ଭାରତ ୨୨୪ ରନ୍‌ରେ ଜିତି ଶୃଙ୍ଖଳାରେ ସୁରକ୍ଷିତ:ରୋହିତ-ରାୟୁଡୁ ରୋମାଞ୍ଚ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ବିଜୟ ଧାରାକୁ ଫେରିଛି। ଦ୍ବିତୀୟ ଏବଂ ତୃତୀୟ ଦିନିକିଅାରେ ୱେଷ୍ଟଇଣ୍ଡିଜଠାରୁ ‌େଜାରଦାର ଟକ୍କର ପାଇଥିବା ଭାରତ ସୋମବାର ଚତୁର୍ଥ ଦିନିକିଆକୁ ୨୨୪ ରନ୍‌ର ବୃହତ୍ ବ୍ୟବଧାନରେ ଜିତି ନେଇଛି। ଫଳରେ ପାଞ୍ଚ ମ୍ୟାଚ୍ ବିଶି‌ଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଛି। ସେଥିପାଇଁ ଥିରୁବନ୍ତପୁରମରେ ଗୁରୁବାର ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ଦିନିକିଆର ରୋମାଞ୍ଚ ବଢ଼ି ଯାଇଛି। ଏହି ମ୍ୟାଚ୍‌ରେ ଇଣ୍ଡିଜ୍ ପାଇଁ ଶୃଙ୍ଖଳା ସମାନ ସ୍ତରକୁ ଆଣିବାକୁ ସୁଯୋଗ ରହିବ। ଅନ୍ୟପକ୍ଷରେ ଭାରତ ପାଇଁ ୩-୧ରେ ଶୃଙ୍ଖଳା ବିଜୟର ବିକଳ୍ପ ଖୋଲା ରହିବ। ଭାରତ ଆଜି ଇଣ୍ଡିଜ୍‌କୁ ୩୭୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଇଣ୍ଡିଜ୍ ଭାରତୀୟ ବୋଲରଙ୍କ ଆଗରେ ଆଣ୍ଠେଇ ୧୫୩ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଭାରତ ଦିନିକିଆରେ ତୃତୀୟ ସର୍ବବୃହତ୍ ଏବଂ କୌଣସି ଟେଷ୍ଟ୍‌ ଖେଳୁଥିବା ଦେଶ ବିପକ୍ଷରେ ସର୍ବବୃହତ୍ ବିଜୟ (ରନ୍ ବ୍ୟବଧାନରେ) ହାସଲ କରିଥିଲା। ‌ରୋହିତ ଶର୍ମା ଏକାକି ୧୬୨ ରନ୍ କରିଥିଲା ବେଳେ ଇଣ୍ଡିଜ୍‌ର ୧୦ ଜଣ ଯାକ ବ୍ୟାଟ୍ସମ୍ୟାନ ମିଶି ତାଙ୍କଠାରୁ ୯ ରନ୍ କମ୍ କରିଥିଲେ। ରୋହିତ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
 ଖଲିଲ-କୁଲଦୀପ କମାଲରେ ଇଣ୍ଡିଜ୍ ୧୫୩
ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ୩୭୮ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ମାତ୍ର ୫୭ ରନ୍‌ରେ ଅଧା ଦଳ ହରାଇ ସଙ୍କଟରେ ପଡ଼ିଥିଲା। ଅଧିନାୟକ ଜାସନ ହୋଲ୍ଡର (୫୪*) ଯାହା କିଛି ସମୟ ପାଇଁ ଭାରତୀୟ ବୋଲରଙ୍କୁ ପ୍ରତିରୋଧ କରି ପାରିଥି‌େଲ। ଶୀର୍ଷକ୍ରମରେ ସାଇ ହୋପ୍ (୦) ଓ କିରଣ ପାୱେଲ (୪) ରନ୍ଆଉଟ୍ ହେବା ହିଁ ଏହି ଦଳର ବିପର୍ଯ୍ୟୟର ପ୍ରମୁଖ କାରଣ ଥିଲା। ସେହିଭଳି ଭାରତୀୟ ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ (୮.୨-୦-୪୨-୩) ଓ ଦ୍ରୁତ ବୋଲର ଖଲିଲ ଅହମ୍ମଦ (୫-୦-୧୩-୩)ଙ୍କୁ ପଢ଼ି ନପାରିବା ଇଣ୍ଡିଜ୍ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ଫଳ‌େର ଏହି ଦଳ ୩୬.୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୫୩ ରନ୍ କରି ପାରିଥିଲା। ୱେଷ୍ଟଇଣ୍ଡିଜର ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଭୁବନେଶ୍ବର କୁମାର ଏବଂ ରବୀନ୍ଦ୍ର ଜାଦେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ଦ୍ବିତୀୟ ଏବଂ ତୃତୀୟ ଦିନିକିଆରେ ଲଢ଼ୁଆ ବ୍ୟାଟିଂ କରିଥିବା ସିମରନ୍ ହେଟମେୟର ଆଜି ୧୩ ରନ୍ ଆଗକୁ ବଢ଼ି ପାରି ନଥିଲେ।
 ଯୁଗଳ ଶତକରେ ଭାରତ ୩୭୭/୫
ଶୃଙ୍ଖଳାରେ ଚତୁର୍ଥ ଥର ପାଇଁ ଟସ୍ ଜିତିବା ସହ ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (୩୮) ଭଲ ଆରମ୍ଭ ପାଇଥି‌ଲେ। ହେଲେ ପୁଣି ଥରେ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରିବାକୁ ବିଫଳ ହୋଇଥିଲେ। ଅନ୍ୟପଟେ କେମାର ରୋଚ୍‌ଙ୍କ ଶିକାର ହୋଇ କୋହଲି (୧୬) କ୍ରମାଗତ ଚତୁର୍ଥ ଶତକରୁ ବଞ୍ଚିତ ହୋଇଥିଲେ। ହେଲେ ଅମ୍ବାତି ରାୟୁଡୁ (୧୦୦ ରନ୍, ୮୧ ବଲ୍, ୮ ଚୌକା, ୪ ଛକା) ଶତକୀୟ ପାଳି ଖେଳି କୋହଲିଙ୍କ ୱିକେଟ୍ ରୂପରେ ହୋଇଥିବା ବଡ଼ କ୍ଷତିକୁ ଭରଣା କରି ନେଇଥିଲେ। ଭାରତୀୟ ପାଳିର ମେରୁଦଣ୍ଡ କିନ୍ତୁ ଥିଲା ରୋହିତ ଶର୍ମା (୧୬୨ ରନ୍, ୧୩୭ ବଲ୍, ୨୦ ଚୌକା, ୪ ଛକା)ଙ୍କ ଦର୍ଶନୀୟ ବ୍ୟାଟିଂ। ସେ ଦ୍ରୁତ ଗତିରେ ଆଉ ଏକ ଦ୍ବିଶତକ ଆଡ଼େ ଅଗ୍ରସର ହେଉଥିଲା ବେଳେ ଆସଲେ ନର୍ସ ତାଙ୍କୁ ଚନ୍ଦ୍ରପଲ୍ ହେମରାଜଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ତେବେ ଏହା ପୂର୍ବରୁ‌ ରୋହିତ ସର୍ବାଧିକ ସପ୍ତମ ଥର ପାଇଁ ଦିନିକିଆରେ ଦେଢ଼ ଶହରୁ ଅଧିକ ରନ୍ କରି ନେଇଥିଲେ। ସୋମବାର ସେ ନିଜ ୨୧ତମ ଶତକ ହାସଲ କରିଥିଲେ। ରୋହିତ-ଅମ୍ବାତି ମିଶି ତୃତୀୟ ୱିକେଟ୍‌ରେ ୨୧୧ ରନ୍ ଯୋଡ଼ିଥିଲେ। ୱିକେଟ୍ ବଞ୍ଚାଇବା ସହ ଉଭୟ ରନ୍ ସଂଗ୍ରହ ହାରକୁ କମିବାକୁ ଦେଇ ନଥିଲେ। ଅମ୍ବାତି ତୃତୀୟ ଶତକ ପୂରଣ କରିବାର ପରେ ପରେ ରନ୍ ଆଉଟ୍ ହୋଇ ଯାଇଥିଲେ। ଏହି ଦୁଇ ଜଣଙ୍କ ସହ ମହେନ୍ଦ୍ର ସିଂହ ଧୋ‌ନି (୨୩ ରନ୍, ୧୫ ବଲ୍, ୨ ଚୌକା) ଓ କେଦାର ଯାଦବ (୧୬* ରନ୍, ୭ ବଲ୍, ୩ ଚୌକା)ଙ୍କ ଛୋଟ ହେଲେ ଦ୍ରୁତ ପାଳି ପାଇଁ ଭାରତ ଶେଷ ୧୦ ଓଭରରୁ ୧୧୬ ରନ୍ ସଂଗ୍ରହ କରିଥିଲା।

ସମ୍ବନ୍ଧିତ ଖବର