ଅଲିମ୍ପିକ୍ସ ଆସନ୍ତାବର୍ଷକୁ ଘୁଞ୍ଚିଥିଲେ ବି ଲକ୍ଷ୍ୟଚ୍ୟୁତ ହେବନି ଭାରତୀୟ ମହିଳା ଓ ପୁରୁଷ ହକି ଦଳ

ବେଙ୍ଗାଲୁରୁ : ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷକୁ ଘୁଞ୍ଚିଥିଲେ ମଧ୍ୟ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଲକ୍ଷ୍ୟଚ୍ୟୁତ ହେବେ ନାହିଁ। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛି ହକି ଇଣ୍ଡିଆ। ବୁଧବାର ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି ଉଭୟ ପୁରୁଷ ଓ ମହିଳା ହକି ଦଳ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଜାରି ରଖିବେ ବୋଲି କହିଛନ୍ତି। ଏଥିଲାଗି ନୂଆ ଅଭ୍ୟାସ ସାରଣୀ ଓ ସୂଚୀ ପ୍ରସ୍ତୁତ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଆମେ ଦୁଇଟି ଯାକ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କୁ ଅଲିମ୍ପିକ୍ସ ସ୍ଥଗିତ ହେବା ବିଷୟ ଜଣାଇ ଦେଇଛୁ। ଦଳ ଭିତରେ ଏଥିନେଇ ନିରାଶାର ଭାବନା ରହିଛି। ହେଲେ କରୋନା ସ୍ଥିତି ଭୟଙ୍କର ରହିଛି ଏବଂ ଏହି ମାରାତ୍ମକ ଭୂତାଣୁ ସମଗ୍ର ବିଶ୍ବକୁ ପ୍ରଭାବିତ କରିଛି। ସାଇ ( ଭାରତୀୟ କ୍ରୀଡ଼ା ପ୍ରାଧିକରଣ), କ୍ରୀଡ଼ା ମନ୍ତ୍ରାଳୟ ଓ ଭାରତୀୟ ଅଲିମ୍ପିକ୍ସ ସଂଘ ସଂପର୍କରେ ଆମେ ଅଛୁ। ‌ଖେଳାଳିଙ୍କୁ ଉନ୍ନତ ସୁବିଧା ସୁଯୋଗ ଓ ପ୍ରଶିକ୍ଷଣ ବ୍ୟବସ୍ଥା ଦେବାକୁ ଆମେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବୁ ବୋଲି ହକି ଇଣ୍ଡିଆ ସଭାପତି ମୁସ୍ତାକ ଅହମ୍ମଦ କହିଛନ୍ତି।

ସୂଚନାଯୋଗ୍ୟ ଯେ ସଂପ୍ରତି ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଏବେ ବେଙ୍ଗାଲୁରୁର ସାଇ କେନ୍ଦ୍ରରେ ରହି ଅଭ୍ୟାସ କରୁଛନ୍ତି। ଆଗାମୀ ଏକବର୍ଷ ପାଇଁ ପୁରୁଷ ଦଳର ପ୍ରଶିକ୍ଷକ ଗ୍ରାହାମ ରିଡ୍ ଓ ମହିଳା ଦଳର ପ୍ରଶିକ୍ଷକ ଜୋଏଡ୍ ମାରିନ୍ ପ୍ରସ୍ତୁତ କରି ସାରିଥିବା ମଧ୍ୟ ଜଣାପଡ଼ିଛି। ‘‘ ଗତ ଚାରି ବର୍ଷ ଧରି କଠିନ ପରିଶ୍ରମ କରି ଆସୁଥିବା ଖେଳାଳିଙ୍କ ପାଇଁ ମୋତେ ବହୁତ ଦୁଃଖ ଲାଗୁଛି। ହେଲେ ଏଭଳି ସ୍ଥିତିରେ ଅନ୍ୟ କୌଣସି ବିକଳ୍ପ ନଥିଲା। ଅଲିମ୍ପିକ୍ସ ସ୍ଥଗିତ ହୋଇଥିଲେ ମଧ୍ୟ ଆମ ମନୋବଳ କୌଣସି ପରିସ୍ଥିତିରେ କମିବ ନାହିଁ’’ ବୋଲି ରିଡ୍ କହିଛନ୍ତି। ମାରିନ୍ ମଧ୍ୟ ତାଙ୍କ ସହ ଏକମତ ହୋଇଛନ୍ତି। ସେ କହିଛନ୍ତି, ଏହି ନିଷ୍ପତ୍ତିର ସକାରାତ୍ମକ ଦିଗ ହେଲା ଏକ ଯୁବ ଦଳ ସହ ଆମେ ଆହୁରି ଗୋଟିଏ ବର୍ଷ ପାଇଁ କାମ କରିପାରିବୁ। ସାଇ ଆମ ପାଇଁ ଏକ ସୁରକ୍ଷିତ ପରିବେଶ ଯୋଗାଇ ଦେଇଥିବାରୁ ଆମେ ‌ସେଥିଲାଗି କୃତଜ୍ଞ। ଆମେ ଏବେ ନୂଆ ଅଭ୍ୟାସ ସାରଣୀ ପ୍ରସ୍ତତ କରି, ଏହି ଦିଗରେ କାର୍ଯ୍ୟ କରିବୁ।

ସମ୍ବନ୍ଧିତ ଖବର