ଭାରତୀୟ କ୍ରିକେଟ୍‌ରଙ୍କ ଶାରୀରିକ ପରୀକ୍ଷା ସବୁଠୁ ଖରାପ

ମୁମ୍ବାଇ: ଭାରତୀୟ ଖେଳାଳିଙ୍କ ପାଇଁ ଆୟୋଜିତ ହେଉଥିବା ୟୋ ୟୋ ଶାରୀରିକ ପରୀକ୍ଷାକୁ ନେଇ ଢେର ଚର୍ଚା ହେଉଛି। ଯଦି ଅନ୍ୟ ଅନ୍ତର୍ଜାତୀୟ ଦଳର ମାନଦଣ୍ଡ ଦେଖାଯିବ ତେବେ ଭାରତୀୟଙ୍କ ପ୍ରଦର୍ଶନ ସବୁଠୁ ନିମ୍ନରେ ରହିଛି। ବିଶ୍ୱ କ୍ରିକେଟ୍‌ର ଅନ୍ୟ ଦେଶଗୁଡ଼ିକ ଢେର ଆଗରେ ଅଛନ୍ତି ବିସିସିଆଇର ମାନଦଣ୍ଡଠାରୁ। ଏପରିକି ପାକିସ୍ତାନ ଦଳର ଶାରୀରିକ ପରୀକ୍ଷାର ସ୍ତର ବି ଭାରତଠାରୁ ଆଗରେ ରହିଛି। ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍‌ ଅନ୍ୟୁନ ୧୯ ନମ୍ବର ଧାର୍ଯ୍ୟ ରଖିଛନ୍ତି। ଅଷ୍ଟ୍ରେଲିଆ କିନ୍ତୁ ଏହାକୁ ୪ ବର୍ଷ ତଳୁ ବନ୍ଦ କରି ଦେଇଛି। ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ପାଇଁ ୧୮.୫ ଥିବାବେଳେ ଶ୍ରୀଲଙ୍କା ପାଇଁ ୧୭.୪ ଏବଂ ପାକିସ୍ତାନ ମଧ୍ୟ ସମାନ ୧୭.୪ ମାର୍କ ରହିଛି। ଅଲଗା ଖେଳାଳିଙ୍କ ପାଇଁ ଅଲଗା ମାର୍କ ରଖିଥିବା କଥା ପଦାକୁ ଆଣିବାକୁ ଦକ୍ଷିଣ ଆଫ୍ରିକା ମନା କରି ଦେଇଛି। ଅଷ୍ଟ୍ରେଲିଆ ଏବେ ୨ କିଲୋମିଟର୍‌ ଟାଇମ୍‌ ଟ୍ରାଏଲ୍‌କୁ ଆଧାର କରିଛି।

କିନ୍ତୁ ଶାରୀରିକ ପରୀକ୍ଷା ମାର୍କ ବ୍ୟବସ୍ଥା ୪ ବର୍ଷ ତଳେ ବନ୍ଦ ବେଳକୁ ଏହା ଅନ୍ୟୁନ ୧୯ ଥିଲା ବୋଲି ଗ୍ରେଗ୍‌ ଚାପେଲ୍‌ ସ୍ୱୀକାର କରିଛନ୍ତି। ବିସିସିଆଇ କିନ୍ତୁ ଭାରତୀୟ ଖେଳାଳିଙ୍କ ପାଇଁ ଏବେ ରଖିଥିବା ମାର୍କ ହେଉଛି ୧୬.୧। ଭାରତୀୟ କ୍ରିକେଟ୍‌ର ସମସ୍ତ ୪ ବିଭାଗ-ପରିଚାଳନା, ଚୟନକର୍ତା, ‘ଏ’ ପରିଚାଳନା ଓ ବିସିସିଆଇ ଗୋଟିଏ ଫର୍ଦରେ ରୁହନ୍ତି। ଏତେ କମ୍‌ ମାପକାଠି ରହିବା ସତ୍ତ୍ୱେ ସଂଜୁ ସାମସନ୍‌, ମହମ୍ମଦ ସାମି ଏବଂ ଅମ୍ବାତି ରୟୁଡୁ ପ୍ରମୁଖ ଗତ ୟୋ ୟୋ ପରୀକ୍ଷାରେ ବିଫଳ ହୋଇ ଇଂଲଣ୍ଡ ଗସ୍ତରୁ ବଞ୍ଚିତ ହୋଇଛନ୍ତି। ଯେଉଁଥିରେ ଏକ ୨୦ ମିଟର୍‌ ଦୌଡ଼କୁ ନିର୍ଧିଷ୍ଟ ଘଣ୍ଟି ବାଜିବା ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ପଡ଼ିଥାଏ। ଏସବୁ ସମ୍ପୂର୍ଣ୍ଣ ବ୍ୟବସ୍ଥା ବି ଜଣେ ଖେଳାଳିର ଶାରୀରିକ ସାମର୍ଥକୁ ଦର୍ଶାଏ ନାହିଁ। କିନ୍ତୁ ୟୋ ୟୋ ପରୀକ୍ଷାରେ ସାଧାରଣତଃ କମ୍‌ ମାର୍କ ରଖୁଥିବା ରୋହିତ ଶର୍ମା ବୁଧବାର ବାଙ୍ଗାଲୋର୍‌ରେ କୃତକାର୍ଯ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର