ଏସୀୟ କ୍ରୀଡ଼ାରେ ଭାଗନେବେନି ଭାରତୀୟ ଫୁଟ୍‌ବଲ୍‌ ଦଳ

ଆଇଓଏ ଦେଲାନି ମଞ୍ଜୁରି

ନୂଆଦିଲ୍ଲୀ: ଆସନ୍ତା ମାସରେ ଇଣ୍ଡୋନେସିଆରେ ହେବାକୁଥିବା ଏସୀୟ କ୍ରୀଡ଼ାରେ ଭାରତର କୌଣସି ବି (ପୁରୁଷ ଓ ମହିଳା) ଫୁଟ୍‌ବଲ୍‌ ଦଳ ଭାଗ ନେବନି। ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ମଞ୍ଜୁରି ନ ଦେବାରୁ କୌଣସି ଦଳ ଏହି ପ୍ରତିଯୋଗିତାରେ ଭାଗ ନେବ ନାହିଁ ବୋଲି ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ରବିବାର କହିଛି। ଫଳରେ ୧୯୯୪ ହିରୋସିମା ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ଭାରତ ପ୍ରଥମ ଥର ଲାଗି ଏସୀୟ କ୍ରୀଡ଼ାରେ ଭାଗନେବାରୁ ବଞ୍ଚିତ ହେବ। ସଂପ୍ରତି ଭାରତୀୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଚାଲିଛି। ୮ ବର୍ଷର ବ୍ୟବଧାନ ପରେ ୨୦୧୯ ଏସୀୟ କପ୍‌ ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିସାରିଛି। ଏସୀୟ ମାନ୍ୟତାରେ ଭାରତ ୧୪ରେ ରହିଛି। ଏତେ ସବୁ ସଫଳତା ସତ୍ତ୍ୱେ ଆଇଓଏ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ ଲାଗି ମଞ୍ଜୁରି ନ ଦେବାରୁ ଏଆଇଏଫ୍‌ଏଫ୍‌ ସଭାପତି ପ୍ରଫୁଲ୍ଲ ପଟେଲ ଆଇଓଏ ସଭାପତି ନରିନ୍ଦର ବାତ୍ରାଙ୍କୁ ଭେଟିଥିଲେ। ଏଥିସହ ସେ ମଧ୍ୟ ମହାସଚିବ ରାଜୀବ ମେହେଟ୍ଟା ଏବଂ ଏସୀୟ କ୍ରୀଡ଼ା ଆୟୋଜକ ସମିତିର ଅଧ୍ୟକ୍ଷ ଲଲିତ ଭାନୋଟଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। କିନ୍ତୁ ଆଇଓଏ କହିବା କଥା ଯେଉଁ ଦେଶ ମହାଦେଶୀୟ ସ୍ତରରେ ଶ୍ରେଷ୍ଠ ୮ ମାନ୍ୟତା ମଧ୍ୟରେ ଥିବେ ସେମାନଙ୍କୁ ଏସୀୟ କ୍ରୀଡ଼ାରେ ଭାଗନେବାକୁ ନିୟମ ରହିଛି। ଭାରତ ଏହା ବାହାରେ ରହିଥିବାରୁ ଅଂଶଗ୍ରହଣ କରିପାରିବ ନାହିଁ। ଯେଉଥିପାଇଁ ଦଳକୁ ମଞ୍ଜୁରି ମିଳିଲାନି ବୋଲି ଆଇଓ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଏହା କହିବା ପରେ ଆଇଓଏ ଉପରେ ଏଆଇଏଫ୍‌ଏଫ୍‌ ପ୍ରବଳ ବର୍ଷିଛି। ଏକ ବିଜ୍ଞପ୍ତିରେ ଏଆଇଏଫ୍‌ଏଫ୍‌ କହିଛି, ଅନ୍ୟକ୍ରୀଡ଼ା ପରି ଦେଶରେ ଫୁଟ୍‌ବଲ୍‌ର ଉନ୍ନତି ଲାଗି ଆଇଓଏ ପଥରୋଧ କରୁଛି। ଏହି କ୍ରୀଡ଼ାକୁ ଆଇଓଏ ଅଣ ଦେଖା କରୁଥିଲା ବେଳେ କୌଣସି ପ୍ରକାର ସହଯୋଗ କରୁନାହିଁ ବୋଲି ଏଆଇଏଫ୍‌ଏଫ୍‌ ଅଭିଯୋଗ ବାଢ଼ିଛି।

ସମ୍ବନ୍ଧିତ ଖବର