ଏଫ୍‌ଆଇଏଚ୍‌ର ପ୍ଲେୟାର୍‌ ଅଫ୍‌ ଦି ଇୟର୍‌ ପୁରସ୍କାର ଦୌଡ଼ରେ ମନପ୍ରୀତ୍

ଲୌସାନ୍‌: ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ୍ ସିଂହ ଅନ୍ତର୍ଜାତୀୟ ହକି ସଂଘ (ଏଫଆଇଏଚ୍‌)ର ପ୍ଲେୟାର୍‌ ଅଫ୍‌ ଦି ଇୟର୍‌ ପୁରସ୍କାର‌ ଦୌଡ଼ରେ ସାମିଲ ହୋଇଛନ୍ତି। ଗତ ମାସରେ ଭୁବନେଶ୍ବରଠାରେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ଦଳର ସେ ଅଧିନାୟକ ଥିଲେ। ଭାରତ ମୋଟ ଉପରେ ୧୧-୩ରେ ରୁଷିଆକୁ ହରାଇ ଯୋଗ୍ୟତା ଅର୍ଜନ କରିଥିଲା। ୨୭ ବର୍ଷୀୟ ମନପ୍ରୀତ୍‌ ଭାରତ ପାଇଁ ୨୪୨ ମ୍ୟାଚ୍‌ ଖେଳିଛନ୍ତି। ଅନ୍ୟ ଦୁଇ ଭାରତୀୟ ଖେଳାଳି ବିବେକ ପ୍ରସାଦ ଏବଂ ଲାଲରେମସିଆମି ଯଥାକ୍ରମେ ଶ୍ରେଷ୍ଠ ଉଦୀୟମାନ ପୁରୁଷ ଓ ମହିଳା ଖେଳାଳି ପାଇଁ ମନୋନୀତ ହୋଇଛନ୍ତି। ଚୂଡାନ୍ତ‌ ଭୋଟିଂ ପରେ ଏମାନଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ୨୦୨୦ ମସିହା ୧୭ ଜାନୁଆରି ପର୍ଯ୍ୟନ୍ତ ଭୋଟିଂ ଓପନ୍‌ ରହିଛି। ‘ଆପଣଙ୍କ ସମର୍ଥନ ବିନା ଏହା ସମ୍ଭବ ହୋଇନଥାନ୍ତା। ଭୋଟ‌ ଦେବାକୁ ଅନୁରୋଧ’ ବୋଲି ଟ୍ବିଟ୍‌ କରିଛନ୍ତି ମନପ୍ରୀତ୍। ୧୯ ବର୍ଷୀୟ ବିବେକ ଗତବର୍ଷ ଯୁବ ଅଲିମ୍ପିକ୍ସ ରୌପ୍ୟ ଏବଂ ଲାଲରେମସିଆସି ଏସୀୟ କ୍ରୀଡ଼ା ରୌପ୍ୟ ପଦକ ଜିତିଥିଲେ। ପୁରୁଷ ଏବଂ ମହିଳା ଖେଳାଳିଙ୍କ ସହିତ ଉଭୟ ଦଳର ପ୍ରଶିକ୍ଷକ, ଗୋଲରକ୍ଷକ ପାଇଁ ମଧ୍ୟ ଭୋଟିଂ ହେବ ।

ସମ୍ବନ୍ଧିତ ଖବର