ରୋହିତ ଦେଲେ ଦୀପାବଳି ଉପହାର:ୱେଷ୍ଟଇଣ୍ଡିଜ୍ ୭୧ ରନ୍‌ରେ ପରାସ୍ତ, ଶୃଙ୍ଖଳା ଜିତିଲା ଭାରତ

୪ ଶତକ ମାରିବାରେ ବିଶ୍ବର ପ୍ରଥମ ବ୍ୟାଟ୍‌ସମ୍ୟାନ୍‌

ଲକ୍ଷ୍ନୌ: ଆଲୋକର ପର୍ବ ‘ଦୀପାବଳି’ ପାଇଁ ସମଗ୍ର ଭାରତ ବର୍ଷ ବୁଧବାର ରଙ୍ଗ ବେରଙ୍ଗର ଆତସବାଜିରେ ଝଲସି ଉଠିବ। ଭାରତୀୟ ଅଧିନାୟକ ରୋହିତ ଶର୍ମା (୧୧୧*, ୬୧ ବଲ୍, ୮ ଚୌକା, ୭ ଛକା)ଙ୍କ ଚୌକା, ଛକା ବର୍ଷା ପାଇଁ କିନ୍ତୁ ଲକ୍ଷ୍ନୌ କ୍ରିକେଟ୍ ପ୍ରେମୀ ଦିନକ ପୂର୍ବରୁ ଦୀପାବଳିର ମଜା ଉଠାଇଛନ୍ତି। ରୋହିତ ରୋମାଞ୍ଚ ବଳରେ ହିଁ ଭାରତୀୟ କ୍ରିକେଟ୍ ଦଳ ମଙ୍ଗଳବାର ରାତିରେ ୱେଷ୍ଟଇଣ୍ଡିଜକୁ ୭୧ ରନ୍‌ରେ ହରାଇଛି। ତା’ ସହ ଦେଶବାସୀଙ୍କୁ ଆ‌ଉ ଏକ ଶୃଙ୍ଖଳା ବିଜୟ ଉପହାର ଦେଇଛି। ସେଥିପାଇଁ ଅନେକ ଭାରତୀୟ କ୍ରିକେଟ୍ ପ୍ରେମୀ ଆଗୁଆ ଦୀପାବଳି ପାଳନ କରିଛନ୍ତି।
ଟ୍ବେଣ୍ଟି-୨୦ରେ ଭାରତ ଆଜି ଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଥର ପାଇଁ ଲଗାତାର ବିଜୟ ହାସଲ କରିଥିଲା। ଫଳରେ ୨-୦ରେ ଆଗୁଆ ସହ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ବିଜୟୀ ହୋଇଥିଲା। ଶୃଙ୍ଖଳାର ତୃତୀୟ ତଥା ‌ଶେଷ ମୁକାବିଲା ଚେନ୍ନାଇରେ ଆସନ୍ତା ରବିବାର ଖେଳାଯିବ। ତେବେ ଏହାର ଫଳାଫଳ ଭାରତର ଶୃଙ୍ଖଳା ବିଜୟକୁ ରୋକିପାରିବ ନାହିଁ। ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ଭାରତ ଆଜି ରୋହିତଙ୍କ ଚିତ୍ତାକର୍ଷକ ଶତକ ବଳରେ ନିର୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ଜବାବରେ ଇଣ୍ଡିଜ୍ ୯ ୱିକେଟ୍ ବିନିମୟରେ ମାତ୍ର ୧୨୪ ରନ୍ କରି କ୍ରମାଗତ ପରାଜୟ ବରଣ କରିଥିଲା। ରୋହିତ ତାଙ୍କ କୀର୍ତ୍ତିମାନଭରା ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଲକ୍ଷ୍ନୌର ନବନିର୍ମିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମଙ୍ଗଳବାର ରୋହିତ ରୋମାଞ୍ଚ ଦେଖିବାକୁ ମିଳିଥିଲା। ଏଠାରେ ଭାରତୀୟ ଅଧିନାୟକ ରୋହିତ କରିଥିବା ରନ୍ ବର୍ଷାରେ ୱେଷ୍ଟଇଣ୍ଡିଜ୍ ପୂରା ବୁଡ଼ିଯାଇଥିଲା। ଶିଖର ଧାୱନ ( ୪୩ ରନ୍, ୪୧ ବଲ୍, ୩ ଚୌକା)ଙ୍କ ସହ ପାଳି ଆରମ୍ଭ କରିଥିବା ରୋହିତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିଭଳି ନିଜ ବିସ୍ଫୋରକ ପାଳି ଭିତରେ ବ୍ୟକ୍ତିଗତ ଭାବେ ଏକାଧିକ କୀର୍ତ୍ତିମାନର ଅଧିକାରୀ ହେବା ସହ ଭାରତ ସ୍କୋରକୁ ୧୯୫/୨ରେ ପହଞ୍ଚାଇ ଦେଇଥିଲେ। ୧୬ ରନ୍‌ରେ ପହଞ୍ଚିଲା ବେଳେ ଟ୍ବେଣ୍ଟି-୨୦ରେ ଭାରତର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇ ଯାଇଥିଲେ ରୋହିତ। ତିନି ଅଙ୍କ ଛୁଇଁଲା କ୍ଷଣି ବିଶ୍ବର ପ୍ରଥମ ଖେଳାଳି ଭାବେ ଟ୍ବେଣ୍ଟି-୨୦ରେ ଚାରିଟି ଶତକ ଅର୍ଜନ କରି ନେଇଥିଲେ ସେ । ସେହିଭଳି ପ୍ରଥମ ଅଧିନାୟକ ଭାବେ ଟ୍ବେଣ୍ଟି-୨୦ରେ ଦୁଇଟି ଶତକ ହାସଲ କରିଥିଲେ ମୁମ୍ବାଇର ଏହି ମହାନ ଖେଳାଳି। ରୋହିତ ତାଙ୍କ ସ୍ମରଣୀୟ ପାଳିରେ ୮ ଚୌକା ଏବଂ ୭ ବିଶାଳ ଛକା ମାରିଥିଲେ। ୩୮ ବଲ୍‌ରୁ ଅର୍ଧଶତକ ପୂରଣ କରିବା ପରେ ୫୮ ବଲ୍‌ରୁ ଶତକ ଛୁଇଁଥିଲେ। ଆଜି ଧାୱନ-ରୋହିତ ଯୋଡ଼ି ପ୍ରଥମ ୱିକେଟ୍‌ରେ ୧୨୩ ରନ୍ ସଂଗ୍ରହ କରି ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଦାୟିତ୍ବବାନ ବ୍ୟାଟ୍ସମ୍ୟାନ୍ ଭାବେ ଭଲ ବୋଲିଂ କରୁଥିବା ଇଣ୍ଡିଜ୍ ଦ୍ରୁତ ବୋଲର ଓସାନେ ଥୋମାସ (୪-୧-୨୭-୦)ଙ୍କୁ ସମ୍ମାନ ଜଣାଇଥିଲେ ଉଭୟ। ହେଲେ ଅନ୍ୟ ସବୁ ବୋଲରଙ୍କୁ ନିଧୁର୍ମ ଛେଚିଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ଧାୱନ ମାତ୍ର ୭ ରନ୍ ପାଇଁ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ସେହିଭଳି ତୃତୀୟ ସ୍ଥାନକୁ ପଦୋନ୍ନତି ପାଇଥିବା ଋଷବ ପନ୍ତ (୫) ପୂରା ବିଫଳ ହୋଇଥିଲେ। ହେଲେ ରୋହିତ ଆଦୌ ଥମି ନଥିଲେ। ଧାୱନ, ପନ୍ତ ହାତଛାଡ଼ିବା ପରେ ଲୋକେଶ ରାହୁଲ (୨୬*, ୧୪ ବଲ୍, ୨ ଚୌକା, ୧ ଛକା)ଙ୍କୁ ଧରି ଭାରତର ରନ୍ ଗତିକୁ ବଢ଼ାଇ ଚାଲିଥିଲେ। ତାଙ୍କ ଉଗ୍ର ରୂପ ପାଇଁ ଭାରତ ଶେଷ ୧୦ ଓଭରରେ ୧୧୨ ରନ୍ ଅମଳ କରିଥିଲା। ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଇଣ୍ଡିଜ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ମ୍ୟାଚ୍ ହାତଛଡ଼ା କରିଥିଲା। ଡାରେନ୍ ବ୍ରାଭୋ କରିଥିବା ୨୩ ରନ୍ ଏହି ଦଳର ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା। ଭାରତ ପକ୍ଷରୁ ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ବାଣ୍ଟି ନେଇଥିଲେ। ମଙ୍ଗଳବାର ଭାରତର ୫୨ତମ ଅନ୍ତର୍ଜାତୀୟ ଷ୍ଟାଡିୟମ ହୋଇଥିବା ଲକ୍ଷ୍ନୌର ବାଜପେୟୀ ଷ୍ଟାଡିୟମ ରୋହିତଙ୍କ ପାଇଁ ସବୁଦିନ ପାଇଁ ସ୍ମରଣୀୟ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର