ଦିଲ୍ଲୀରେ ହେବ ଭାରତୀୟ ଓପନ୍‌ ମୁଷ୍ଟିଯୁଦ୍ଧ

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ଲାଗି ବୃହତ୍‌ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା (ଏଲିଟ୍‌ ପୁରୁଷ ଓ ମହିଳା) ଆୟୋଜନ କରିବ। ଏହା ହେବ ପ୍ରଥମ ଭାରତୀୟ ଓପନ୍‌ ଆନ୍ତର୍ଜାତିକ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା। ଏହି ପ୍ରତିଯୋଗିତା ଦିଲ୍ଲୀରେ ଆସନ୍ତାବର୍ଷ ଜାନୁଆରି ୨୮ରୁ ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମୁଷ୍ଟିଯୁଦ୍ଧ କ୍ରୀଡ଼ା ଇତିହାସରେ ପ୍ରଥମ ଥର ମଧ୍ୟ ଭାରତ ଆଗାମୀ ଏଆଇବିଏର ପେସାଦାର ଲିଗ୍‌ ବିଶ୍ୱ ସିରିଜ୍‌ ମୁଷ୍ଟିଯୁଦ୍ଧରେ ଏକ ଦଳ ଭାବେ ସାମିଲ ହେବ। ଏହି ଦଳକୁ ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ ପୂର୍ଣ୍ଣ ସହଯୋଗ ଓ ପ୍ରାୟୋଜନ କରିବ ବୋଲି ଭାରତୀୟ ମୁଷ୍ଟିଯୁଦ୍ଧ ସଂଘର ସଭାପତି ଅଜୟ ସିଂହ କହିଛନ୍ତି। ଏଭଳି ପ୍ରତିଯୋଗିତା ମୁଷ୍ଟିଯୁଦ୍ଧ ଖେଳକୁ ଉଚ୍ଚସ୍ତରକୁ ନେବାର ସୁଯୋଗ ରହିବ ବୋଲି ଗତମାସରେ ଗୌହାଟି ଯୁବ ମହିଳା ବିଶ୍ୱ ପ୍ରତିଯୋଗିତାର ପଦକ ବିଜେତା ଭାରତୀୟଙ୍କୁ ଶୁକ୍ରବାର ସମ୍ବର୍ଧିତ କରିବା ଅବସରରେ ଅଜୟ ସିଂହ କହିଛନ୍ତି। ଏହି ଅବସରରେ ଯୁବ ମହିଳା ବିଶ୍ୱ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ୫ ପ୍ରତିଯୋଗୀଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶିର ଚେକ୍‌ ପ୍ରଦାନ କରି ସମ୍ବର୍ଧିତ କରିଥିଲେ। ଏହା ବ୍ୟତୀତ ୨ କାଂସ୍ୟ ବିଜୟିନୀଙ୍କୁ ୫୦,୦୦୦ ଟଙ୍କା ଲେଖାଏଁର ଚେକ୍‌ ଦିଆଯାଇଥିଲା ବେଳେ ବିଶ୍ୱ ପ୍ରତିଯୋଗିତାର କାଂସ୍ୟ ବିଜେତା ଗୌରବ ବିଧୂରୀଙ୍କୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଚେକ୍‌ ପ୍ରଦାନ କରାଯାଇଥିଲା। ମୁଷ୍ଟିଯୋଦ୍ଧାମାନେ ବହୁ ଅନୁକୂଳ ପରିସ୍ଥିତି ମଧ୍ୟରେ ବିଶ୍ୱ ପ୍ରତିଯୋଗିତାରେ ଭାଗ ନେଇ ଦେଶକୁ ଗୌରବାନ୍ଵିତ କରିଥିବାରୁ ପ୍ରୋତ୍ସାହନ ରାଶି ଅଧିକ ପ୍ରେରଣା ଦେବ ବୋଲି ଉତ୍ସବରେ ଉପସ୍ଥିତ ଥିବା କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର କହିଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅନ୍ତର୍ଗତ ଯୋଜନାରୁ ମଧ୍ୟ ଏହି ପଦକ ବିଜେତାଙ୍କୁ ପୁରସ୍କୃତ କରାଯିବାର ମନ୍ତ୍ରୀ ଘୋଷଣା କରିଛନ୍ତି। ୫ ସ୍ୱର୍ଣ୍ଣ ବିଜୟିନୀଙ୍କୁ ୬.୭୦ ଲକ୍ଷ, ୨ କାଂସ୍ୟ ବିଜୟିନୀଙ୍କୁ ୨.୭୦ ଲକ୍ଷ ଏବଂ ଗୌରବଙ୍କୁ ୮ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ରାଠୋର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର