ଜୋହର କପ୍‌ ହକି : ଫାଇନାଲ୍‌ରେ ଭାରତ, ଅଷ୍ଟ୍ରେଲିଆକୁ ୫-୧ରେ ହରାଇଲା

ଭୁବନେଶ୍ବର : ମାଲେସିଆର ଜୋହର ବାହରୁଠାରେ ଚାଲିଥିବା ନବମ ସୁଲତାନ ଅଫ୍ ଜୋହର୍‌ କପ୍‌ରେ ୪ ମ୍ୟାଚ୍‌ରୁ ତୃତୀୟ ବିଜୟ ହ ଭାରତୀୟ କନିଷ୍ଠ ହକି ଦଳ ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ମାଲେସିଆକୁ ୪-୨ ଏବଂ ଦ୍ବିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌କୁ ୮-୨ ଗୋଲ୍‌ରେ ପରାସ୍ତ କରିବା ପରେ ଭାରତ ତୃତୀୟ ମ୍ୟାଚ୍‌କୁ ଜାପାନ ନିକଟରୁ ୩-୪ରେ ହାରିଯାଇଥିଲା। ହେଲେ ବୁଧବାର ନିଜର ଚତୁର୍ଥ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୫-୧ ଗୋଲ୍‌ରେ ପରାସ୍ତ କରିଦେଇଛି। ଲିଗ୍‌ ପର୍ଯ୍ୟାୟରେ ଆଉ ଗୋଟିଏ ମ୍ୟାଚ୍‌ ବାକି ଥିଲା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ଭାରତକୁ ଫାଇନାଲ୍‌ରେ ପହଞ୍ଚାଇ ଦେଇଛି। ଗୁରୁବାର ବିଶ୍ରାମ ଦିବସ ପରେ ଶୁକ୍ରବାର ଭାରତ ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ଗ୍ରେଟ୍‌ ବ୍ରିଟେନ୍‌କୁ ଭେଟିବ।

ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ହିଁ ଭାରତକୁ ଗୋଲ୍‌ ସୁଯୋଗ ମିଳିଥିଲା। ହେଲେ ଗୁର୍‌ସାହିବଜିତ୍‌ ଏହାର ଫାଇଦା ଉଠାଇ ପାରିନଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ପାଇଥିବା ଏକ ପେନାଲ୍‌ଟି କର୍ନର ସୁଯୋଗ ନଷ୍ଟ କରିଥିଲା। ଫଳରେ ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା ବେଳେ ଦ୍ବିତୀୟ କ୍ବାର୍ଟରରେ ହିଁ ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା ୪ ମିନିଟ୍‌ ମଧ୍ୟ୍ୟରେ ଲାଗ ଲାଗ ଦୁଇଟି ଗୋଲ୍‌ ଲଦିଦେଇ ଅଷ୍ଟ୍ରେଲିଆ ଉପରେ ଚାପ ପକାଇଥିଲେ। ଶିଳାନନ୍ଦ ମାଚ୍‌ର ୨୬ ଓ ୨୯ ମିନିଟ୍‌ରେ ଏହି ଦୁଇଟି ଗୋଲ୍‌ କରିବାରୁ ଭାରତ ପ୍ରଥମାର୍ଧରେ ୨-୦ର ଅଗ୍ରଣୀ ପାଇଯାଇଥିଲା। ଏହା ସ‌ତ୍ତ୍ବେ ଭାରତ ତୃତୀୟ କ୍ବାର୍ଟରରେ ଆକ୍ରମଣକୁ ଜୋର୍‌ଦାର କରିଥିଲା। ଶିଳାନନ୍ଦ, ସୁଦୀପ ଚିର୍ମାକୋ ଓ ଉତ୍ତମ ସିଂହ ମିଳିତ ଭାବେ ଆକ୍ରମଣ କରି ଅଷ୍ଟ୍ରେଲିଆର ବଦଳ ଗୋଲ୍‌ରକ୍ଷକ କ୍ରିଷ୍ଟିଆନ୍‌ ଷ୍ଟାର୍କିଙ୍କ ଚାପରେ ରଖିଥିଲେ। ସେହି କ୍ବାର୍ଟରରେ ଦିଲ୍‌ପ୍ରୀତ୍‌ ସିଂହ (୪୪ ମିନିଟ) ଭାରତ ପାଇଁ ତୃତୀୟ ଗୋଲ୍‌ କରିଥିଲେ। ଫଳରେ ଚତୁର୍ଥ ତଥା ଶେଷ କ୍ବାର୍ଟର ପୂର୍ବରୁ ଭାରତ ବିଜୟ ବାସ୍ନା ପାଇଯାଇଥିଲା। ତେବେ ୪୮ ମିନିଟ୍‌ରେ ଗୁର୍‌ସାହିବଜିତ୍‌ ସିଂହ ଏବଂ ୫୦ ମିନିଟ୍‌ରେ ମନ୍‌ଦୀପ ମୋର୍‌ଙ୍କ ଗୋଲ୍‌ ଭାରତ ବ୍ୟବଧାନକୁ ୫-୦ରେ ପହଞ୍ଚାଇ ଦେଇଥିଲା। ମନ୍‌ଦୀପ୍ ତାଙ୍କ ଚମତ୍କାର ଡ୍ରାଗ୍‌ ଫ୍ଲିକ୍‌ ଜରିଆରେ ପ୍ରତିପକ୍ଷ ଗୋଲ୍‌ରକ୍ଷକଙ୍କୁ ଚକ୍‌ମା ଦେଇଥିଲେ। ଭାରତ ୫-୦ର ଏକପାଖିଆ ବିଜୟ ହାସଲ କରିବା ସମ୍ଭାବନା କରିଥିଲା ବେଳେ ୫୭ ମିନିଟ୍‌ରେ ହିଁ ଅଷ୍ଟ୍ରେଲିଆ ଗୋଟିଏ ଗୋଲ୍‌ ଶୁଝିବାରେ ସମର୍ଥ ହୋଇଥିଲା। ଆରୋନ୍‌ ନାଇଟ୍‌ ଦଳ ପାଇଁ ଏହି ସାନ୍ତ୍ବନାମୂଳକ ଗୋଲ୍‌ କରିଥିଲେ। ହେଲେ ଭାରତ ୫-୧ରେ ବିଜୟୀ ହୋଇ ଫାଇନାଲ୍‌ ଯୋଗ୍ୟତା ହାତେଇ ନେଇଥିଲା।

ସମ୍ବନ୍ଧିତ ଖବର