ଆଉ ୯ ଦିନ: ଭାରତର ଶ୍ରେ‌ଷ୍ଠ ବିଶ୍ବକପ୍‌ ତାରକା

ନୂଆଦିଲ୍ଲୀ: ୧୯୭୫ ମସିହାରୁ ଆରମ୍ଭ ହୋଇଥବା ପ୍ରତିଟି ସଂସ୍କରଣ ବିଶ୍ବକପ୍‌ରେ ଭାରତ ଅଂଶଗ୍ରହଣ କରିଆସୁଛି। ୪୪ ବର୍ଷ ଭିତରେ ଅନୁଷ୍ଠିତ ବିଗତ ୧୧ ସଂସ୍କରଣ ମଧ୍ୟରୁ ଭାରତ ମଧ୍ୟ ୨ ଥର ବିଜେତା ଏବଂ ଥରେ ଉପବିଜେତା ରହିଛି। ୩ ଥର ସେମି‌ଫାଇନାଲରୁ ବିଦାୟ ନେଇଛି। ଉପରୋକ୍ତ ସଂସ୍କରଣଗୁଡ଼ିକରେ କିନ୍ତୁ ଭାରତ ପକ୍ଷରୁ ଶ୍ରେ‌ଷ୍ଠ ପ୍ରଦର୍ଶନ କରିଥିବା ଖେଳାଳି ତାରକା ମାନ୍ୟତା ପାଇଛନ୍ତି। ସଚିନ ତେନ୍ଦୁଲକର ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଦୁଇଟି ବିଶ୍ବକପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରି କିମ୍ବଦନ୍ତୀ ବ୍ୟକ୍ତିତ୍ବର ମାନ୍ୟତା ପାଇଛନ୍ତି।

।ଅବିଦ ଅଲୀ (୧୯୭୫)
ହାଇଦ୍ରାବାଦ ଅଲରାଉଣ୍ଡର୍ ଅବିଦ ଅଲୀ ଭାରତର ନିରାଶାଜନକ ବିଶ୍ବକପ୍‌ ପଦାର୍ପଣରେ ଏକମାତ୍ର ଭଲ ପ୍ରଦର୍ଶନକାରୀ ଥିଲେ। ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଅବିଦ୍ ଅଲୀ ୯୮ ବଲ୍‌ରୁ ୭୦ ରନ୍ କରିଥିଲେ, ଯେଉଁଥିରେ ୫ ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। କିନ୍ତୁ ଗ୍ଲେନ୍ ଟର୍ନରଙ୍କ ୧୧୪* ରନ୍ ପାଳି ପାଇଁ ଅଲୀଙ୍କ ଅର୍ଧଶତକ ବେକାର ଯାଇଥିଲା।

।ମହିନ୍ଦର ଅମରନାଥ (୧୯୮୩)
ଭାରତକୁ ପ୍ରଥମ ଥର ବିଶ୍ବକପ୍‌ ବିଜେତା କରାଇବାରେ ଅଲରାଉଣ୍ଡର୍ ମହିନ୍ଦର ଅମରନାଥଙ୍କ ଅବଦାନ ଚିର ସ୍ମରଣୀୟ ରହିବ। ଇଂଲଣ୍ଡ ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ଅମରନାଥ ଅଲରାଉଣ୍ଡ୍ ପ୍ରଦର୍ଶନ (୨/୨୬ ପରେ ୪୬ ରନ୍‌) କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଫାଇନାଲରେ ମଧ୍ୟ ଉପଯୋଗୀ ଅବଦାନ ରଖିଥିଲେ। ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହୋଇ ୨୬ ରନ୍ କରିବା ପରେ ବୋଲିଂରେ କମାଲ ଦେଖାଇଥିଲେ। ମାତ୍ର ୧୨ ରନ୍ ବିନିମୟରେ ୩ ୱିକେଟ୍ ନେଇ କପିଳ ଦେବଙ୍କ ଦଳକୁ ବିଶ୍ବ ବିଜେତା କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ମାଇକେଲ୍ ହୋଲ୍‌ଡିଂକୁ ଶେଷ ବ୍ୟାଟସମ୍ୟାନ୍ ଭାବେ ଆଉଟ୍ କରିବା ପରେ ଏହି ଅଲରାଉଣ୍ଡର୍ ଷ୍ଟମ୍ପ୍‌ ସଂଗ୍ରହ କରି ଦୌଡ଼ିବାର ଫଟୋ ଏବେ ବି ଅଭୁଲା ରହିଛି।

।ସୁନିଲ ଗାଭାସ୍କର (୧୯୮୭)
୧୯୮୭ ମସିହାର ଉପମହାଦେଶ ସଂସ୍କରଣରେ ଲିଟିଲ ମାଷ୍ଟର୍‌ ସୁନିଲ ଗାଭାସ୍କର ଜବରଦସ୍ତ ଫର୍ମରେ ଥିଲେ। ୭ ପାଳିରୁ ମୋଟ ୩୦୦ ରନ୍ କରି ଅଗ୍ରଣୀ ରହିଥିଲେ। ନାଗପୁରରେ ମଧ୍ୟ ନିଜର ପ୍ରଥମ ତଥା ଏକମାତ୍ର ଦିନିକିଆ ଶତକ ସେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ହାସଲ କରିଥିଲେ। ଏହା ମ୍ୟାଚ୍‌ ବିଜୟୀ ସାବ୍ୟସ୍ତ ହୋଇଥିଲା। ବିଶ୍ବକପ୍‌ରେ ଗାଭାସ୍କର ଏବଂ ଶ୍ରୀକାନ୍ତ ଯୋଡ଼ି ଭାରତକୁ ଏକାଧିକ ଥର ଭଲ ଆରମ୍ଭ ଦେଇଥିଲେ। କିନ୍ତୁ ସେମିଫାଇନାଲରେ ଭାରତ ୩୫ ରନ୍‌ରେ ହାରିଥିବା ବେଳେ ମାତ୍ର ୪ ରନ୍ କରିଥିବା ଗାଭାସ୍କରଙ୍କ ଖେଳ ଜୀବନ ଦୁଃଖଦ ପରିସମାପ୍ତିର ରେଖା ଟାଣିଥିଲା।

।ସଚିନ ତେନ୍ଦୁଲକର (୧୯୯୬)
୧୯୯୬ ମସିହାର ବିଶ୍ବକପ୍‌ ମଧ୍ୟ ଭାରତୀୟ ଉପମହାଦେଶରେ ଖେଳାଯାଇଥିଲା। ଦିନିକିଆରେ ଅଗ୍ରଣୀ ରନ୍ ସଂଗ୍ରହକାରୀ ସଚିନ ତେନ୍ଦୁଲକର ନିଜ ସ୍ଥାନକୁ ଅଧିକ ଦୃଢ଼ କରିଥ‌ିଲେ। ଭାରତକୁ ସେମିଫାଇନାଲ୍ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏକ ନିର୍ଦ୍ଧିଷ୍ଟ ସଂସ୍କରଣରେ ୫୦୦ରୁ ଊର୍ଧ୍ବ ରନ୍‌ ସଂଗ୍ରହ କରିବାରେ ସେ ବିଶ୍ବର ପ୍ରଥମ ଖେଳାଳି ହୋଇ ନୂଆ ବିଶ୍ବକପ୍‌ କୀର୍ତିମାନ ପ୍ରତିଷ୍ଠା କରିଥିଲେ। ଇଡେନ୍ ଗାର୍ଡେନ୍ସରେ ଅର୍ଧଶତକ ହାସଲ କରିଥିଲେ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ସେମିଫାଇନାଲରେ ଦୁର୍ଭାଗ୍ୟଜନକ ଭାବେ ଆଉଟ୍ ହେବା ପରେ ଭାରତକୁ ଅଶ୍ରୁଳ ବିଦାୟ ନେବାକୁ ପଡ଼ିଥିଲା।

।ରାହୁଲ ଦ୍ରାବିଡ଼ (୧୯୯୯)
୫୦ ଓଭର କ୍ରିକେଟ୍‌ରେ ସଫଳତା ଅର୍ଜନ କରିବା ଲାଗି ରାହୁଲ ଦ୍ରାବିଡ଼ କିଛି ଅଧିକ ସମୟ ନେଇଥିଲେ। କିନ୍ତୁ ଥରେ ସେ ‌ଭଲ କରିବା ଆରମ୍ଭ କରିଦେବା ପରେ ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଥିଲେ। ୧୯୯୯ ବିଶ୍ବକପ୍‌ରେ ରାହୁଲ ଦ୍ରାବିଡ଼ଙ୍କ ଦିନିକିଆ କ୍ରିକେଟ୍ ଜୀବନ ଶୀର୍ଷ ସୋପାନ ଛୁଇଁଥିଲେ। ଇଂଲଣ୍ଡ ସଂସ୍କରଣରେ ଦ୍ରାବିଡ଼ ୪୬୧ ସହ ଅଗ୍ରଣୀ ରନ୍‌ ସଂଗ୍ରହକାରୀ ଥିଲେ। ଏହା ମଧ୍ୟରେ ୨ ଶତକ ଏବଂ ୩ ଅର୍ଧଶତକ ସାମିଲ ରହିଥିଲା। ମଧ୍ୟକ୍ରମରେ ଭାରତର ପାଳିକୁ ଗତିଶୀଳ କରାଇବାରେ ରାହୁଲ ନିର୍ଣ୍ଣାୟକ ରହିଥିଲେ। ଶ୍ରୀଲଙ୍କା ବିପକ୍ଷ ନିଶ୍ଚିତ ବିଜୟ ମ୍ୟାଚ୍‌ରେ ସୌରଭ ଗାଙ୍ଗୁଲିଙ୍କ ସହିତ ଦ୍ବିତୀୟ ୱିକେଟ୍‌ ପାଇଁ ୩୧୮ ରନ୍ ଭାଗୀଦାରି କରିବା ଦ୍ରାବିଡ଼ଙ୍କ ଖେଳ ଜୀବନର ସବୁଠୁ ଉଜ୍ବଳତମ ସମୟ ଥିଲା।

।ସଚିନ ତେନ୍ଦୁଲକର (୨୦୦୩)
ଏକବିଂଶ ଶତାବ୍ଦୀର ପ୍ରଥମ ବିଶ୍ବକପ୍‌ରେ ସଚିନ ତେନ୍ଦୁଲକରଙ୍କ ବ୍ୟାଟ୍‌ ବି ଧୂମ ରଚିଥିଲା। ମୋଟ ୬୭୩ ରନ୍ ସଂଗ୍ରହ କରି ଗୋଲଡେନ୍ ବ୍ୟାଟ୍‌ ବିଜେତା ହୋଇଥିଲେ। ‌ପାକିସ୍ତାନ ବିପକ୍ଷ ସେଞ୍ଚୁରିଅନ୍‌ ମ୍ୟାଚ୍‌ରେ ୱାସିମ୍ ଆକ୍ରମ, ୱାକର୍ ୟୁନିସ୍‌, ସୋଏବ ଅଖତରଙ୍କ ଭଳି କ୍ବାଲିଟି ପେସ୍ ବୋଲରଙ୍କ ବିପକ୍ଷରେ ସଚିନ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଭାରତର ବିଜୟରେ ସଚିନ୍ ଥିଲେ କର୍ଣ୍ଣଧାର। କିନ୍ତୁ ଗୁରୁତ୍ବପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍‌ରେ ଭଲ ଖେଳି ନ ପାରିବା ଭାରତକୁ ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ବାଧ୍ୟ କରିଥିଲା।

।ଯୁବରାଜ ସିଂହ (୨୦୧୧)
ବ୍ୟାଟ୍‌ ଓ ବଲ୍‌ରେ ସ୍ଥିର ପ୍ରଦର୍ଶନ ଦେଇ ଯୁବରାଜ ସିଂହ ଭାରତକୁ ୨୮ ବର୍ଷ ପରେ ପୁଣି ବିଶ୍ବକପ୍‌ ବିଜେତା କରାଇବାର ଗୌରବ ଆଣିଥିଲେ। ମୋଟ ୩୬୨ ରନ୍ ଏବଂ ବାମହାତୀ ସ୍ପିନ୍‌ରେ ୧୫ ୱିକେଟ୍ ଦଖଲ କରି ଅଲରାଉଣ୍ଡ୍ ପ୍ରଦର୍ଶନ କରିବାରୁ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଇଂଲଣ୍ଡ ବିପକ୍ଷରେ ୫୦ ବଲ୍‌ ୫୮ ରନ୍ ପରେ ଆୟର୍ଲାଣ୍ଡ ଏବଂ ନେଦରଲାଣ୍ଡ୍ ବିପକ୍ଷରେ ବି ସେ ଭଲ ଖେଳିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗୋଟିଏ ଶତକ ଏବଂ ୨ ୱିକେଟ୍‌ ନେଇଥିଲେ। କ୍ବାର୍ଟର ଫାଇନାଲରେ ଯୁବିଙ୍କ ଗୁରୁତ୍ବପୂର୍ଣ୍ଣ ୫୭ ରନ୍‌ ଅଷ୍ଟ୍ରେଲିଆର ୧୨ ବର୍ଷର ବିଶ୍ବକପ୍‌ ପ୍ରାଧାନ୍ୟକୁ ଅନ୍ତ ଘଟାଇଥିଲା। ପାକିସ୍ତାନ ବିପକ୍ଷ ସେମିଫାଇନାଲରେ ସେ ଭଲ ବୋଲିଂ କରି ଦଳକୁ ବିଜୟୀ କରାଇଥି‌ଲେ।

।ଶିଖର ଧାୱନ (୨୦୧୫)
ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ରେ ଅନୁଷ୍ଠିତ ୨୦୧୫ ମସିହାର ଗତ ବିଶ୍ବକପ୍‌ରେ ବାମହାତୀ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଶିଖର ଧାୱନ ୮ ପାଳିରୁ ୪୧୨ ରନ୍ କରିଥିଲେ। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସୁନ୍ଦର ୭୩ ରନ୍ ତାଙ୍କୁ ଆଗକୁ ନେଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ୧୩୦ ରନ୍ ବିଜୟରେ ଧାୱନ ୧୩୭ ରନ୍‌ର ଶତକୀୟ ପାଳି ଖେଳିଥିଲେ। ଆୟର୍ଲାଣ୍ଡ୍ ବିପକ୍ଷରେ ୮୫ ବଲ୍‌ ଶତକ ମଧ୍ୟ ଭାରତକୁ ସହଜ ବିଜୟ ଦେଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଧାୱନ ୪୫ ରନ୍ କରିଥିଲେ ମଧ୍ୟ ଭାରତ ଏହି ମୁଳଦୁଆରୁ ଫାଇଦା ଉଠାଇ ନ ପାରି ୯୫ ରନ୍‌ରେ ହାରିଯାଇଥିଲା।

ସମ୍ବନ୍ଧିତ ଖବର