କୋଲକାତାରେ କଷ୍ଟସାଧ୍ୟ ବିଜୟ

କୋଲକାତା: ବିଜୟରୁ ଭାରତ ଟ୍ବେଣ୍ଟି-୨୦ ଅଭିଯାନ ଆରମ୍ଭ କରିଛି। ରବିବାର ରାତିରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ଭାରତ ୫ ୱିକେଟ୍‌ରେ ଜିତି ନେଇଛି। ତା’ ସହ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ୱେଷ୍ଟଇଣ୍ଡିଜ୍ ଆଜି ମାତ୍ର ୧୧୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଏହାକୁ ୧୭.୫ ଓଭରରେ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲା। କିମୋ ପଲ୍‌ଙ୍କୁ ଚୌକା ମାରି କ୍ରୁନାଲ ପାଣ୍ଡ୍ୟା ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଇଣ୍ଡିଜ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ନିର୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୦୯ ରନ୍ କରିଥିଲା। କୁଲଦୀପ ଯାଦବ (୪-୦-୧୩-୩) ହିଁ ଇଣ୍ଡିଜ୍ ବିପର୍ଯ୍ୟୟର କାରଣ ହୋଇଥିଲେ। ୧୧୦ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ୧୬ ରନ୍ ଭିତରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୬) ଏବଂ ଶିଖର ଧାୱନ (୩)ଙ୍କୁ ହରାଇଥିଲା। ‌େଲାକେଶ ରାହୁଲ (୧୬), ଋଷବ ପନ୍ତ (୧) ଓ ମନୀଷ ପାଣ୍ଡେ (୧୯) ବି ବିଫଳ ହୋଇଥିଲେ। ତେବେ ଦୀନେଶ କାର୍ତିକ (୩୧*, ୩୪ ବଲ୍, ୩ ଚୌକା, ୧ ଛକା) ଏବଂ କ୍ରୁନାଲ (୨୧* ରନ୍, ୯ ବଲ୍, ୩ ଚୌକା)ଙ୍କ ଦାୟିତ୍ବବାନ ବ୍ୟାଟିଂ ପାଇଁ ଶେଷରେ କଷ୍ଟକର ବିଜୟ ହାସଲ କରିଥିଲା। କୁଲଦୀପ ତାଙ୍କ ଘାତକ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର