ଭାରତୀୟ ପୁରୁଷ ହାରିଲେ; ମହିଳା ପଏଣ୍ଟ୍‌ ବାଣ୍ଟିଲେ

ଅଲିମ୍ପିକ୍‌ ଟେଷ୍ଟ୍‌ ଇଭେଣ୍ଟ୍‌

ନୂଆଦିଲ୍ଲୀ: ଜାପାନର ଟୋକିଓଠାରେ ଚାଲିଥିବା ଅଲିମ୍ପିକ୍ ଟେ‌ଷ୍ଟ ଇଭେଣ୍ଟ୍‌ ହକି ପ୍ରତିଯୋଗିତାର ପ୍ରଥମ ଦିବସରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ପୁରୁଷ ଦଳ ରବିବାର ଦ୍ବିତୀୟ ଦିବସରେ ସେହି ସଫଳତା ଦୋହରାଇ ପାରିନଥିଲା ବେଳେ ଓ ମହିଳା ଦଳ କିନ୍ତୁ ଅପରାଜେୟ ରହିଛି। ପ୍ରଥମ ଦିନ ମାଲେସିଆକୁ ୬-୦ ଗୋଲ୍‌ରେ ପରାସ୍ତ କରି ଦେଇଥିବା ବିଶ୍ବ ମାନ୍ୟତାର ପଞ୍ଚମ ପୁରୁଷ ଦଳ ରବିବାର ନିଜର ଦ୍ବିତୀୟ ମ୍ୟାଚ୍‌ରେ ବିଶ୍ବ ମାନ୍ୟତାର ଅଷ୍ଟମ ନ୍ୟୁଜିଲାଣ୍ଡ ନିକଟରୁ ୧-୨ ଗୋଲ୍‌ରେ ହାରିଯାଇଛି। ଅଧିନାୟକ ହର୍‌ମନ୍‌ପ୍ରୀତ୍‌ ସିଂହ ଭାରତ ପାଇଁ ଏକମାତ୍ର ଗୋଲ୍‌ କରିଥିଲେ। ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ହର୍‌ମନ୍‌ପ୍ରୀତ୍‌ ପେନାଲ୍‌ଟି କର୍ନରରୁ ଏହି ଗୋଲ୍‌ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ହେଲେ ପରେ ଦଳ ଅଗ୍ରଣୀ ଫାଇଦା ଉଠାଇ ପାରିନଥିଲା। ବରଂ ୪୭ ଓ ୬୦ ମିନିଟ୍‌ରେ ଲାଗ ଲାଗ ଦୁଇଟି ଗୋଲ୍‌ ବରଣ କରି ପରାଜୟ ପାଇଁ ବାଧ୍ୟ ହୋଇଥିଲା। ତୃତୀୟ କ୍ବାର୍ଟର ସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲେ ମଧ୍ୟ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ହିଁ ଜା‌କୋବ୍‌ ସ୍ମିଥ୍‌ ଓ ସାମ୍‌ ଲେନ୍‌ ଏହି ଦୁଇଟି ଗୋଲ୍‌ କରି ନ୍ୟୁଜିଲାଣ୍ଡକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଭେଟି ଦେଇଥିଲେ। ଭାରତ ପକ୍ଷରୁ ଏହି ମ୍ୟାଚ୍‌ ଖେଳିଥିବା କୋଠାଜିତ୍‌ ସିଂହ ଖାଡ଼ଙ୍ଗବାମ୍‌ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାରେ ଦ୍ବିଶତକ ପୂରଣ କରିଥିଲେ। ତାଙ୍କ ୨୦୦ତମ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ହକି ଇଣ୍ଡିଆ ୨୭ ବର୍ଷ ବୟସ୍କ ଡିଫେଣ୍ଡର କୋଠାଜିତ୍‌ଙ୍କୁ ଅଭିନନ୍ଦନ ଜଣାଇଛି। ତେବେ ଏହି ପରାଜୟ ଯୋଗୁଁ ଭାରତ ପଏଣ୍ଟ୍‌ ତାଲିକାର ଦ୍ବିତୀୟ ସ୍ଥାନକୁ ଖସି ଯାଇଛି। ସୋମବାର ବିଶ୍ରାମ ଦିବସ ପରେ ମଙ୍ଗଳବାର ଭାରତ ତୃତୀୟ ରାଉଣ୍ଡ ରବିନ୍‌ ମ୍ୟାଚ୍‌ରେ ଆୟୋଜକ ଜାପାନକୁ ଭେଟିବ।

ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଜାପାନକୁ ୨-୧ ଗୋଲ୍‌ରେ ପରାସ୍ତ କରିଥିବା ଭାରତୀୟ ମହିଳା ଦଳ ରବିବାର ଦ୍ବିତୀୟ ମ୍ୟାଚ୍‌କୁ ଅମୀମାଂସିତ ରଖିଛି। ବିଶ୍ବ ମାନ୍ୟତାର ଦଶମ ଭାରତ ଏହି ମ୍ୟାଚ୍‌ରେ ବିଶ୍ବ ମାନ୍ୟତାର ଦ୍ବିତୀୟ ଅଷ୍ଟ୍ରେଲିଆକୁ ରୋକି ମନୋବଳ ବଢ଼ାଇଛି। ଉଭୟ ଦଳ ୨ ଲେଖାଏଁ ଗୋଲ୍‌ ଦେବାରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା ଏବଂ ଦୁଇ ଦଳ ପଏଣ୍ଟ୍‌ ଭାଗ କରିଥିଲେ। ଭାରତ ପକ୍ଷରୁ ବନ୍ଦନା‌ କାଟାରିୟା (୩୬ ମିନିଟ୍‌) ଓ ଗୁର୍‌ଜିତ୍‌ କୌର (୫୯ ମିନିଟ୍‌) ଗୋଲ୍‌ କରିଥିଲା ବେଳେ ଅଷ୍ଟ୍ରେଲିଆ ପାଇଁ କାଟ୍‌ଲିନ୍‌ ନବ୍‌ସ (୧୪ ମିନିଟ୍‌) ଓ ଗ୍ରେସ୍‌ ଷ୍ଟିୱାର୍ଟ (୪୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଭାରତୀୟ ମହିଳା ଦଳ ମଙ୍ଗଳବାର ତୃତୀୟ ରାଉଣ୍ଡ ରବିନ୍‌ ମ୍ୟାଚ୍‌ରେ ଚୀନ୍‌କୁ ଭେଟିବ।

ସମ୍ବନ୍ଧିତ ଖବର