ୍ଦ ଲାକ୍ରା (୩୯ ମିନିଟ୍) କିନ୍ତୁ ଦଳକୁ ଆଉ ଏକ ପେନାଲଟି କର୍ନର ଗୋଲ୍‌ ଜରିଆରେ (୩-୨) ଆଗୁଆ କରାଇ ନେଇଥିଲେ। ଏହି ଅଗ୍ରଣୀକୁ ଭାରତ ଶେଷ ପର୍ଯ୍ୟନ୍ତ ବଳବତ୍ତର ରଖିଥିବା ବେଳେ ଉତ୍ତମ ସିଂହ (୬୦ ମିନିଟ) ଶେଷ ମୁହୂର୍ତରେ ଏକ ଫିଲ୍ଡ ଗୋଲ୍ ଦେଇ ମ୍ୟାଚ୍‌କୁ ୪-୨ ସପକ୍ଷକୁ ନେଇ ଆସିଥିଲେ। ଭାରତ ନିଜର ପରବର୍ତୀ ରାଉଣ୍ଡ୍‌ ରବିନ୍ ଲିଗ୍ ମ୍ୟାଚ୍‌ରେ ରବିବାର ନ୍ୟୁଜିଲାଣ୍ଡ୍‌କୁ ଭେଟିବ। ଭାରତୀୟ ସମୟ ଅପରାହ୍ନ ୩.୩୫ରେ ଏହି ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର