ପରାଜୟ ଦ୍ବାରରେ ଇଣ୍ଡିଜ୍‌

ସେଣ୍ଟ୍ ଲୁସିଆ,: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟ୍‌ର ୱେଷ୍ଟଇଣ୍ଡିଜ୍ ପରାଜୟ ଦ୍ବାରଦେଶରେ ଛିଡ଼ା ହୋଇଛି। ୱେଷ୍ଟଇଣ୍ଡିଜ୍‌ ସମ୍ମୁଖରେ ୪୮୫ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଚତୁର୍ଥ ଦିନ ଖେଳ ଚା’ପାନ ପରବର୍ତୀ ଖେଳରେ ଦଳ ୨୨୫ ରନ୍‌ରେ ୮ ୱିକେଟ୍ ହରାଇ ଦେଇଥିଲା। ଶୃଙ୍ଖଳାକୁ ଜିତି ସାରିଥିଲେ ମଧ୍ୟ ଇଣ୍ଡିଜ୍‌ ଏବେ ବଡ଼ ପରାଜୟ ଅପେକ୍ଷାରେ ରହିଛି।
ଇଂଲଣ୍ଡ ମଙ୍ଗଳବାର ୩୨୫/୪ରୁ ଖେଳି ୩୬୧/୫ରେ ପାଳି ଘୋଷଣା କରିଥିଲା। ଅଧିନାୟକ ଜୋ ରୁଟ୍‌ (୧୨୨, ୨୨୫ ବଲ୍‌, ୧୦ ଚୌକା) ଆଉଟ୍ ହେବା ମାତ୍ରେ ଏହି ଘୋଷଣା କରିଥିଲେ। ନିଲମ୍ବିତ ହୋଇଥିବା ନିୟମିତ ଅଧିନାୟକ ଜାସନ୍ ହୋଲଡରଙ୍କ ବିନା ଖେଳୁଥିବା ୱେଷ୍ଟଇଣ୍ଡିଜ୍‌ କିନ୍ତୁ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ୩୧ ରନ୍‌ ଭିତରେ ୪ ୱିକେଟ୍‌ ହରାଇଥିଲା। ପ୍ରଥମ ଦୁଇ ଟେଷ୍ଟ୍‌ରେ ପରାଜିତ ଇଂଲଣ୍ଡ ଦଳର ଘାଇଲା ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ ପ୍ରଥମ ୩ ୱିକେଟ୍‌କୁ ନିଜର ପ୍ରଥମ ୩ ଓଭର ମଧ୍ୟରେ ଦଖଲ କରିଥିଲେ। ସାଇ ହୋପ୍‌ଙ୍କୁ ପ୍ରଥମ ପାଳି ନାୟକ ମାର୍କ ଉଡ୍‌ ବିଦାୟ ରାସ୍ତା ଦେଖାଇ ଦେଇଥିଲେ। ସୋମବାର ଜୋ ରୁଟ୍‌ ନିଜର ୧୬ତମ ଟେଷ୍ଟ୍‌ ଶତକ ହାସଲ କରିବା ସହିତ ୩ଟି ଗୁରୁତ୍ବପୂର୍ଣ୍ଣ ଭାଗୀଦାରି ଗଢ଼ିଥିଲେ। ଜୋ‌ ଡେନଲି (୬୯, ୯୯ ବଲ, ୧୧ ଚୌକା)ଙ୍କୁ ନେଇ ତୃତୀୟ ୱିକେଟ୍‌ରେ ୭୪ ରନ୍‌, ଜୋସ୍ ବଲଟର୍ (୫୬)ଙ୍କୁ ନେଇ ଚତୁର୍ଥ ୱିକେଟ୍‌ରେ ଏବଂ ବେନ୍ ଷ୍ଟୋକ୍ସ (୪୮*)ଙ୍କୁ ନେଇ ଦୁଇଟି ଶତକୀୟ ଭାଗୀଦାରି (ସମାନ ୧୦୭ ରନ୍‌ ଲେଖାଏଁ) ପ୍ରତିଷ୍ଠା କରିଥିଲେ। ଫଳରେ ଇଂଲଣ୍ଡ ବୃହତ ଅଗ୍ରଣୀ ଅର୍ଜନରେ ସଫଳ ହୋଇଥିଲା।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୨୭୭ (ବେନ୍ ଷ୍ଟୋକ୍ସ-୭୯, ଜୋସ୍ ବଟ୍‌ଲର-୬୭, କେମାର ରୋଚ୍‌-୪/୪୮)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୧୫୪ (ଜନ୍ କ୍ୟାମ୍ପ୍‌ବେଲ୍‌-୪୧, ମାର୍କ ଉଡ୍‌-୫/୪୧, ମୋଇନ୍ ଅଲୀ-୪/୩୬, ଷ୍ଟୁଆର୍ଟ ବ୍ରଡ୍‌-୧/୪୨)। ଇଂଲଣ୍ଡ ଦ୍ବିତୀୟ ପାଳି: ୧୦୫.୨ ଓଭରରେ ୩୬୧/୫, ଘୋଷଣା (ଜୋ ରୁଟ୍‌-୧୨୨, ଜୋ ଡେନଲି-୬୯, ଜୋସ୍ ବଟଲର୍‌-୫୬, ବେନ୍‌ ‌ଷ୍ଟୋକ୍ସ-୪୮*, ସାନନ୍‌ ଗାବ୍ରିଏଲ୍‌-୨/୯୨)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି: ୬୫ ଓଭରରେ ୨୨୫/୮ (ରସ୍ତନ୍ ଚେଜ୍‌-୮୭*, କେମାର ରୋଚ-୨୯, ଅଲଜାରି‌ ଯୋସେଫ-୩୪, ଜେମ୍ସ ଆଣ୍ଡରସନ୍‌-୩/୨୭, ମୋଇନ୍ ଅଲୀ-୩/୯୮, ମାର୍କ ଉଡ୍‌-୧/୫୨)।

ସାନନ୍‌ ଅଭିଯୁକ୍ତ
ସେଣ୍ଟ୍ ଲ୍ୟୁସିଆ: ଚଳିତ ଟେଷ୍ଟ୍ ଅବସରରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଏବଂ ଅନ୍ୟ ଖେଳାଳିଙ୍କ ଉଦ୍ଦେଶ୍ୟରେ ସମଲିଙ୍ଗୀ ଆକ୍ଷେପ କରିଥିବାରୁ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ସାନନ୍‌ ଗାବ୍ରିଏଲ୍‌ଙ୍କୁ ଆଇସିସି ଅଭିଯୁକ୍ତ କରିଛି। ଷ୍ଟମ୍ପ୍‌ ମାଇକ୍ରୋଫୋନ୍‌ରେ କଥା ଧରାପଡ଼ିବା ପରେ ଆଇସିସି ମଙ୍ଗଳବାର ଆଚରଣ ସଂହିତାର ଧାରା ୨.୧୩କୁ ଗାବ୍ରିଏଲ୍‌ ଉଲ୍ଲଂଘନ କରିଥିବା ଘୋଷଣା କରିଛି। ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଆଇସିସି ଆଉ କୌଣସି ବିବୃତ୍ତି ଜାରି କରିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରି ଦେଇଛି। ଇଂଲଣ୍ଡ ଅଧିନାୟକ ରୁଟ୍ କିନ୍ତୁ ସମଲିଙ୍ଗୀ କହିବା କିମ୍ବା ହେବାରେ କିଛି ଅସୁବିଧା ନାହିଁ ବୋଲି ମତ ଦେଇ ମହାନତାର ପରିଚୟ ଦେଇଛନ୍ତି।

ସମ୍ବନ୍ଧିତ ଖବର