ନ୍ୟୁଜିଲାଣ୍ଡ ଶୃଙ୍ଖଳା ଲାଗି ଭାରତୀୟ ଦଳ ଘୋଷିତ: କାର୍ତିକ, ସାର୍ଦୁୁଲଙ୍କୁ ଡକରା’

ନୂଆଦିଲ୍ଲୀ: ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ଶନିବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଓ୍ଵିକେଟ୍‌ ରକ୍ଷକ ଦୀନେଶ କାର୍ତିକ ଏବଂ ଦ୍ରୁତ ବୋଲର ସାର୍ଦୁଲ ଠାକୁର ଜାତୀୟ ଦଳକୁ ଫେରିଥିଲା ବେଳେ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ସାମିଲ ଥିବା ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଓ ଉମେଶ ଯାଦଙ୍କ ସହ ଶୀର୍ଷକ୍ରମ ଖେଳାଳି ଲୋକେଶ ରାହୁଲ ବାଦ୍‌ ପଡ଼ିଛନ୍ତି। ଚୟନକର୍ତାମାନେ ଦୁଇ ଅଭିଜ୍ଞ ସ୍ପିନର ରବୀନ୍ଦ୍ର ଜାଦେଜା ଏବଂ ରବିଚନ୍ଦ୍ରନ୍‌ ଅଶ୍ୱିନଙ୍କୁ ପୁଣି ଥରେ ଅଣଦେଖା କରିଛନ୍ତି। ପତ୍ନୀଙ୍କ ଅସୁସ୍ଥତା ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଓହରି ଯାଇଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ କିନ୍ତୁ ଫେରିଛନ୍ତି। ତାମିଲନାଡୁ ଓ୍ଵିକେଟ୍‌ ରକ୍ଷକ ଦୀନେଶ କାର୍ତିକ ଭାରତୀୟ ଚାମ୍ପିଅନ୍ସ ଟ୍ରଫି ଦଳରେ ଥିଲେ। ହେଲେ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନଥିଲେ। ଶେଷ ଥର ପାଇଁ ସେ ଜୁଲାଇ ମାସରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ କ୍ରିକେଟ୍‌ ଖେଳିଥିଲେ। ୩୨ ବର୍ଷୀୟ କାର୍ତିକ ଅଷ୍ଟ୍ରେଲିଆ ବିପକ୍ଷ ଟେ୍ଵଣ୍ଟି-ଶୃଙ୍ଖଳା ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ହେଲେ ସେହି ଶୃଙ୍ଖଳାରେ ବି କୌଣସି ମ୍ୟାଚ୍‌ ଖେଳିବାର ସୁଯୋଗ ତାଙ୍କୁ ମିଳି ନଥିଲା। ଅନ୍ୟ ପକ୍ଷରେ ଶ୍ରୀଲଙ୍କା ଶୃଙ୍ଖଳା ଖେଳିଥିବା ସାର୍ଦୁଲଙ୍କୁ ଚୟନକତା ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଅଣଦେଖା କରିଥିଲେ। ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ସେ ପୁଣି ଥରେ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି। ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାଓ୍ଵନ, ଅଜିଙ୍କ୍ୟ ରାହାଣେ, ମନୀଷ ପାଣ୍ଡେ, କେଦାର ଯାଦବ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ସାର୍ଦୁଲ ଠାକୁର।

ନ୍ୟୁଜିଲାଣ୍ଡ ଦଳରେ ଫିଲିପ ଓ ଆଷ୍ଟଲ

ନୂଆଦିଲ୍ଲୀ: ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଲାଗି ଓ୍ଵିକେଟ୍‌ ରକ୍ଷକ ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ଫିଲିପ୍ସ ଏବଂ ଲେଗ୍‌ ସ୍ପିନର ଟଡ୍‌ ଆଷ୍ଟଲଙ୍କୁ ନ୍ୟୁଜିଲାଣ୍ଡ ତା’ର ୧୫ ଜଣିଆ ଦଳରେ ସାମିଲ କରିଛି। ସେହିଭଳି ଯୁବ ବ୍ୟାଟ୍ସମ୍ୟାନ୍‌ କଲିନ ମୁନ୍‌ରୋ, ଜର୍ଜ ଓ୍ଵାର୍କର, ହେନରି ନିକୋଲାସ ଏବଂ ମ୍ୟାଟ୍‌ ହେନରି ମଧ୍ୟ କିଓ୍ଵି ଦଳରେ ସ୍ଥାନ ପାଇଛନ୍ତି। ଫିଲିପ୍ସ ଏବଂ ଆଷ୍ଟଲ ନ୍ୟୁଜିଲାଣ୍ଡ ‘ଏ’ ଦଳରେ ସାମିଲ ହୋଇ ଭାରତ ‘ଏ’ ବିପକ୍ଷରେ ଶୃଙ୍ଖଳା ଖେଳୁଥିଲେ। ଏହି ଶୃଙ୍ଖଳାରେ ଭଲ କରିବା ପରେ ଉଭୟଙ୍କୁ ଚୟନକର୍ତା ଭାରତ ବିପକ୍ଷ ଶୃଙ୍ଖଳା ଲାଗି ବିଚାରକୁ ନେଇଛନ୍ତି। ଉଭୟ ନ୍ୟୁଜିଲାଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ ପଦାର୍ପଣ କରି ସାରିଛନ୍ତି। ହେଲେ ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟ୍‌ ଖେଳିବାର ସୁଯୋଗ ପାଇବାକୁ ଯାଉଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ମୁମ୍ବାଇରେ ଅକ୍ଟୋବର ୨୨ରେ ଏବଂ ତିନି ଟିକିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳା ନଭେମ୍ବର ପହିଲାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ ଭାରତ ଗସ୍ତ ଲାଗି ନ୍ୟୁଜିଲାଣ୍ଡ ଗତ ସପ୍ତାହରେ ୯ ଜଣିଆ ଦଳ ଘୋଷଣା କରିଥିଲା। ତା’ ସହ ଭାରତ ‘ଏ’ ବିପକ୍ଷ ଶୃଙ୍ଖଳାରୁ ୬ ଜଣ ଖେଳାଳିଙ୍କୁ ନିଜ ଚୂଡ଼ାନ୍ତ ଦଳରେ ସାମିଲ କରିବ ବୋଲି ଘୋଷଣା କରିଥିଲା। ତଦନୁଯାୟୀ ଭାରତରେ ଭାରତ ‘ଏ’ ବିପକ୍ଷରେ ଶୃଙ୍ଖଳା ଖେଳୁଥିବା ଖେଳାଳିଙ୍କ ମଧ୍ୟରୁ ଉନ୍ନତ ପ୍ରଦର୍ଶନ ଆଧାରରେ ଶନିବାର ବଳକା ୬ ଜଣ ଖେଳାଳିଙ୍କ ନାଁ ଘୋଷଣା କରିଛି।

ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ଵିଲିୟମସନ୍‌ (ଅଧିନାୟକ), ଟଡ୍‌ ଆଷ୍ଟଲ, ଟ୍ରେଣ୍ଟ ବୋଲ୍ଟ, କଲିନ୍‌ ଡି’ ଗ୍ରାଣ୍ଢୋମେ, ମାର୍ଟିନ ଗପ୍ଟିଲ, ମ୍ୟାଟ୍‌ ହେନରି, ଟମ୍‌ ଲାଥାମ, ହେନରି ନିକୋଲାସ, ଆଦାମ ମିଲନେ, କଲିନ୍‌ ମୁନରୋ, ଗ୍ଲେନ୍‌ ଫିଲିପ୍ସ, ମିଚେଲ ସାଣ୍ଟନର, ଟିମ୍‌ ସାଉଦି, ରସ୍‌ ଟେଲର, ଜର୍ଜ ଓ୍ଵାର୍କର।

ସମ୍ବନ୍ଧିତ ଖବର