ପୋଲାଣ୍ଡ୍‌କୁ ୧୦-୦ରେ ହରାଇଲା ଭାରତ, ଆଜି ଫାଇନାଲ୍‌ରେ କୋରିଆକୁ ଭେଟିବ

ଇଫୋ (ମାଲେସିଆ): ଚଳିତ ଆଜ୍‌ଲାନ୍‌ ଶାହା କପ୍‌ ହକି ପ୍ରତିଯୋଗିତାର ଫାଇନାଲ୍‌ ସ୍ଥାନ ପକ୍କା କରିସାରିଥିବା ଭାରତ ଶୁକ୍ରବାର ପଞ୍ଚମ ତଥା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ବୃହତ୍‌ ବିଜୟ ହାସଲ କରିଛି। ବିଶ୍ବ ମାନ୍ୟତାର ପଞ୍ଚମ ଭାରତ ଶୁକ୍ରବାର ଗୋଲ୍‌ ବର୍ଷା କରି ନିଜଠୁ କମ୍‌ ମାନ୍ୟତା ପୋଲାଣ୍ଡ୍‌ (ବିଶ୍ବ ମାନ୍ୟତାର ୨୧)କୁ ୧୦-୦ରେ ପରାସ୍ତ କରିଦେଇଛି। ପୂର୍ବରୁ ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିସାରିଥିବାରୁ ପୋଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ ଭାରତ ପାଇଁ ଗୁରୁତ୍ବହୀନ ରହିଥିଲା। ତଥାପି ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇ ଗୋଲ୍‌ ବର୍ଷା କରିଥିଲା। ବରୁଣ କୁମାର ଓ ମନ୍‌ଦୀପ୍‌ ସିଂହ ୨ ଲେଖାଏଁ ଗୋଲ୍‌ କରିଥିଲା ବେଳେ ଅନ୍ୟ ୬ ଜଣ ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ି ବ୍ୟବଧାନ ବଢ଼ାଇଥିଲେ। ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ହିଁ ବି‌ବେକ ସାଗର ପ୍ରସାଦ ଗୋଲ୍‌ ଅଭିଯାନ ଆରମ୍ଭ କରିବା ପରେ ସପ୍ତମ ମିନିଟ୍‌ରେ ସୁମିତ କୁମାର (କନିଷ୍ଠ), ୧୮ ଓ ୨୫ ମିନିଟ୍‌ରେ ବରୁଣ କୁମାର, ୧୯ ମିନିଟ୍‌ରେ ସୁରେନ୍ଦ୍ର କୁମାର, ୨୯ ମିନିଟ୍‌ରେ ସିମ୍ରନ୍‌ଜିତ୍‌ ସିଂହଙ୍କ ଗୋଲ୍‌ ବଳରେ ଭାରତ ମଧ୍ୟାନ୍ତର ବେଳକୁ ୬-୦ର ଅଗ୍ରଣୀ ପାଇଯାଇଥିଲା। ଏହାପରେ ଦ୍ବିତୀୟାର୍ଧରେ ଆଉ ୪ ଗୋଲ୍‌ ଲଦି ଦେଇଥିଲା। ସେଥିରୁ ୩୬ ମିନିଟ୍‌ରେ ନୀଳକଣ୍ଠ ଶର୍ମା, ୫୦ ଓ ୫୧ ମିନିଟ୍‌ରେ ମନଦୀପ୍‌ ସିଂହ ଏବଂ ୫୫ ମିନିଟ୍‌ରେ ଓଡ଼ିଆ ତାରକା ଅମିତ୍‌ ରୋହିଦାସ ଗୋଲ୍‌ କରି ଭାରତକୁ ବୃହତ୍‌ ବିଜୟ ଭେଟି ଦେଇଥିଲେ। ମନ୍‌ଦୀପ୍‌ ପ୍ରତିଯୋଗିତାରେ ଦ୍ବିତୀୟ ଥର ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥି ସହିତ ପ୍ରତିଯୋଗିତାରେ ଅପରାଜେୟ ଧାରାକୁ ଲମ୍ବାଇ ସର୍ବାଧିକ ୧୩ ପଏଣ୍ଟ୍‌ ସହ ପାଞ୍ଚ ଥର ବିଜେତା ଭାରତ ପଏଣ୍ଟ୍‌ ତାଲିକାର ଶୀର୍ଷରେ ରହି ଫାଇନାଲ୍‌ ପାଇଁ ପ୍ରସ୍ତୁତି ଶେଷ କରିଛି। ପୋଲାଣ୍ଡ୍‌ ମୁକାବିଲା ପୂର୍ବରୁ କୋରିଆ ସହ ପଏଣ୍ଟ୍‌ ବାଣ୍ଟିଥିବା ଭାରତ ଜାପାନକୁ ୨-୦, ଆୟୋଜକ ମାଲେସିଆକୁ ୪-୨ ଓ କାନାଡାକୁ ୭-୩ ଗୋଲ୍‌ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ପୋଲାଣ୍ଡ୍‌ ବିଜୟଶୂନ୍ୟ ରହି ଅଭିଯାନ ଶେଷ କରିଛି।

ଆସନ୍ତାକାଲି (ଶନିବାର) ଫାଇନାଲ୍‌ରେ ଭାରତର ମୁକାବିଲା କୋରିଆ ସହ ହେବ। କୋରିଆ ଶୁକ୍ରବାର ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଜାପାନକୁ ୪-୨ ଗୋଲ୍‌ରେ ପରାସ୍ତ କରିଦେଇଛି। ସମାନ ସଂଖ୍ୟକ ବିଜୟ ଓ ପଏଣ୍ଟ୍‌ ସତ୍ତ୍ବେ ଗୋଲ୍‌ ବ୍ୟବଧାନରେ କୋରିଆ ଦ୍ବିତୀୟ ସ୍ଥାନରେ ରହିଛି। ଚଳିତ ୬ ଦଳୀୟ ପ୍ରତିଯୋଗିତାରେ ୫ ଲିଗ୍‌ ମ୍ୟାଚ୍‌ରୁ ୪ ବିଜୟ ପାଇଥିବା ଭାରତ କେବଳ କୋରିଆ ସହ ପଏଣ୍ଟ୍‌ ବାଣ୍ଟିଥିଲା। ତେଣୁ ଫାଇନାଲ୍‌ରେ କୋରିଆକୁ ପରାସ୍ତ କଲେ ଭାରତ ଷଷ୍ଠ ଥର ପାଇଁ ଆଜ୍‌ଲାନ୍‌ ଶାହା କପ୍‌ ହାତେଇବ। ପୁଣି ୨୦୧୦ ପରେ ମଧ୍ୟ ଭାରତ ପ୍ରଥମ ଥର ବିଜେତା ହେବ। ଶେଷ ଥର ପାଇଁ ଭାରତ ୨୦୧୦ରେ ବିଜେତା ହୋଇଥିଲା। ସଂଯୋଗବଶତଃ ୨୦୧୦ ଫାଇନାଲ୍‌ର ପ୍ରତିଦ୍ବନ୍ଦ୍ବୀ ଭାରତ ଓ କୋରିଆ ରହିଥିଲେ। ହେଲେ ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହୋଇଯିବାରୁ ଯୁଗ୍ମ ବିଜେତା ହୋଇଥିଲେ। ଅଷ୍ଟ୍ରେଲିଆ ସର୍ବାଧିକ ୧୦ ଥର ବିଜେତା ହୋଥିଲା ବେଳେ ଭାରତ ଦ୍ବିତୀୟ ସର୍ବାଧିକ ସଫଳ ଦଳ ଭାବେ ୫ ଥର ଆଜ୍‌ଲାନ୍‌ ଶାହା କପ୍‌ ଜିତିସାରିଛି।

ସମ୍ବନ୍ଧିତ ଖବର