ଭାରତର ବର୍ଷା ଭିଜା ବିଜୟ: ପ୍ରଥମ ଟି-୨୦ ୯ ଓ୍ଵିକେଟ୍‌ରେ ଜିତିଲା

ଭାରତ-ଅଷ୍ଟ୍ରେଲିଆ ଟି-୨୦

ରାଞ୍ଚି: ବୋଲିଂ ବିସ୍ଫୋରଣ ପରେ ମୂଷଳ ଧାରାରେ ବର୍ଷା ହିଁ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ପ୍ରତିବଂଧକ ସାଜିଥିଲା। କାଟଛାଣ୍ଟ ଓଭର କିନ୍ତୁ ମ୍ୟାଚ୍‌ରେ ରୋମାଞ୍ଚ ଭରିଦେଲା। ମ୍ୟାଚ୍‌ ପୁନଃ ଆରମ୍ଭ ବେଳକୁ ଡିଏଲ୍‌ ନିୟମ ଅନୁସାରେ ଭାରତକୁ ୬ ଓଭରରେ ୪୮ ରନ୍‌ ଲକ୍ଷ୍ୟ ଦିଆଯାଇଥିଲା। ରୋହିତ ଶର୍ମା (୧୧, ୭ ବଲ୍‌, ୧ ଚୌକା, ୧ ଛକା) ସଅଳ ପଳାଇଥିଲେ। କଲ୍‌ଟର୍‌ ନାଇଲ୍‌ଙ୍କୁ ଛକା ମାରିବାର ପର ବଲ୍‌ରେ ସେ ଆଉଟ୍‌ ହୋଇଥିଲେ। କିନ୍ତୁ ଶିଖର ଧାଓ୍ଵନ (୧୫*, ୧୨ ବଲ୍‌, ୩ ଚୌକା) ଏବଂ ବିରାଟ କୋହଲି (୨୨*, ୧୪ ବଲ୍‌, ୩ ଚୌକା) ଭାରତକୁ ୩ ବଲ୍‌ ପୂର୍ବରୁ ବିଜୟୀ କରାଇଦେଲେ। ଡାନିଏଲ୍‌ କ୍ରିଷ୍ଟିଆନଙ୍କ ବଲ୍‌କୁ ଲଙ୍ଗ୍‌ ଅଫ୍‌ ସୀମା ରେଖା ବାହାରକୁ ପଠାଇ କୋହଲି ମ୍ୟାଚ୍‌ ଶେଷ କରିଥିଲେ। ଏଥି ସହ ଭାରତ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଗଲା।

ରାଞ୍ଚିର ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍‌ ସଂଘ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଭାରତ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଓଭରରେ ହିଁ ଭୁବନେଶ୍ୱର କୁମାର ଭାରତକୁ ସଫଳତା ଦେଇଥିଲେ। ଦିନିକିଆ ଶୃଙ୍ଖଳାରେ ଚମତ୍କାର ଖେଳିଥିବା ଡେଭିଡ୍‌ ଓ୍ଵାର୍ନରଙ୍କୁ ବୋଲ୍‌ଡ କରି ଦେଇଥିଲେ। ସ୍ମିଥ୍‌ଙ୍କ ଆହତ କାରଣରୁ ଅଧିନାୟକତ୍ୱ କରିଥିବା ଓ୍ଵାର୍ନର ୫ ବଲ୍‌ ଖେଳି ୨ ଚୌକା ସହିତ ୮ ରନ୍‌ କରିଥିଲେ। ଭୁବି କିନ୍ତୁ ଓ୍ଵାର୍ନରଙ୍କୁ ବିସ୍ଫୋରକ ଆରମ୍ଭର ବଦଲା ନେଇଯାଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଆରୋନ୍‌ ଫିଞ୍ଚ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରି ୩୦ ବଲ୍‌ରୁ ୪୨ ରନ୍‌ କରିଥିଲେ। ତାଙ୍କ ପାଳିରେ ୪ ଚୌକା ଏବଂ ୧ ଛକା ସାମିଲ ଥିଲା। କିନ୍ତୁ ଚାଇନାମ୍ୟାନ୍‌ କୁଲଦୀପ ଯାଦବ ତାଙ୍କୁ ବୋଲ୍‌ଡ କରିଦେଇ ନିଜ ସଫଳ ଧାରା ଜାରି ରଖିଥିଲେ। ୩ ନମ୍ବର ସ୍ଥାନରେ ଆସିଥିବା ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ (୧୭, ୧୬ ବଲ୍‌, ୨ ଚୌକା)ଙ୍କୁ ୟୁଜବେନ୍ଦ୍ର ଚହଲ୍‌ ଚଳିତ ଗସ୍ତରେ ପୁଣି ଥରେ ଶିକାର କରିଥିଲେ। ଓଭର ପ୍ରତି ୯ ରନ୍‌ ପାଖାପାଖି ରନ୍‌ ସଂଗ୍ରହ କରିଥିବା ଅଷ୍ଟ୍ରେଲିଆ ଏହା ପରେ ଲୟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଅନୁପସ୍ଥିତିରେ ଦଳର ଆତ୍ମବିଶ୍ୱାସ ବି ନିମ୍ନମୁଖା ଥିଲା। ଟ୍ରାଭିସ୍‌ ହେଡ୍‌ (୯), ମୋଜେସ୍‌ ହେନରିକ୍ସ (୮)ଙ୍କୁ ଯଥାକ୍ରମେ ହାର୍ଦିକ ପାଣ୍ଡ୍ୟା ଏବଂ କୁଲଦୀପ ଯାଦବ ବୋଲ୍‌ଡ କରି ପ୍ୟାଭିଲିଅନ୍‌ ରାସ୍ତା ଦେଖାଇଥିଲେ। ଡାନିଏଲ୍‌ କ୍ରିଷ୍ଟିଆନଙ୍କୁ ବିରାଟ କୋହଲି ରନ୍‌ ଆଉଟ୍‌ କରି ଦେଇଥିଲେ। ୧୮ତମ ଓଭରରେ କିନ୍ତୁ ଯଶପ୍ରୀତ ବୁମରାଙ୍କ ଯୁଗଳ ଝଟ୍‌କା କଙ୍ଗାରୁ ଦଳକୁ ସମ୍ପୂର୍ଣ୍ଣ ବିଧ୍ୱସ୍ତ କରି ଦେଇଥିଲା। ୮ ଜଣଙ୍କ ମଧ୍ୟରୁ ୬ ଜଣ ଅଷ୍ଟ୍ରେଲୀୟ ବୋଲ୍‌ଡ ହେବା ସବୁଠାରୁ ଉଲ୍ଲେଖନୀୟ ଥିଲା। ୧୮.୧ ଓଭରରେ ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍‌ ହରାଇ ୧୧୮ ରନ୍‌ କରିଥିବାବେଳେ ବର୍ଷା ଏହି ପାଳିକୁ ସୀମିତ ରଖିଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ଏବଂ ଯଶପ୍ରୀତ ବୁମରା ୨ ଲେଖାଏଁ, ଭୁବନେଶ୍ୱର କୁମାର, ହାର୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ୍‌ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଅଷ୍ଟ୍ରେଲିଆ ୧୮.୧ ଓଭରରେ ୧୧୮/୮ (ଅରୋନ୍‌ ଫିଞ୍ଚ୍‌-୪୨, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌-୧୭, ଟିମ୍‌ ପାଇନ୍‌-୧୭, କୁଲଦୀପ ଯାଦବ-୪/୧୬, ଯଶପ୍ରୀତ ବୁମରା-୨/୧୭, ୟୁଜବେନ୍ଦ୍ର ଚହଲ୍‌-୧/୨୩, ଭୁବନେଶ୍ୱର କୁମାର-୧/୨୮, ହାର୍ଦିକ ପାଣ୍ଡ୍ୟା-୧/୩୩)। ଭାରତ ୫.୩ ଓଭରରେ ୪୯/୧ (ରୋହିତ ଶର୍ମା-୧୧, ଶିଖର ଧାଓ୍ଵନ-୧୫*, ବିରାଟ କୋହଲି-୨୨*, କୁଲ୍‌ଟନ୍‌ ନାଇଲ୍‌-୧/୨୦)।

ସମ୍ବନ୍ଧିତ ଖବର