୨ୟ ଦିନିକିଆ: ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ପରାସ୍ତ କଲା ଭାରତ, ୧-୧ରେ ଶୃଙ୍ଖଳା

ମହମ୍ମଦ ସାମି ନେଲେ ୩ ଓ୍ଵିକେଟ୍‌

ରାଜକୋଟ୍‌: ଗୁଜୁରାଟର ରାଜକୋଟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲାରେ ଭାରତର ବ୍ୟାଟସ୍‌ମ୍ୟାନ୍‌ ଓ ବୋଲରମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭାରତ ୩୬ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିଣି ଆଜି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଶିଖର ଧାଓ୍ଵନ ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୩୪୦ ରନ୍‌ ସଂଗ୍ରହ କରିଥିଲା। ଫଳରେ ଅତିଥି ଟିମ୍‌କୁ ମ୍ୟାଚ୍‌ ବିଜୟ ପାଇଁ ୩୪୧ ରନ୍‌ର ଟାର୍ଗେଟ ମିଳିଥିଲା। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୪୧.୧ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୩୦୪ ରନ୍‌ କରିଥିଲା। ଭାରତ ଦ୍ୱିତୀୟ ଦିନିକିଆକୁ ଜିତିବା ପରେ ଶୃଙ୍ଖଳା ଏବେ ୧-୧ରେ ପହଞ୍ଚିଛି। ତୃତୀୟ ତଥା ଅନ୍ତିମ ମୁକାବିଲା ଜାନୁଆରି ୧୯ରେ ବେଙ୍ଗାଲୁରୁରେ ଖେଳାଯିବ।

ଭାରତୀୟ ବୋଲରମାନେ ଆଜି ଘାତକ ବୋଲିଂ କରିଥିଲେ। ମହମ୍ମଦ ସାମି ୭୭ ରନ୍‌ ଖର୍ଚ୍ଚ କରି ୩ଟି ଓ୍ଵିକେଟ ନେଇଥିଲେ। ସେହିପରି ଦ୍ରୁତ ବୋଲର ଯଶପ୍ରୀତ ବୁମରା ଗୋଟିଏ ଓ୍ଵିକେଟ୍‌ ନେଇଥିଲେ ମଧ୍ୟ ନିଜର ଦମ୍‌ଦାର ବୋଲିଂ ବଳରେ ଅଷ୍ଟ୍ରେଲିଆର ରନ୍‌କୁ ନିୟନ୍ତ୍ରଣ କରିପାରି ଥିଲେ। ବୁମ୍‌ରା ୯.୧ ଓଭର ବୋଲିଂ କରି ମାତ୍ର ୩୨ ରନ୍‌ ଦେଇଥିଲେ। ସେହିପରି ନଭଦୀପ ସଇନି, ରବୀନ୍ଦ୍ର ଜାଦେଜା ଓ କୁଲଦୀପ ଯାଦବଙ୍କୁ ୨-୨ ଓ୍ଵିକେଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏହି ୩ ବୋଲରଙ୍କ ଠାରୁ ଅଷ୍ଟ୍ରେଲିଆକୁ ଯଥାକ୍ରମେ ୬୨, ୫୮ ଓ ୬୫ ରନ୍‌ ମିଳିଥିଲା।

ରାଜକୋଟ ଦିନିକିଆକୁ ଜିତିବା ପାଇଁ ଅଷ୍ଟ୍ରେଲିଆର ଖେଳାଳିମାନେ ବହୁତ ସଂଘର୍ଷ କରିଥିଲେ। ଦଳର ଅଭିଜ୍ଞ ବ୍ୟାଟସ୍‌ମ୍ୟାନ୍‌ ଷ୍ଟିଭେନ୍‌ ସ୍ମିଥ ବିସ୍ଫୋରକ ବ୍ୟାଟିଂ କରି ସର୍ବାଧିକ ୯୮ ରନ୍‌ କରିଥିଲେ। ସେ ଶତକ ଆଡ଼କୁ ମୁହାଁଥିବା ବେଳେ କୁଲଦୀପ ଯାଦବ ତାଙ୍କୁ ବୋଲ୍ଡ କରି ପାଭଲିଅନକୁ ପଠାଇଥିଲେ। କଙ୍ଗାରୁ ଟିମ୍‌ର ମାର୍ନସ ଲବୁସାନ୍‌ ୪୬ ରନ୍‌, ଆରୋନ୍‌ ଫିଞ୍ଚ ୩୩ ରନ୍‌, ଆଷ୍ଟନ୍‌ ଆଗର ୨୫ ରନ୍‌, କେନ୍‌ ରିଚାର୍ଡସନ୍‌ ୨୪ ରନ୍‌, ଡେଭିଡ୍‌ ଓ୍ଵାର୍ଣ୍ଣର ୧୫ ରନ୍‌, ଆଷ୍ଟନ୍‌ ଟର୍ନର ୧୩ ରନ୍‌ ଓ ମିଚେଲ ଷ୍ଟାର୍କ ଦଳ ପାଇଁ ୬ ରନ୍‌ କରିଥିଲେ।

ମୁମ୍ବାଇରେ ଖେଳାଯାଇଥିବା ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ ତୁଳନାରେ ଆଜି ଭାରତୀୟ ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ଭଲ ରହିଥିଲା । ୧୩.୩ ଓଭରରେ ଭାରତର ସ୍କୋର ୮୧ ରନ୍‌ ଥିବା ବେଳେ ପ୍ରଥମ ଓ୍ଵିକେଟ ଭାବେ ରୋହିତ ଶର୍ମାଙ୍କୁ ହରାଇଥିଲା। ଅଷ୍ଟ୍ରେଲୀୟ ବୋଲର ଆଦାମ ଜାମ୍ପାଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିବା ପୂର୍ବରୁ ଓପନର ରୋହିତ ଶର୍ମା  ୪୨ ରନ୍‌ କରିଥିଲେ। ସେ  ୪୪ଟି ବଲ ଖେଳି ୬ଟି ଚୌକା ମାରିଥିଲେ। ରୋହିତ ପଡ଼ିଆରୁ ବିଦାୟ ନେବା ପରେ ତାଙ୍କର ସ୍ଥାନ ପୂରଣ କରିଥିଲେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ତେବେ ଶିଖର ଧାଓ୍ଵନଙ୍କ ବ୍ୟାଟରୁ ବେଶ୍  ଆକର୍ଷଣୀୟ  ଖେଳ ଦେଖିବାକୁ ମିଳିଥିଲା । ଧାଓ୍ଵନ ୯୦ ଟି ବଲ ଖେଳି ୧୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୯୬ ରନ୍‌ କରିଥିଲେ। ଶତକ ପାଇଁ ଆଗ୍ରସର ହେଉଥିବା ବେଳେ ଆଦାମ ଜାମ୍ପାଙ୍କ ବଲ ମିଚେଲ ଷ୍ଟାକର୍ସଙ୍କୁ କ୍ୟାଚ୍‌ ଦେଇ ସେ ଅଷ୍ଟ୍ରେଲିଆର ଦ୍ୱିତୀୟ ଶିକାର ହୋଇଥିଲେ।

Photo: Hindustan Times

ଭାରତ ୨୮.୪ ଓଭରରେ ଦ୍ୱିତୀୟ ଓ୍ଵିକେଟ୍‌ ହରାଇବା ପରେ ପଡ଼ିଆକୁ ପ୍ରବେଶ କରିଥିଲେ ଯୁବ ବ୍ୟାଟସ୍‌ମ୍ୟାନ ଶ୍ରେୟସ ଆୟର। ମାତ୍ର ଆୟର କ୍ରିଜ୍‌ରେ ବେଶି ସମୟ ତିଷ୍ଠି ପାରି ନଥିଲେ। ଆଦାମ ଜାମ୍ପାଙ୍କ ଦ୍ୱାରା ବୋଲ୍ଡ ହୋଇ ପଡ଼ିଆରୁ ବିଦାୟ ନେଇଥିଲେ। କିନ୍ତୁ ଏହା ପୂର୍ବରୁ ସେ ୧୭ଟି ବଲ ଖେଳି ଦଳ ପାଇଁ ୭ ରନ୍‌ ଯୋଡ଼ିଥିଲେ। ଏଥିରେ ଗୋଟିଏ ଚୌକା ସାମିଲ ଥିଲା। ୪୩.୧ ଓଭରରେ ଦଳୀୟ ସ୍କୋର ୨୭୬ ରନ୍‌ ଥିବା ବେଳେ ଭାରତ ୪ର୍ଥ ଓ୍ଵିକେଟ ଭାବେ ବିରାଟ କୋହଲିଙ୍କୁ ହରାଇ ଥିଲା। କୋହଲି ମଧ୍ୟ ଦର୍ଶକଙ୍କୁ ଖୁସି କଲା ଭଳି ବ୍ୟାଟିଂ କରିଥିଲେ। ସେ ୭୬ଟି ବଲ ଖେଳି ୭୮ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା।

ଅଭିଜ୍ଞ ବ୍ୟାଟସ୍‌ମ୍ୟାନ୍‌ ଲୋକେଶ ରାହୁଲଙ୍କୁ ମଧ୍ୟ ଆଜି ଉଗ୍ର ରୂପରେ ଦେଖିବାକୁ ମିଳିଥିଲା। ସେ ୫୨ଟି ବଲ ଖେଳି ୮୦ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ଓ ୩ଟି ଚୌକା ସାମିଲ ଥିଲା। ଆଲେକ୍ସ କ୍ୟାରିଙ୍କ ଦ୍ୱାରା ଲୋକେଶ ରାହୁଲ ରନ୍‌ ଆଉଟ୍‌ ହୋଇଥିଲେ। ଭାରତ ୨୮୦ ରନ୍‌ରେ ୫ମ ଓ୍ଵିକେଟ୍‌ (ମନୀଷ ପାଣ୍ଡେ) ଓ ୩୩୮ ରନ୍‌ରେ ୬ଷ୍ଠ ଓ୍ଵିକେଟ (ଲୋକେଶ ରାହୁଲ) ହରାଇଥିଲା। ରବୀନ୍ଦ୍ର ଜାଜେଦା ଅପରାଜିତ ୨୦ ରନ୍‌ ଓ ମହମ୍ମଦ ସାମି ଅପରାଜିତ ୧ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ଆଦାମ ଜାମ୍ପା ୩ଟି ଓ୍ଵିକେଟ ନେଇଥିବା ବେଳେ କେନ୍‌ ରିଚାର୍ଟସନ୍‌ ୨ଟି ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର