ଭାରତର ପ୍ରସ୍ତୁତିରେ ସହଯୋଗ କରିବେ ନଭ୍‌ଦୀପ୍‌ ଓ ଖଲିଲ

ମେ’ ୨୩ ପର୍ଯ୍ୟନ୍ତ ଦଳରେ ପରିବର୍ତନ ସମ୍ଭବ: ଭୋଗ୍‌ଲେ

ନୂଆଦିଲ୍ଲୀ: ‌ଆଗାମୀ ବିଶ୍ବକପ୍‌ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା ହୋଇଯାଇଛି। ଚଳିତ ଆଇପିଏଲ୍‌ ପରେ ପରେ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଶିବିର ଆୟୋଜନ ହେବ। ଘୋଷିତ ୧୫ ଜଣିଆ ଦଳର ପ୍ରାୟ ୭ ସଦସ୍ୟ ପ୍ରଥମ ଥର ଲାଗି ବିଶ୍ବକପ୍‌ ଖେଳିବେ। ଏହି ଦଳରେ ୩ ଜଣ ବିଶେଷଜ୍ଞ ଦ୍ରୁତ ବୋଲର (ଭୁବନେଶ୍ବର କୁମାର, ଯଶ୍‌ପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସାମି)ଙ୍କୁ ସାମିଲ କରାଯାଇଥିଲା ବେଳେ ସମାନ ସଂଖ୍ୟକ ବିଶେଷଜ୍ଞ ସ୍ପିନର (ୟୁଜ୍‌ବେନ୍ଦ୍ର ଚହଲ୍‌, କୁଲ୍‌ଦୀପ୍‌ ଯାଦବ ଓ ରବୀନ୍ଦ୍ର ଜାଦେଜା) ସ୍ଥାନ ପାଇଛନ୍ତି। ଅନ୍ୟତମ ଦ୍ରୁତ ବୋଲର ନଭ୍‌ଦୀପ୍‌ ସାଇନି ଓ ଖଲିଲ ଅହମ୍ମଦଙ୍କ ନାମ ଆଲୋଚନାକୁ ଯାଇଥିଲେ ମଧ୍ୟ ମନୋନୟନକର୍ତାମାନେ ଶେଷ କ୍ଷଣରେ ଉଭୟଙ୍କୁ ବାଦ୍‌ ଦେଇଥିଲେ। ତେବେ ଏହି ଦୁଇ ଜଣଙ୍କ ସମେତ ଅନ୍ୟ ୨ ଦ୍ରୁତ ବୋଲର ଅଭେଶ ଖାନ୍‌ ଓ ଦୀପକ୍ ଚହର ବିଶ୍ବକପ୍‌ ପ୍ରସ୍ତୁତି ବେଳେ ଭାରତୀୟ ଦଳକୁ ସହଯୋଗ କରିବେ ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ନିଷ୍ପତ୍ତି ନେଇଛି। ବିଶ୍ବକପ୍‌ରେ ଭାରତ ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକାକୁ ଭେଟି ଅଭିଯାନ ଆରମ୍ଭ କରିବାକୁ ଥିଲା ବେଳେ ପଛକୁ ପଛ ନ୍ୟୁଜିଲାଣ୍ଡ୍‌ (ଜୁନ୍‌ ୧୩), ପାକିସ୍ତାନ (ଜୁନ୍‌ ୧୬), ଆଫ୍‌ଗାନିସ୍ତାନ (ଜୁନ୍‌ ୨୨), ୱେଷ୍ଟଇଣ୍ଡିଜ୍‌ (ଜୁନ୍‌ ୨୭), ଇଂଲଣ୍ଡ୍‌ (ଜୁନ୍‌ ୩୦), ବାଂଲାଦେଶ (ଜୁଲାଇ ୨) ଏବଂ ଶ୍ରୀଲଙ୍କା (ଜୁଲାଇ ୬) ସହ ଖେଳିବାର ସୂଚୀ ରହିଛି।

ନୂଆଦିଲ୍ଲୀ,: ନ୍ୟୁଜିଲାଣ୍ଡ୍‌ ଓ ଅଷ୍ଟ୍ରେଲିଆ ପରେ ତୃତୀୟ ଦଳ ଭାବେ ସୋମବାର ଭାରତ ୧୫ ଜଣିଆ ବିଶ୍ବକପ୍‌ ଦଳ ଘୋଷଣା କରିଛି। ଏମ୍‌ଏସ୍‌କେ ପ୍ରସାଦଙ୍କ ନେତୃତ୍ବାଧୀନ ମନୋନୟନ ସମିତି ସେଭଳି କିଛି ଅଧିକ ଆଶ୍ଚର୍ଯ୍ୟ ଛାଡ଼ିନାହିଁ। ବରଂ ଯୁବ ୱିକେଟ୍‌ ରକ୍ଷକ ଋଷଭ ପନ୍ତ୍‌ଙ୍କୁ ବାଦ୍‌ ଦେବା ଆଶ୍ଚର୍ଯ୍ୟ ରହିଛି। ‌ୱିକେଟ୍‌ରକ୍ଷକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଉଥିବା ପନ୍ତ୍‌ ବିଶ୍ବକପ୍‌ ଟିକେଟ ନପାଇବା ସମସ୍ତଙ୍କୁ ଚକିତ କରିଥିଲା ବେଳେ ଅମ୍ବାତି ରାୟୁଡୁଙ୍କୁ ସୁଯୋଗ ନମିଳିବା ମଧ୍ୟ ଚର୍ଚାରେ ରହିଛି। ଅନ୍ୟପକ୍ଷରେ ଲୋକେଶ ରାହୁଲ୍‌, ଦୀନେଶ କାର୍ତିକ, ବିଜୟ ଶଙ୍କର ଓ ରବୀନ୍ଦ୍ର ଜାଦେଜା ବିଶ୍ବକପ୍‌ ଟିକେଟ ପାଇଯାଇଛନ୍ତି। ଦଳରେ ଅନ୍ୟ ସବୁ କ୍ରମ ପାଇଁ ଖେଳାଳି ସନ୍ତୁଳିତ ଥିଲେ ମଧ୍ୟ ୪ ନଂ ବ୍ୟାଟିଂ ପାଇଁ ଏବେ ବି ପ୍ରଶ୍ନବାଚୀ ରହିଯାଇଛି। ରାୟୁଡୁ ୨୦୧୯ରେ ଖରାପ ଫର୍ମ ପାଇଁ ସମ୍ଭବତଃ ମୂଲ୍ୟ ଦେଇଥିଲା ବେଳେ ପନ୍ତ୍‌ କିନ୍ତୁ ବାଦ୍‌ ପଡ଼ିବାର ଯଥେଷ୍ଟ କାରଣ ମିଳୁନି ବୋଲି କହିଛନ୍ତି ଭାଷ୍ୟକାର ହର୍ଷ ଭୋଗ୍‌ଲେ। ପୁଣି ଇଂଲଣ୍ଡ ଜଳବାୟୁରେ ଦ୍ରୁତ ବୋଲର ଖଲିଲ ଅହମ୍ମଦ ଓ ନଭ୍‌ଦୀପ୍‌ ସାଇନି ଖୁବ୍‌ ଭଲ ପ୍ରଦର୍ଶନ କରିପାରିଥାନ୍ତେ ବୋଲି ଭୋଗ୍‌ଲେ କହିଛନ୍ତି। ତଥାପି ଭାରତୀୟ ଦଳ ଘୋଷଣା ହୋଇସାରିଛି। କିନ୍ତୁ ଏହି ଦଳରେ ପରିବର୍ତନ ମଧ୍ୟ କରାଯାଇପାରେ। ଏପରିକି ଆଇସିସିର ବିନା ଅନୁମତିରେ କୌଣସି ବି ଦଳରେ ମେ’ ୨୩ ତାରିଖ ପର୍ଯ୍ୟନ୍ତ ପରବିର୍ତନ କରାଯାଇପାରିବ ବୋଲି ଭୋଗ୍‌ଲେ ତାଙ୍କ ଟ୍ବିଟ୍‌ରେ ସ୍ପଷ୍ଟ କରିଛନ୍ତି। ସେହିଦୃଷ୍ଟିରୁ ଭାରତୀୟ ଦଳରେ ମଧ୍ୟ ପରିବର୍ତନ ସମ୍ଭବ ବୋଲି ଭୋଗ୍‌ଲେ ଆଭାସ ଦେଇଛନ୍ତି।

ବାଂଲାଦେଶ ଦଳ ଘୋଷିତ: ଅବୁ ଜୟେଦ୍‌ ନୁଆମୁହଁ

‌ଢାକା, ୧୬ା୪: ଆସନ୍ତା ମ‌‌ାସ‌ରୁ ଆରମ୍ଭ ହେବାକୁଥିବା ବିଶ୍ବକପ୍‌ ଲାଗି ମଙ୍ଗଳବାର ବାଂଲାଦେଶ ଦଳ ଘୋଷିତ ହୋଇଛି। ବ୍ୟାଟ୍ସମ୍ୟାନ୍‌ ମସାଦେକ ହୁସେନ୍‌ ୧୫ ଜଣିଆ ଦଳକୁ ଫେରିଥିଲା ‌ବେଳେ ନୂଆ ମୁହଁ ଭାବେ ଯୁବ ସ୍ବିଙ୍ଗ୍‌ ବୋଲର ଅବୁ ଜୟେଦ୍‌ଙ୍କୁ ସ୍ଥାନ ମିଳିଛି। ଆଦୌ ଦିନିକିଆ ମ୍ୟାଚ୍‌ ଖେଳିନଥିବା ଜୟେଦ କେବଳ ୫ ‌‌ଟେଷ୍ଟ୍‌ ଓ ୩ ଟ୍ବେଣ୍ଟି-୨୦ ଖେଳିବାର ଅଭିଜ୍ଞତା ରଖିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ୨ ଟେଷ୍ଟ୍‌ରେ ସେ ସର୍ବାଧିକ ୱିକେଟ୍‌ ଦଖଲକାରୀ ହୋଇଥିଲେ। ଏହି ପ୍ରଦର୍ଶନ ଆଧା‌ରରେ ‌ସେ ବିଶ୍ବକପ୍‌ ଟିକେଟ୍‌ ହାସଲ କରି ନେଇଛନ୍ତି। ଆହତ‌ ଥିବା ୩ ଜଣ ଖେଳାଳି ବାମହାତୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ, ଅଲ୍‌ରାଉଣ୍ଡର ମହମୁଦୁଲା ଏବଂ ଦ୍ରୁତ ବୋଲର ରୁବେଲ ହୁସେନଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ସଂପ୍ରତି ଏହି ୩ ଜଣ ସୁସ୍ଥ ହେବା ଲାଗି ଚିକିତ୍ସିତ ହେଉଛନ୍ତି। ଲଣ୍ଡନ୍‌ର ଓଭାଲଠାରେ ବାଂଲାଦେଶ ଜୁନ୍ ୨ ତାରିଖରେ ଦକ୍ଷିଣ ଆଫ୍ରିକା ସହ ଖେଳି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ।
ଦଳ: ମସ୍ରଫେ ମୋର୍ତାଜା (ଅଧିନାୟକ), ତମିମ ଇକ୍‌ବାଲ, ଲିଟନ ଦାସ, ସୌମ୍ୟ ସରକାର, ମୁସ୍‌ଫିକର ରହିମ, ମହମୁଦୁଲା, ସକିବ ଅଲ୍‌ ହାସନ, ମହମ୍ମଦ ମିଥୁନ, ସବିର ରହମାନ, ମସାଦେକ ହୁସେନ, ମହମ୍ମଦ ସୈଫୁଦ୍ଦିନ୍‌, ମେହିଦି ହାସନ ମିରାଜ, ରୁବେଲ ହୁସେନ, ମୁସ୍ତାଫିଜୁର ରହମାନ, ଅବୁ ଜୟେଦ।

ଆଇପିଏଲ୍‌ ଛାଡ଼ିବେ ସକିବ
ହାଇଦ୍ରାବାଦ: ସନ୍‌ରାଇଜର୍ସ ହାଇଦ୍ରାବାଦର ବାଂଲାଦେଶ ଅଲ୍‌ରାଉଣ୍ଡର ସକିବ ଅଲ୍‌ ହାସନ ବିଶ୍ବକପ୍‌ ପ୍ରସ୍ତୁତି ଲାଗି ଆଇପିଏଲ୍‌ ଛାଡ଼ିବେ। ମଙ୍ଗଳବାର ଘୋଷିତ ବାଂଲାଦେଶ ବିଶ୍ବକପ୍‌ ଦ‌ଳରେ ସକିବଙ୍କୁ ସ୍ଥାନ ମିଳିଛି। ବିଶ୍ବକପ୍‌ ପୂର୍ବ ପ୍ରସ୍ତୁତି ଲାଗି ଆମେ ସକିବଙ୍କୁ ଫେରାଇ ଆଣିବା ଲାଗି ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ଚିଠି ଲେଖିଛୁ। ୨୨ ତାରିଖରୁ ଜାତୀୟ ଦଳର ପ୍ରସ୍ତୁତି ଶିବିର ଆରମ୍ଭ ହେବ। ଆମର ଆଶା ସେ ୨୨ କିମ୍ବା ୨୩ ତାରିଖରେ ଦଳ ସହ ପ୍ରସ୍ତୁତି ଶିବିରରେ ଯୋଗଦେବେ ବୋଲି ବିସିବି (ବାଂଲାଦେଶ କ୍ରିକେଟ୍‌ ବୋର୍ଡ)ର କ୍ରିକେଟ୍‌ ପରିଚାଳନା ସମିତି ଅଧ୍ୟକ୍ଷ ଆକ୍ରମ ଖାନ୍‌ ମଙ୍ଗଳବାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର