ଭାରତର କ୍ରିକେଟ୍ କୂଟନୀତି, ଆଫଗାନିସ୍ତାନ ଉତ୍‌ଥାନ ପଛରେ ଭାରତ

କାନ୍ଧାର ଓ ମଜାର-ଏ-ସରିଫ୍‌ରେ ଷ୍ଟାଡିୟମ୍ ନିର୍ମାଣ ଲାଗି ସହାୟତା

ନୂଆଦିଲ୍ଲୀ: ତାରକା ଖଚିତ ଭାରତୀୟ କ୍ରିକେଟ୍ ଦଳକୁ ଅନଭିଜ୍ଞ ଆଫଗାନିସ୍ତାନ ଶନିବାର ପାଣି ପିଆଇ ଦେଇଥିଲା। ଏପରିକି ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାର ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। ଭାରତୀୟ ଦଳ ଅବଶ୍ୟ ଶେଷରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା। ତେବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଯେ କୋହଲିଙ୍କ ଶକ୍ତିଶାଳୀ ବାହିନୀ ହାରୁ ହାରୁ ଜିତି ଯାଇଥିଲା। ଭାରତ ବିଜୟୀ ହୋଇଥିଲା ସତ, ଲଢ଼ୁଆ ଖେଳ ପାଇଁ ଆଫଗାନିସ୍ତାନ କିନ୍ତୁ ଉଚ୍ଚ ପ୍ରଶଂସିତ ହୋଇଥିଲା। ହେଲେ ଏକଥା ସମସ୍ତେ ଜାଣି ନ ଥିବେ ଯେ ଆଫଗାନିସ୍ତାନରେ ହୋଇଥିବା କ୍ରିକେଟ୍ ବିପ୍ଳବ ପଛରେ ଭାରତର ପ୍ରଚ୍ଛନ୍ନ ହାତ ରହିଛି। ଭାରତଠାରୁ ସହାୟତା ପାଇ ହିଁ ଆଫଗାନିସ୍ତାନ ଏବେ ବିଶ୍ବ କ୍ରିକେଟ୍‌ର ଉଦୀୟମାନ ଶକ୍ତି ଭାବେ ଉଭା ହୋଇଛି। ଏଣୁ କେହି କେହି ଆଫଗାନିସ୍ତାନକୁ ମଜାରେ ଭାରତର ‘ବି ଟିମ୍’ ବୋଲି ମଧ୍ୟ କହୁଛନ୍ତି। ଭାରତର ଘରେ ଘରେ ପରିଚିତ ଗୁଣ୍ଡ ଦୁଗ୍ଧ ପ୍ରସ୍ତୁତକାରୀ କଂପାନି ‘ଅମୁଲ’ ଆଫଗାନିସ୍ତାନ ଦଳର ପ୍ରମୁଖ ପ୍ରା‌ୟୋଜକ ରହିଛି। ଆଫଗାନ ଖେଳାଳିଙ୍କ ଜର୍ସିରେ ‘ଅମୁଲ’ ବ୍ରାଣ୍ଡ ଶୋଭା ପାଉଛି। ବିସିସିଆଇଠାରୁ ଆରମ୍ଭ କରି ଭାରତ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ବହୁଳ ଏବଂ ଭିନ୍ନ ଭିନ୍ନ ଉପାୟରେ ଆଫଗାନିସ୍ତାନ କ୍ରିକେଟରଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ଆଫଗାନିସ୍ତାନ କ୍ରିକେଟ୍‌ ପାଇଁ ଭାରତ ଦେବଦୂତ ପାଲଟିଛି। ଯୁଦ୍ଧ ବିଶ୍ବସ୍ତ ଆଫଗାନିସ୍ତାନ ମଧ୍ୟ କ୍ରିକେଟ୍ ମାଧ୍ୟମରେ ନିଜ ଉପସ୍ଥିତିକୁ ବିଶ୍ବ ଦରବାରରେ ଜାହିର କରୁଛି। କ୍ରିକେଟ୍ ଏହି ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି। ଦଶନ୍ଧି ଦଶନ୍ଧିର ଯୁଦ୍ଧ କ୍ଷତରେ ମଲମର କାର୍ଯ୍ୟ କରୁଛି। ଆଫଗାନ କ୍ରିକେଟରମାନେ ନିଜ ଦେଶରେ ଯୋଦ୍ଧା ପାଲଟି ଯାଇଛନ୍ତି। ସେମାନେ ଏବେ ଆଫଗାନିସ୍ତାନର ଗର୍ବ ଓ ଗୌରବ। ତାଲିବାନ ଏବଂ ଆଫଗାନିସ୍ତାନ ସରକାର ଯୁଦ୍ଧରେ ମାତିଥିଲେ ମଧ୍ୟ ସେଠାକାର କ୍ରିକେଟର ଉଭୟଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି।

ଗ୍ରେଟର ନଏଡା, ଡେରାଡୁନ୍, ଲକ୍ଷ୍ନୌରେ ଘରୋଇ ପଡ଼ିଆ ସୁବିଧା
ଆଫଗାନ କ୍ରିକେଟ୍ ଦଳକୁ ବୈଷୟିକ ଓ ସଂଚାଳନ ସହାୟତା
ରଣଜୀ ଟ୍ରଫିରେ ଆଫଗାନିସ୍ତାନର ୧୦ ପ୍ରଶିକ୍ଷକଙ୍କୁ ସୁଯୋଗ
ଭାରତୀୟ କଂପାନି ‘ଅମୁଲ’ ପ୍ରମୁଖ ପ୍ରାୟୋଜକ

ବିଶ୍ବର ଆର୍ଥିକ ସୁପରପାୱାର ଆମେରିକା ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନ ତାଲିବାନର ଶକ୍ତି କମାଇବାରେ ଲାଗିଥିଲା ବେଳେ କ୍ରିକେଟ୍ ସୁପର ପାୱାର ଭାରତ କ୍ରୀଡ଼ା ମାଧ୍ୟମରେ ସାଧାରଣ ଆଫଗାନ ନାଗରିକଙ୍କ ଦୁଃଖ ଦୂର କରି ପାରିଛି। ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଛି। ଆଫଗାନିସ୍ତାନ କ୍ରିକେଟର ଉନ୍ନତିରେ ଭାରତର ଢେର ଭୂମିକା ରହିଛି ବୋଲି ସେହି ଦେଶର କ୍ରିକେଟର ମଧ୍ୟ ସ୍ବୀକାର କରୁଛନ୍ତି। ଭାରତ ଏବେ ତାଲିବାନର ଗଡ଼ କାନ୍ଧାର ଏବଂ ଆଫଗାନିସ୍ତାନର ଅନ୍ୟ ଏକ ଯୁଦ୍ଧ ବିଧ୍ବସ୍ତ ସହର ମଜାର-ଏ-ସରିଫରେ ଦୁଇଟି କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ କରୁଛି। ଭାରତ ଦୁର୍ବଳ ଅର୍ଥନୀତି ଥିବା ଆଫଗାନିସ୍ତାନ ଖେଳାଳିଙ୍କୁ ‌ଗ୍ରେଟର ନଏଡା, ଡେରାଡୁନ ଏବଂ ଲକ୍ଷ୍ନୌରେ ପଡ଼ିଆ ଯୋଗାଇ ଦେଇଛି। ଆଫଗାନିସ୍ତାନ ନିଜ ଅନ୍ତର୍ଜାତୀୟ ମ୍ୟାଚ୍ ଲାଗି ଏଠାରେ ଥିବା ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ କରିଛି। ଯାହା ବ୍ୟକ୍ତିଗତ ସୁରକ୍ଷା ଦୃଷ୍ଟିରୁ ଆଫଗା‌ନ ଖେଳାଳିଙ୍କ ଜୀବନ ରେଖା ସଦୃଶ ହୋଇଛି। କାରଣ ଘରୋଇ ପରିବେଶରେ ସେମାନଙ୍କ ଜୀବନ ପ୍ରତି ସବୁବେଳେ ବିପଦ ରହିଛି। ଭାରତର ଶ୍ରେଷ୍ଠ ଖେଳାଳିଙ୍କ ସହ ଅଭ୍ୟାସ କରିବାର ସୁଯୋଗ ମଧ୍ୟ ଆଫଗାନିସ୍ତାନ ଖେଳାଳିଙ୍କୁ ମିଳୁଛି। ସ୍ପିନର ରସିଦ ଖାନ୍ ଏବଂ ଅଲରାଉଣ୍ଡର ମହମ୍ମଦ ନବି ନିୟମିତ ଆଇପିଏଲ୍ ଖେଳୁଛନ୍ତି। ଆଫଗାନିସ୍ତାନକୁ ବିସିସିଆଇ ବୈଷୟିକ ଏବଂ ଦଳୀୟ ସଂଚାଳନ ସହାୟତା ପ୍ରଦାନ କରୁଛି। ରଣଜୀ ଟ୍ରଫି ଋତୁ‌ରେ ୧୦ ଜଣ ଆଫଗାନିସ୍ତାନ ପ୍ରଶିକ୍ଷକଙ୍କୁ ସୁଯୋଗ ଦେବା ଲାଗି ମଧ୍ୟ ବିସିସିଆଇ ଯୋଜନା ପ୍ରସ୍ତୁତ କରୁଛି। ଆସନ୍ତା ଋତୁରେ ଏହା କାର୍ଯ୍ୟକାରୀ ହୋଇପାରେ। କ୍ରିକେଟ୍ ଦକ୍ଷିଣ ଏସିଆରେ ସଂପର୍କ ଏବଂ ସହଯୋଗ ବୃଦ୍ଧିର ଏକ ବଳିଷ୍ଠ ମାଧ୍ୟମ ହୋଇ ପାରିଛି। ପଡ଼ୋଶୀ ମାଳଦ୍ବୀପରେ କ୍ରିକେଟ୍ ଲୋକପ୍ରିୟତାର ନୂଆ ସ୍ତର ଛୁଇଁଛି। ଏହି ଦେଶର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହା ଜଣେ କ୍ରିକେଟ୍ ପ୍ରଶଂସକ। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଳଦ୍ବୀପ ଗସ୍ତରେ ସୋଲିହାଙ୍କୁ ଭାରତୀୟ ଦଳର ସ୍ବାକ୍ଷର ଥିବା ଏକ କ୍ରିକେଟ୍ ବ୍ୟାଟ୍ ଉପହାର ଦେଇଥିଲେ। ଏପରିକି ସେଠାରେ ଏକ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଭାରତ ମଧ୍ୟ ମାଳଦ୍ବୀପ ଖେଳାଳିଙ୍କୁ କ୍ରିକେଟ୍ ସଂରଜାମ ଏବଂ ପ୍ରଶିକ୍ଷଣ ଯୋଗାଇ ଦେବ। ଏହି ଷ୍ଟାଡିୟମ୍ ମାଳଦ୍ବୀପର ହୁଲହୁମାଲି ନାମକ ଏକ ଦ୍ବୀପରେ ନିର୍ମାଣ କରାଯିବାର ଯୋଜନା ରହିଛି। ଭାରତ ଏଥିଲାଗି ଆର୍ଥିକ ଏବଂ ବୈଷୟିକ ସହାୟତା ପ୍ରଦାନ କରିବ। ସୂଚନାଯୋଗ୍ୟ ଯେ ଅମୁଲ ତୃତୀୟ ଥର ପାଇଁ ବିଶ୍ବକପ୍‌ରେ କୌଣସି ଦଳର ପ୍ରାୟୋଜକ ହୋଇଛି। ଅତୀତରେ ଏହି ଲୋକପ୍ରିୟ ବ୍ରାଣ୍ଡ ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡ ଭଳି ଦଳର ପ୍ରାୟୋଜକ ରହି ସାରିଛି।

ସମ୍ବନ୍ଧିତ ଖବର