ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତୀୟ ମହିଳା ହକି ଟିମ୍‌ ଠାରୁ ମାଲେସିଆ ୪-୧ରେ ପରାସ୍ତ

ଗୋଲଡ୍‌କୋଷ୍ଟ: ଭାରତୀୟ ମହିଳା ହକି ଟିମ୍‌ ମାଲେସିଆକୁ ୪-୧ରେ ପରାସ୍ତ କରିଛି। ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟ ଠାରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଟିମ୍‌ ପୁଲ୍‌-ଏ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି। ଦଳର ଗୁରଜିତ କୌର ୬ ଓ ୩୯ ମିନିଟରେ ୨ଟି ଗୋଲ ଦେଇଥିଲେ। ସେହିଭଳି ଅଧିନାୟିକା ରାନୀ ୫୬ ମିନିଟରେ ଓ ଲାଲରେମସିଆମି ୫୯ ମିନିଟରେ ଗୋଲ ଦେଇଥିଲେ। ମାଲେସିଆ ତରଫରୁ ନୁରାଇନ ରସିଦ ୩୮ ମିନିଟରେ ଗୋଲ ଦେଇଥିଲେ।

ଭାରତୀୟ ଦଳ ପ୍ରଥମ କ୍ୱାଟରରୁ ହିଁ ଭଲ ପ୍ରଦର୍ଶନ କରିଥିଲା। ପ୍ରଥମ କ୍ୱାର୍ଟରରେ ବିରୋଧୀ ଦଳ ଉପରେ ଆକ୍ରମଣ କରି ଚାଲିଥିଲା। ଏହି ସମୟ ଭିତରେ ୩ଟି ପ୍ୟାନାଲଟି ଗୋଲ ଦେବାକୁ ସୁଯୋଗ ମିଳିଥିଲା କିନ୍ତୁ ଶେଷଟିରେ ସଫଳତା ମିଳିଥିଲା। ୬ଷ୍ଠ ମିନିଟରେ ଗୁରଜିତ ଚତୁରତାର ସହିତ ବଲକୁ ଗଡ଼ାଇ ଗୋଲ ଦେଇଥିଲେ। ୨ୟ କ୍ୱାର୍ଟରରେ ଉଭୟ ଦଳର ଖେଳାଳି ସକ୍ରିୟ ହୋଇ ଉଠିଥିଲେ। ଭାରତ ୨ୟ ଗୋଲ ଦେବାକୁ ଉଦ୍ୟମ କରୁଥିବା ବେଳେ ମାଲେସିଆ ସମତୁଳ କରିବାକୁ ଉଦ୍ୟମ କରୁଥିଲା। ଭାରତୀୟ ଟିମ୍‌ ଇଂଲଣ୍ଡ ବିପକ୍ଷରେ ତା’ର ୩ୟ ମ୍ୟାଚ୍‌ ଏପ୍ରିଲ ୮ରେ ଖେଳିବ।

ସମ୍ବନ୍ଧିତ ଖବର