ନ୍ୟୁଜିଲାଣ୍ଡ ଦିନିକିଆ: ଭାରତ ୮ ଓ୍ଵିକେଟରେ ବିଜୟୀ, ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ

ନାପିଏର: ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ ଅଭିଯାନ ବେଶ୍‌ ସୁଖଦ ହୋଇଛିି। ଆଜି ନାପିଏର ଠାରେ ପାଞ୍ଚଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ(୭୫ ରନ୍‌)  ଓ ବିରାଟ କୋହଲିଙ୍କ ଉପଯୋଗୀ ୪୫ ରନ୍‌ ସହାୟତାରେ ଭାରତ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ହରାଇଥିବା ଭାରତୀୟ ଦଳର ମନୋବଳ କେତେ ଦୃଢ଼ ହୋଇଛି ତାହା ନ୍ୟୁଜିଲାଣ୍ଡ ବିରୋଧୀ ପ୍ରଥମ ମ୍ୟାଚ୍‌ରୁ ସ୍ପଷ୍ଟ ହୋଇଯାଇଛି। ନ୍ୟୁଜିଲାଣ୍ଡ ଦ୍ୱାରା ଧାର୍ଯ୍ୟ ୧୫୬ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୩.୪ ଓଭରରେ ମାତ୍ର ଦୁଇ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ତେବେ କୋହଲି ଓ ଧାଓ୍ଵନଙ୍କ ଯୋଡ଼ି ୯୧ ରନ୍‌ର ପାର୍ଟନରସିପ୍‌ କରିଥିବା ବେଳେ କୋହଲି ଏକ ପୁଲ ସର୍ଟ ମାରିବାକୁ ଯାଇ ଆଉଟ୍‌ ହେବା ସହିତ ମାତ୍ର ୫ ରନ୍‌ ପାଇଁ ଆଉ ଏକ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି। ତେବେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ସମସ୍ତ ଓ୍ଵିକେଟ ହରାଇ ୧୫୭ ରନ୍‌ କରିଥିଲେ ମଧ୍ୟ ଖେଳକୁ ୧ ଓଭର କମ୍‌ କରାଯାଇ ଭାରତ ସମ୍ମୁଖରେ ୧୫୬ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିିଲା।


ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ନ୍ୟୁଜିଲାଣ୍ଡର ଏହି ନିଷ୍ପତ୍ତିକୁ ଭାରତୀୟ ବୋଲରମାନେ ଭୁଲ ପ୍ରମାଣିତ କରିଥିଲେ।। ଭାରତର ସ୍ପିନ୍‌ ଆକ୍ରମଣ ସମ୍ମୁଖରେ ନ୍ୟୁଜିଲାଣ୍ଡ ଦଳ ବେଶି ସମୟ ଛିଡ଼ା ହୋଇ ପାରି ନାହିଁ। ଭାରତର ଦୃତ ବୋଲର ମହମ୍ମଦ ସାମି ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟିିଂ ବିପର୍ଯ୍ୟୟ ଘଟାଇବା ପରେ ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ଓ କେଦାର ଯାଦବ ନ୍ୟୁଜିଲାଣ୍ଡକୁ ମାତ୍ର ୧୫୭ ରନ୍‌ରେ ସୀମିତ ରଖିବାରେ ସଫଳ ହୋଇଥିଲେ। ଭାରତ ତାର ନ୍ୟୁଜିଲାଣ୍ଡ ଗସ୍ତର ପ୍ରଥମ ମ୍ୟାଚ୍‌ରେ ବିଜୟ ପାଇଁ ୧୫୮ ରନ୍‌ର ଟାର୍ଗେଟ ପାଇ ଖେଳ ଆରମ୍ଭ କରିଥିଲା। ଭାରତର ପ୍ରଥମ ଓ୍ଵିକେଟ ୪୧ରନ୍‌ରେ ପତନ ଘଟିଥିଲା। ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୧ରନ୍‌ କରି ଆଉଟ୍‌ ହେବା ପରେ ଧାଓ୍ଵନଙ୍କ ସହିତ ଆସି ଯୋଗ ଦେଇଥିଲେ ଅଧିନାୟକ ବିରାଟ କୋହଲି।

କୋହଲି ଓ ଧାଓ୍ଵନ ବେଶ୍‌ ସ୍ୱାଭାବିକ ଭାବେ ଖେଳ ଭାରତର ସ୍କୋର ବୋର୍ଡକୁ ଆଗକୁ ବଢ଼ାଇଥିଲେ। ଉଭୟ ୯୧ରନ୍‌ର ପାର୍ଟନରସିପ୍‌ କରିଥିଲେ। ବିରାଟ ୫୯ଟି ବଲ ଖେଳି ୩ଟି ଚୌକା ସହିତ ୪୫ ରନ୍‌ ସଂଗ୍ରହ କରିଥିଲେ। ବିରାଟଙ୍କ ଆଉଟ୍‌ ପରେ ଧାଓ୍ଵନଙ୍କ ସହିତ ଯୋଗ ଦେଇଥିଲେ ଅମ୍ବାତି ରାଇଡୁ। ରାଇଡୁ ପ୍ରଥମ ବଲରେ ଚୌକା ମାରି ନ୍ୟୁଜିଲାଣ୍ଡ ଗସ୍ତର ଶୁଭାରମ୍ଭ କରିଥିଲେ। ତେବେ ଖେଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହେବାରୁ ଭାରତର ବ୍ୟାଟିଂ ଗୋଟିଏ ଓଭର କମ୍‌ କରାଯାଇ ବିଜୟ ଲକ୍ଷ୍ୟକୁ ୧୫୬ରନ୍‌ ସ୍ଥିର କରାଯାଇଥିଲା। ମାତ୍ର ଶିଖର ଧାଓ୍ଵନ ଆରମ୍ଭରୁ ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ଭାରୀ ପଡ଼ିଥିଲେ।

ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଅମ୍ବାତି ରାଇଡୁ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଓ ମହମ୍ମଦ ସାମି।
ନ୍ୟୁଜିଲାଣ୍ଡ ଟିମ୍‌- ମାର୍ଟିନ ଗୁପ୍‌ଟିଲ, କଲିନ୍‌ ମୁନ୍‌ରୋ, କେନ ଓ୍ଵିଲୟମସନ, ରୋଜ ଟେଲର, ଟମ୍‌ ଲାଥମ, ହେନୋରୀ ନିକୋଲାସ, ମାଇକେଲ ସଣ୍ଟର, ଡି ବ୍ରେସେଓ୍ଵଲ, ଟିମ୍‌ ସଉଥି, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ।

ସମ୍ବନ୍ଧିତ ଖବର