ବିଶ୍ୱକପରେ ଭାରତ-ଇଣ୍ଡିଜ୍ ମୁକାବିଲା : ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ଟିମ ଇଣ୍ଡିଆ

ମାଞ୍ଚେଷ୍ଟର: ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌‌ରେ ନିଜ ଷଷ୍ଠ ମୁକାବିଲାରେ ଭାରତ ଗୁରୁବାର ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍‌କୁ ଭେଟୁଛି। ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳା ଯାଉଥିବା ଏହି ମ୍ୟାଚରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଅନ୍ୟ ପକ୍ଷରେ ଦଳରେ ଦୁଇଟି ପରିବର୍ତ୍ତନ କରିଛି ୱେଷ୍ଟଇଣ୍ଡିଜ୍‌।

ଭାରତ ମଧ୍ୟ ତା’ର ଅପରାଜେୟ ଧାରା ଅତୁଟ ରଖିବା ଆଶାରେ ରହିଛି। ଭାରତ ପାଞ୍ଚଟି ମୁକାବିଲାରୁ ଚାରିଟିରେ ବିଜୟୀ ହୋଇଥିଲା ବେଳେ ଗୋଟିଏ ବାତିଲ ମ୍ୟାଚ୍‌ରୁ ୧ ପଏଣ୍ଟ ପାଇଛି। ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ଲାଗି କୋହଲି ବାହିନୀକୁ ଆଉ ଦୁଇଟି ବିଜୟ ଦରକାର ରହିଛି। ଅନ୍ୟ ପକ୍ଷରେ ୱେଷ୍ଟଇଣ୍ଡିଜ୍ ମାତ୍ର ଗୋଟିଏ ବିଜୟ ହାସଲ କରିଥିଲା ବେଳେ ୪ଟି ହାରିଛି। ଏହି ଦଳର ଦକ୍ଷିଣ ଆଫ୍ରିକା‌ ବିପକ୍ଷ ମୁକାବିଲାକୁ ମଧ୍ୟ ବର୍ଷା ଧୋଇ ନେଇଥିଲା।

ବିଶ୍ବକପ୍‌ରେ କିନ୍ତୁ ଭାରତ ପଲ୍ଲା ଭାରୀ ରହିଛି। ଉଭୟ ଦଳ ବିଶ୍ବକପ୍‌ରେ ୮ଥର ମୁହାଁମୁହିଁ ହୋଇଥିଲା ବେଳେ ୧୯୮୩ ବିଶ୍ବକପ୍‌ର ଚର୍ଚିତ ଫାଇନାଲ୍ ସହ ଭାରତ ପାଞ୍ଚଟି ମ୍ୟାଚ୍ ଜିତିଛି। ଇଣ୍ଡିଜ୍ ୩ ବିଜୟରେ ସନ୍ତୁଷ୍ଟ ରହିଛି। ମୋଟ ଏକଦିବସୀୟ ମୁହାଁମୁହିଁରେ ଇଣ୍ଡିଜ୍ ସାମାନ୍ୟ ଆଗୁଆ ଅଛି। ୧୨୬ ମ୍ୟାଚ୍‌ରୁ ଭାରତ ୫୯ଟି ଜିତିଥିଲା ବେଳେ ଇଣ୍ଡିଜ୍ ୬୨ଟିରେ ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର