ହାମିଲଟନ୍ : ନ୍ୟୁଜିଲାଣ୍ଡର ହାମିଲଟନରେ ସେଡ୍ଡନ ପାର୍କରେ ଅନୁଷ୍ଠିତ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ୩ୟ ଟି-୨୦ ମ୍ୟାଚର ଏକ ରୋମାଞ୍ଚକର ପରିସମାପ୍ତି ଘଟିଛି । ସୁପର ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ସୁପର ଓଭରରେ ଛକା ମାରି ରୋହିତ ଶର୍ମା ଭାରତକୁ ବିଜୟ ଆଣିଦେଇଥିଲେ ।
ଏହା ପୂର୍ବରୁ ଭାରତ ଦ୍ୱାରା ଧାର୍ଯ୍ୟ ୧୮୦ ରନ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୭୯ ରନ ହିଁ କରିବାକୁ ସକ୍ଷମ ହୋଇଥିଲା । ଫଳରେ ମ୍ୟାଚ ଟାଇ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ୍ ୯୫ ରନ କରି ତାଙ୍କ ଦଳର ବିଜୟ ସମ୍ଭାବନାକୁ ଉଜ୍ଜୀବିତ କରିଥିଲେ ହେଁ ଶେଷ ମୁହୂର୍ତ୍ତରେ ଟାଇ ହୋଇଯାଇଥିଲା।ଏହାପରେ ସୁପର ଓଭର ପକାଯାଇ ମ୍ୟାଚ ଫଳାଫଳ ନିର୍ଣ୍ଣୟ ଲାଗି ନିଷ୍ପତ୍ତି ହୋଇଥିଲା।
ସୁପର ଓଭରରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୮ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଭାରତ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବିଜୟ ହାସଲ କରିଥିଲା । ସୁପର ଓଭରର ପ୍ରଥମ ୪ଟି ବଲରେ ଭାରତ ମାତ୍ର ୧୦ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଶେଷ ଦୁଇ ବଲରେ ହିଟମ୍ୟାନ୍ ରୋହିତ ଶର୍ମା ଦୁଇଟି ଛକ୍କା ମାରି ବିଜୟ ଆଣି ଦେଇଥିଲେ। ଏହି ବିଜୟ ଫଳରେ ଭ୍ରମଣକାରୀ ଭାରତ ଚଳିତ ଟି-୨୦ ସିରିଜ ଜିଣିବା ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଟି-୨୦ ସିରିଜ ବିଜୟ ହାସଲ କରିଛି।
ଆଜି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ରୋହିତ ଶର୍ମା ଓ ଲୋକେଶ ରାହୁଲ ଭଲ ମୂଳଦୂଆ ପକାଇଥିଲେ । ଉଭୟ ପ୍ରଥମ ଓ୍ଵିକେଟରେ ୮୯ ରନ ସଂଗ୍ରହ କରିଥିଲେ । କିନ୍ତୁ ଏହା ପରେ ଦଳ ମାତ୍ର ୭ ରନ ବ୍ୟବଧାନରେ ୩ଟି ଓ୍ଵିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ସ୍କୋର ୮୯ ରନ ହୋଇଥିବାବେଳେ ରାହୁଲ ଓ ୯୪ ରନ ବେଳେ ରୋହିତ ଓ ୯୬ ରନ ବେଳେ ଶିଭମ ଦୁବେ ଆଉଟ ହୋଇଥିଲେ । ତେବେ ଅଧିନାୟକ ବିରାଟ କୋହଲି ଓ ଶ୍ରେୟସ ଆୟର ଉପଯୋଗୀ ଇନିଂସ ଖେଳି ଦଳକୁ ବିପଦରୁ ଉଦ୍ଧାର କରି ଏକ ସମ୍ମାନଜନକ ସ୍କୋର ଛିଡ଼ା କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ହାମିଶ ବେନେଟ ୫୪ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Indian-WIn-29_Thumb.jpg)