ମସ୍କୋ: ଭାରତୀ ମା’-ପୁଅ ଦେବଶ୍ରୀ ଏବଂ ଆଦିତ୍ୟାଂଶୁଙ୍କ ବିଶ୍ୱକପ୍ ସ୍ୱପ୍ନ ପୂରଣ ହୋଇଛି। ଫିଫା ଦ୍ୱାରା ଗତବର୍ଷ ଆରମ୍ଭ କରାଯାଇଥିବା ‘ବ୍ରିଙ୍ଗ୍ ସମଓ୍ଵାନ୍ ସ୍ପେଶିଆଲ୍’ କୁଇଜ୍ ପ୍ରତିଯୋଗିତା ଜିତି ୫୭ ବର୍ଷୀୟା ଦେବଶ୍ରୀ ଏବଂ ୨୯ ବର୍ଷୀୟ ଆଦିତ୍ୟାଂଶୁ ଫିଫାର ସ୍ୱତନ୍ତ୍ର ଅତିଥି ଭାବେ ମସ୍କୋ ଯାଇ ବିଶ୍ୱକପ୍ର ଗୋଟିଏ ମ୍ୟାଚ୍ ଦେଖିବାର ସୁଯୋଗ ଲାଭ କରିଛନ୍ତି। ଫିଫା ଏହି ପ୍ରତିଯୋଗିତା ଗତବର୍ଷ ରୁଷିଆରେ ଆୟୋଜିତ ହୋଇଥିବା କନ୍ଫେଡେରେସନ୍ କପ୍ ଅବସରରେ ଆରମ୍ଭ କରିଥିଲା। ସାରା ବିଶ୍ୱର ପ୍ରଶଂସକଙ୍କ ପାଇଁ ଖୋଲା ଥିବା ଏହି ପ୍ରତିଯୋଗିତାରେ ପ୍ରଶଂସକଙ୍କୁ ନିଜ ଜୀବନର ଜଣେ ସ୍ୱତନ୍ତ୍ର ଏବଂ ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ବାଛିବା ସହ ତାଙ୍କୁ ବିଶ୍ୱକପ୍ କାହିଁକି ଦେଖାଇବାକୁ ଚାହୁଁଛନ୍ତି ତା’ର କାରଣ ୩୫୦ ଶବ୍ଦରେ ଲେଖି ଫିଫାକୁ ପଠାଇବାର ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇ ଜଣ ସୌଭାଗ୍ୟଶାଳୀ ବିଜେତାଙ୍କୁ ଚାରିଟି ମ୍ୟାଚ୍ ଟିକେଟ ଫିଫା ପ୍ରଦାନ କରିବ ବୋଲି ଘୋଷଣା କରିଥିଲା। ଏହି ପ୍ରତିଯୋଗିତାରେ ଭାରତର ଆଦିତ୍ୟାଂଶୁ ଏବଂ ମେକ୍ସିକୋର ରୋବର୍ଟ ଗ୍ରାନାଡୋସ୍ ବିଜୟୀ ହୋଇଥିଲେ। ଆଦିତ୍ୟାଂଶୁ ନିଜ ମା’ଙ୍କୁ ମନୋନୀତ କରିଥିଲା ବେଳେ ରୋବର୍ଟ ତାଙ୍କ ପିତାଙ୍କୁ ମନୋନୀତ କରି ସାରମର୍ମକ ସ୍ଲୋଗାନ ଲେଖିଥିଲେ। ୨୯ ବର୍ଷୀୟ ଅଦିତ୍ୟାଂଶୁ ଫୁଟ୍ବଲ୍ ମାଧ୍ୟମରେ ମାନସିକ ସ୍ତରରେ ଦୁର୍ବଳ ପିଲାମାନଙ୍କୁ ଜୀବନ ଶୈଳୀ ଶିଖାଉଥିବା ଏକ ସ୍ୱେଚ୍ଛାସେବୀ ସଂଗଠନରେ କାମ କରୁଥିଲା ବେଳେ ତାଙ୍କ ମା’ ଦେବଶ୍ରୀ ନିଜ ସ୍କୁଲର ପ୍ରଥମ କ୍ରୀଡ଼ା ଭିତ୍ତିକ କାର୍ଯ୍ୟକ୍ରମକୁ ପ୍ରାୟୋଜନ କରିଥିଲେ। ତାଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଆଦିତ୍ୟାଂଶୁ ଫୁଟ୍ବଲ୍ ଖେଳିବା ସହ ଏହାକୁ ସକାରାତ୍ମକ ଦିଗରେ ବିନିଯୋଗ କରିବାର ବାଟ ବାହାର କରିଥିଲେ।