ଅଲିମ୍ପିକ୍ସ ସ୍ଥଗିତ ହେବା କିଛି ଖେଳାଳିଙ୍କୁ ପ୍ରଭାବିତ କରିବ: ଆଓଏ

କରୋନା ଲାଗି ଟିଟି ସଂଘର ବିଦେଶୀ ପ୍ରଶିକ୍ଷକଙ୍କୁ ନା, ଗୃହାବଦ୍ଧ ଅନେକ କ୍ରୀଡ଼ା ତାରକା ସୃଷ୍ଟି କରିବ: ରାଠୋର

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ହେବା ଅନେକ କ୍ରୀଡ଼ା ତାରକାଙ୍କୁ ଆନନ୍ଦିତ କରିଛି। ଏଥିନେଇ ସେମାନଙ୍କ ମନରେ ଥିବା ଦ୍ବନ୍ଦ୍ବ ଓ ସଂଶୟ ଆପାତତଃ ଦୂର ହୋଇଛି। କିଛି ଖେଳାଳିଙ୍କ ପାଇଁ ଏହା କିନ୍ତୁ ନିଶ୍ଚିତ ଭାବେ ଖରାପ ଖବର। ଏହା ସେମାନଙ୍କ ଖେଳ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ମହାସଚିବ ରାଜୀବ ମେହଟା ବୁଧବାର ଏକଥା ସ୍ବୀକାର କରିଛନ୍ତି। ତେବେ ଆଇଓଏ ଏହାର ସମାଧାନ ଲାଗି ବାଟ ଖୋଜୁଛି। କ୍ରୀଡ଼ା ମନ୍ତ୍ରାଳୟ ସହ ଆଲୋଚନା ପରେ ଏଭଳି ଖେଳାଳିଙ୍କ ପାଇଁ ନୂଆ ଅଭ୍ୟାସ ସାରଣୀ ପ୍ରସ୍ତୁତ କରାଯିବ। ଆସନ୍ତା କିଛି ମାସ ମଧ୍ୟରେ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମେହଟା ବୁଧବାର ଦେଇଥିବା ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସେ କହିଛନ୍ତି ଯେ ଅଲିମ୍ପିକ୍ସ ବର୍ଷେ ସ୍ଥଗିତ ହେବା କିଛି ଖେଳାଳିଙ୍କ ଖେଳ ଜୀବନ ସହ ଯୋଗ୍ୟତା ଅର୍ଜନ ଉପରେ ମଧ୍ୟ ପ୍ରଭାବ ପକାଇବ। ସେମାନଙ୍କୁ ଆମ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ମୁଁ ଏଥିନେଇ କ୍ରୀଡ଼ା ମନ୍ତ୍ରାଳୟ ଓ ଆମ ସଂଘର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛି। କରୋନା ଆତଙ୍କ ପାଇଁ ଘୋଷିତ ହୋଇଥିବା ଗୃହାବଦ୍ଧ ଅବଧି ଶେଷ ହେବା ପରେ ଏଥିନେଇ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ହିଁ ଆଗାମୀ ପଦକ୍ଷେପ ନେଇ ଚୂଡ଼ାନ୍ତ ରୂ‌ପରେଖ ପ୍ରସ୍ତୁତ କରାଯିବ। ସଂପ୍ରତି ଆମେ ଖେଳାଳିଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛୁ।

କରୋନା ଲାଗି ଟିଟି ସଂଘର ବିଦେଶୀ ପ୍ରଶିକ୍ଷକଙ୍କୁ ନା
ନୂଆଦିଲ୍ଲୀ : କରୋନା ଭୂତାଣୁ ଲାଗି ଟୋକିଓ ଅଲିମ୍ପିକ୍ସ ଆସନ୍ତା ବର୍ଷକୁ ଘୁଞ୍ଚିଥିଲା ବେଳେ ଏବେ ଭାରତୀୟ ଟେବୁଲ ଟେନିସ (ଟିଟି) ଦଳକୁ ଅଧିକ ଦିନ ଅଭ୍ୟାସ କରିବା ପାଇଁ ସମୟ ମିଳିଯାଇଛି। ୨୦୧୮ ଏସୀୟ କ୍ରୀଡ଼ା ପରଠୁ ଦଳର ମୁଖ୍ୟ ପ୍ରଶିକ୍ଷକ ନାହାନ୍ତି। ଅଲିମ୍ପିକ୍ସ ପୂର୍ବରୁ ଏହି ପଦ ପୂରଣ କରିବା ଲାଗି ଜଣେ ବିଦେଶୀ ପ୍ରଶିକ୍ଷକ ସନ୍ଧାନରେ ଥିଲା ଭାରତୀୟ ଟେବୁଲ ଟେନିସ ମହାସଂଘ (ଟିଟିଏଫ୍‌ଆଇ)। ଏଥିପାଇଁ ସଂଘ କାନାଡ଼ାର ଡିଜାନ ପାପିକଙ୍କୁ ଯୋଗାଯୋଗ କରିଥିଲା। ହେଲେ ‌ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ସେ ଦଳ ସହ ଯୋଗଦେଇପାରିବେନି ବୋଲି କହିଥିଲେ। ଏବେ ଅଲିମ୍ପିକ୍ସ ଘୁଞ୍ଚି ଯାଇଥିବାରୁ ଆଉ ବିଦେଶୀ ନୁହେଁ ଜଣେ ଭାରତୀୟ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେବା ଲାଗି ସଂଘ ଚିନ୍ତା କରୁଛି। ସଂପ୍ରତି ବିଶ୍ବରେ କରୋନାକୁ ନେଇ ଯେଉଁ ପ୍ରକାର ଅନିଶ୍ଚିତତା ଜାରି ରହିଛି ସେଥିପାଇଁ କୌଣସି ବିଦେଶୀ ‌ପ୍ରଶିକ୍ଷକ ଯୋଗ ଦେବା ସମ୍ଭବ ନୁହେଁ। ଏଥିପାଇଁ ଆମେ ବିଦେଶୀ ନୁହେଁ ଜଣେ ଭାରତୀୟ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରିବା ଲକ୍ଷ୍ୟ ରଖୁଛୁ ବୋଲି ଟିଟିଏଫ୍‌ଆଇ ସମ୍ପାଦକ ଏମ୍‌ପି ସିଂହ କହିଛନ୍ତି। ସଂପ୍ରତି ଭାରତୀୟ ପୁରୁଷ ଓ ମହିଳା ଦଳର ପ୍ରଶିକ୍ଷକ ଭାବେ ଯଥାକ୍ରମେ ସୌମ୍ୟଦୀପ ରୟ ଓ ଅରୁଣ ବାସକ ରହିଛନ୍ତି।

ଗୃହାବଦ୍ଧ ଅନେକ କ୍ରୀଡ଼ା ତାରକା ସୃଷ୍ଟି କରିବ: ରାଠୋର
ନୂଆଦିଲ୍ଲୀ : କରୋନା ଭୟାବହତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ୨୧ ଦିନିଆ ଗୃହାବଦ୍ଧକୁ ସକାରାତ୍ମକ ଭାବେ ନେବାକୁ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତଥା ୨୦୦୪ ଏଥେନ୍ସ ଅଲିମ୍ପିକ୍ସ ‌‌ରୌପ୍ୟ ପଦକ ବିଜେତା ରାଜ୍ୟବର୍ଦ୍ଧନ ସିଂହ ରାଠୋର ଦେଶର କ୍ରୀଡ଼ାବିତ୍‌ମାନଙ୍କୁ ଆହ୍ବାନ କରିଛନ୍ତି। ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନାଙ୍କ ସହ ଇନଷ୍ଟାଗ୍ରାମରେ ବାର୍ତ୍ତାଳାପ କରି ସେ କହିଛନ୍ତି ଯେ ଆମେ ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧ କଥା ଶୁଣିଥିଲେ। ଏହା ତୃତୀୟ ବିଶ୍ବଯୁଦ୍ଧ ଭଳି। ଆମେ ବର୍ତ୍ତମାନ ଅତୀତରେ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା ପ୍ଲେଗ୍ ଓ ସ୍ପାନିସ୍ ଫ୍ଲୁ ଭଳି ମହାମାରୀ ସ୍ଥିତିରେ ଅଛେ। ଭଲ କଥା ହେଲା, ଏବେ ସମଗ୍ର ବିଶ୍ବ ସହ ଯୋଗାଯୋଗ କରି ହେଉଛି ଏବଂ ଆମେ ପରସ୍ପରର ଭୁଲରୁ ଶିକ୍ଷା ଲାଭ କରି ପାରିବା। ଆମେ ଭାଗ୍ୟଶାଳୀ ‌ଯେ ସାଂପ୍ରତିକ ସ୍ଥିତିରେ ଆମ ପାଖରେ ନରେନ୍ଦ୍ର ମୋଦିଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି। ତାଙ୍କ ଦୂରଦୃଷ୍ଟି, ନେତୃତ୍ବ ଓ ସବୁବେଳେ ସଜାଗ ରହିବାର ଦକ୍ଷତା ପାଇଁ ଆମ ଦେଶ ନିଶ୍ଚିତ ଭାବେ କରୋନାକୁ ହରାଇବ ବୋଲି ‌ମୋର ଦୃଢ଼ ବିଶ୍ବାସ। ଏହି ଅବସରରେ ରାଠୋର ମଧ୍ୟ ପୁତ୍ର ସନ୍ତାନର ଜନ୍ମ ପାଇଁ ରାଇନାଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାଇନା ମଧ୍ୟ ରାଠୋର ଏବଂ ପତ୍ନୀ ପ୍ରିୟଙ୍କାଙ୍କୁ ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସର ପାଇଁ ହୁଏତ ଦେଶରୁ ଅନେକ ନୂଆ କ୍ରୀଡ଼ା ତାରକା ସୃଷ୍ଟି ହୋଇପାରନ୍ତି ବୋଲି ରାଠୋର ଆଶା ପ୍ରକାଶ କରିଥିଲେ। ସେହିଭଳି ‌ଗୋଷ୍ଠୀ ସଂକ୍ରମଣରୁ ବଞ୍ଚିବା ଲାଗି ସାମାଜିକ ଦୂରତା ରକ୍ଷା କରିବାକୁ ସେ ସମସ୍ତଙ୍କୁ ଆହ୍ବାନ କରିଥିଲେ।

ସମ୍ବନ୍ଧିତ ଖବର