ଭାରତ ଜିତିଲା ମହିଳା ହକି ଶୃଙ୍ଖଳା:ଚତୁର୍ଥ ମ୍ୟାଚ୍‌ରେ ମାଲେସିଆ ପରାଜିତ

କ୍ବାଲା‌ଲମ୍ପୁର: ମାଲେସିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶି‌ଷ୍ଟ ହକି ଶୃଙ୍ଖଳାକୁ ଭାରତ ଗୋଟିଏ ମ୍ୟାଚ୍ ପୂର୍ବରୁ ୩-୦ରେ ଜିତି ନେଇଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ବିଜୟୀ ହୋଇ ୨-୦ରେ ଆଗୁଆ ରହିବା ପରେ ସୋମବାର ଖେଳାଯାଇଥିବା ତୃତୀୟ ମୁକାବିଲାକୁ ଭାରତ ୪-୪ରେ ଅମୀମାଂସିତ ରଖିଥିଲା। ହେଲେ ବୁଧବାରର ଚତୁର୍ଥ ମୁକାବିଲାକୁ ୧-୦ରେ ଜିତି ନେଇ ପୁଣି ଥରେ ବିଜୟ ଧାରାକୁ ଫେରିବା ସହ ଶୃଙ୍ଖଳା ଜିତିବାର ଯୁଗଳ ସଫଳତା ଲାଭ କରିଥିଲା। ଆଜିର ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ ପକ୍ଷରୁ ଉଦୀୟମାନ ତାରକା ଲାଲରେମସିଆମି ଖେଳ ଶେଷ ହେବାର ମାତ୍ର ୫ ମିନିଟ୍ ପୂର୍ବରୁ ମ୍ୟାଚ୍‌ର ଏକମାତ୍ର ଏବଂ ବିଜୟସୂଚକ ଗୋଲ୍ ଦେଇଥିଲେ। ଦ୍ବିପାକ୍ଷିକ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମୁକାବିଲା ଗୁରୁବାର ଖେଳାଯିବ।
ବୁଧବାର ମାଲେସିଆ ଦୃଢ଼ ଆରମ୍ଭ କରିଥିଲା। ପ୍ରଥମ ମିନିଟ୍‌ରେ ପେନାଲ୍ଟି କର୍ନର ଅର୍ଜନ କରି ଭାରତ ଉପରେ ଚାପ ସୃଷ୍ଟି କରିଥିଲା। ହେଲେ ଭାରତର ସଜାଗ ରକ୍ଷଣଭାଗ ଘରୋଇ ଦଳର ଏହି ପ୍ରୟାସକୁ ନିଷ୍ଫଳ କରି ଦେଇଥିଲା। ଗୋଲ୍‌ରକ୍ଷିକା ସବିତା ବି ଚତୁରତାର ସହ ବଲ୍‌କୁ ଗୋଲ୍ ପୋଷ୍ଟ୍‌ ଭିତରକୁ ଯିବାକୁ ଦେଇ ନଥିଲେ। ଭାରତ ମଧ୍ୟ ଦ୍ବିତୀୟ ମିନିଟ୍‌ରେ ଅନୁରୂପ ଭାବେ ଏକ ପେନାଲ୍ଟି କର୍ନର ଫାଇଥିଲା। ହେଲେ ଏହାକୁ ଗୋଲ୍‌ରେ ରୂପାନ୍ତର କରି ପାରି ନଥିଲା। ଘନ ଘନ ଆକ୍ରମଣ ଓ ପ୍ରତି ଆକ୍ରମଣ ସତ୍ତ୍ବେ ଉଭୟ ଦଳ ପ୍ରଥମ ତିନି କ୍ବାର୍ଟରରେ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ତେବେ ଚତୁର୍ଥ କ୍ବାର୍ଟରରେ ଭାରତ ବାଜି ମାରି ନେଇଥିଲା। ନଭନୀତ କୌରଙ୍କ ପାସକୁ ଗୋଲ୍ ପୋଷ୍ଟ୍‌ ଭିତରକୁ ପଠାଇ (୫୫ ମିନିଟ୍) ଲାଲରେମସିଆମି ଭାରତକୁ ଆଗୁଆ କରି ଦେଇଥଲେ। ବଳକା ପାଞ୍ଚ ମିନିଟ୍‌ରେ ମାଲେସିଆ ଏହାକୁ ଶୁଝି ନପାରି ଶୃଙ୍ଖଳାରେ ତୃତୀୟ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ଭାରତ ନିଜ ଅପରାଜେୟ ଧାରାକୁ ଅତୁଟ ରଖିଥିଲା। ଭାରତ ଗୁରୁବାର ଏହି ଶୃଙ୍ଖଳାର ଶେଷ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧିତ ଖବର