ଇନ୍ଦୋର ଟେଷ୍ଟ୍‌: ବ୍ରାଡ୍‌ମ୍ୟାନ୍‌ଙ୍କୁ ଟପିଲେ ମୟଙ୍କ, ଭାରତ ୪୯୩/୬

ଇନ୍ଦୋର: ମୟଙ୍କ ଅଗ୍ରୱାଲ ପୁଣି ଥରେ ତାଙ୍କ ଶତକକୁ ଦ୍ବିଶତକ (୨୪୩ ରନ୍‌, ୩୩୦ ବଲ୍‌, ୨୮ ଚୌକା, ୮ ଛକା)ରେ ପରିଣତ କରିଦେବାରୁ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଭାରତ ବଡ଼ ଅଗ୍ରଣୀ ନେଇଛି। ହାତରେ ୪ ୱିକେଟ୍ ଥାଇ ଦ୍ବିତୀୟ ଦିବସ ଶେଷ ସୁଦ୍ଧା ଭାରତ ୩୪୩ ରନ୍‌ ଆଗୁଆ ହୋଇସାରିଛି। ମୟଙ୍କଙ୍କ କୀର୍ତ୍ତିମାନ ଭରା ଦ୍ବିଶତକୀୟ ପାଳି ବ୍ୟତୀତ ଚେତେଶ୍ବର ପୂଜାରା (୫୪), ଅଜିଙ୍କ୍ୟ ରାହାଣେ (୮୬), ରବୀନ୍ଦ୍ର ଜାଦେଜା (୬୦*) ମଧ୍ୟ ଉପଯୋଗୀ ଅର୍ଧଶତକ ହାସଲ କରି ଭାରତକୁ ଦୃଢ଼ ସ୍ଥିତି ପ୍ରଦାନ କରିଛନ୍ତି। ବାଂଲାଦେଶ ପକ୍ଷରୁ ଅବୁ ଜୟେଦ ସଫଳ ବୋଲର ଭାବେ ୪ ୱିକେଟ୍ ନେଇଛନ୍ତି।

କୋହଲିଙ୍କ ତ୍ରିଶତକ ସଙ୍କେତ
ଇନ୍ଦୋରର ହୋଲକର ଷ୍ଟାଡିୟମ୍‌ରେ ଦିନ ତମାମ ମୟଙ୍କ ଅଗ୍ରୱାଲ ନିଜ ମହକ ଛାଡ଼ିବାରେ ଲାଗିଥିଲେ। କିନ୍ତୁ ଶୁକ୍ରବାର ଶୂନରେ ଆଉଟ୍ ହୋଇ ନିରାଶ କରିଥିବା ଅଧିନାୟକ ବିରାଟ କୋହଲିଙ୍କ ସହ ତାଙ୍କ ସ‌ାଙ୍କେତିକ ଭାବ ବିନିମୟ ପ୍ରଶଂସକଙ୍କୁ ମଜାଦାର ମୁହୂର୍ତ ଆଣି‌ ଦେଉଥିଲା। ପ୍ରଥମେ ମୟଙ୍କ ୧୫୦ ଟପିବ‌ା ବେଳେ ଡ୍ରେସିଂ ରୁମ୍‌କୁ ବ୍ୟାଟ୍‌ ଦେଖାଇ ସାଥୀ ଖେଳାଳିଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏହି ସମୟରେ କୋହଲି ଦୁଇଟି ଆଙ୍ଗୁଠି‌‌‌ ଦେଖାଇ ଦ୍ବିଶତକ ହାସଲ ପାଇଁ ଶୁଭକାମନା ଦେଇଥିଲେ। ଅପରାହ୍ନରେ ମୟଙ୍କ ଯେତେବେଳେ ମେହଦି ହାସନ ମିରାଜଙ୍କୁ ଲଙ୍ଗ୍ ଅନ୍‌ ଉପରେ ଛକା ମାରି ଦ୍ବିଶତକ ପୂର୍ଣ୍ଣ କଲେ ସେହି ଦୁଇ ଆଙ୍ଗୁଠି ଦେଖାଇଥିଲେ। କୋହଲି କିନ୍ତୁ ପୁଣି ଥରେ ୩ ଆଙ୍ଗୁଠି ଦେଖାଇ ଏହାକୁ ତ୍ରିଶତକରେ ରୂପାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ଅଧିନାୟକଙ୍କ ଏହି କଥା କିନ୍ତୁ ମୟଙ୍କ ରଖି ପାରିନଥିଲେ।

।ମୟଙ୍କ ମହକ
ଲଗାତାର ଶୃଙ୍ଖଳାରେ ମୟଙ୍କ ଅଗ୍ରୱାଲ ଦ୍ବିଶତକ ହାସଲ କରିବା ସହିତ ନିଜ ଟେଷ୍ଟ୍ ଜୀବନର ପ୍ରାରମ୍ଭିକ ଜାଜୁଲ୍ୟ ପ୍ରଦର୍ଶନ କରିଛନ୍ତି। ଅଷ୍ଟମ ଟେଷ୍ଟ୍ ଖେଳୁଥିବା ମୟଙ୍କ ନିଜର ଦ୍ବାଦଶ ପାଳିରେ ତୃତୀୟ ଶତକ ହାସଲ କରିଥିଲେ ମଧ୍ୟ ଏହାକୁ ଦ୍ବିଶତକରେ ପରିଣତ କରିବାରେ କୌଣସି ଭୁଲ କରିନଥିଲେ। ବରଂ ଛକାରେ ଦ୍ବିଶତକ ପୂରଣ କରି ଅନ୍ୟତମ ଭାରତୀୟ ଖେଳାଳି ରୋହିତ ଶର୍ମାଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଥିଲେ। ଚଳିତ ବର୍ଷ ୬ ଟେଷ୍ଟ୍‌ ୯ ପାଳିରୁ ୬୬୩ ରନ୍ ସଂଗ୍ରହ କରି ୨୦୧୯ରେ ସର୍ବାଧିକ ସ୍କୋର୍‌ ତାଲିକାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଚଳିତ ବର୍ଷ ୭ ପାଳିରୁ ସଂଗ୍ରହ କରିଥିବା ୭୭୪ ରନ୍‌ ଶୀର୍ଷରେ ରହିଛି। ୨୮ ବର୍ଷୀୟ ଏହି କର୍ଣ୍ଣାଟକୀ ବ୍ୟାଟ୍‌ସମ୍ୟାନ୍‌ ଶୁକ୍ରବାର ଚତୁର୍ଥ ୱିକେଟ୍ ପାଇଁ ଅଜିଙ୍କ୍ୟ ରାହାଣେ (୮୬, ୧୭୨ ବଲ୍‌, ୯ ଚୌକା)ଙ୍କ ସହ ୧୯୦ ରନ୍‌ ଯୋଡ଼ିଥିଲେ। ରବୀନ୍ଦ୍ର ଜାଦେଜା (୬୦*, ୭୬ ବଲ୍‌, ୬ ଚୌକା, ୨ ଛକା)ଙ୍କ ସହିତ ପଞ୍ଚମ ୱିକେଟ୍ ପାଇଁ ଆଉ ଏକ ଶତକୀୟ ଭାଗୀଦାରି (୧୨୧ ରନ୍‌) ମଧ୍ୟ କରିଥିଲେ। ଯେଉଁ ବୋଲରଙ୍କଠାରୁ ମୟଙ୍କ ସର୍ବାଧିକ ରନ୍‌ ଆଦାୟ କରିଥିଲେ ଶେଷକୁ ତାଙ୍କରି (ମେହଦି ହାସନ ମିରାଜ) ବଲ୍‌ରେ ଆଉଟ୍ ହୋଇଥିଲେ। ମିଡ୍‌ ୱିକେଟ୍‌ରେ ଅବୁ ଜୟେଦ୍‌ ନେଇଥିଲେ କ୍ୟାଚ୍‌। ୨୪୩ ରନ୍‌ ମଧ୍ୟ ତାଙ୍କ ଖେଳ ଜୀବନର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ହୋଇଥିଲା। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୨୧୫ ରନ୍‌ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ଥିଲା

। ବ୍ରାଡ୍‌ମ୍ୟାନଙ୍କୁ ଟପିଲେ
ଦୁଇଟି ଦ୍ବିଶତକ ହାସଲ କରିବା‌ ବେଳକୁ କମ୍‌ ପାଳି ଖେଳିବାରେ ମୟଙ୍କ ଶୁକ୍ରବାର ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସାର୍ ଡନ୍ ବ୍ରାଡମ୍ୟାନ୍‌ଙ୍କୁ ଅତିକ୍ରମ କରିଛନ୍ତି। ମୟଙ୍କ ନିଜର ପ୍ରଥମ ୧୨ ପାଳି ମଧ୍ୟରେ ୨ ଦ୍ବିଶତକ ମାରିଥିବା ବେଳେ ବ୍ରାଡମ୍ୟାନ୍‌ ଏହି ମାଇଲଖୁଣ୍ଟ୍ ବେଳକୁ ୧୩ ପାଳି ଖେଳିଥିଲେ। ଭାରତୀୟ ତାରକା ବିନୋଦ କାମ୍ବଲୀ ମାତ୍ର ୫ ପାଳି ଭିତରେ ୨ ଦ୍ବିଶତକ ହାସଲ କରିଥିବାରୁ ଏବେ ଶୀର୍ଷରେ ରହିଛନ୍ତି। ଗତ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶାଖାପାଟଣା ଟେଷ୍ଟ୍‌ରେ ମୟଙ୍କ ନିଜର ପ୍ରଥମ ଟେଷ୍ଟ୍‌ ଶତକକୁ ଦ୍ବିଶତକ (୨୧୫)ରେ ପରିଣତ କରିଥିଲେ। ସେହିଭଳି ବିଗତ ୧୦ ବର୍ଷ ମଧ୍ୟରେ ଦ୍ବିଶତକୀୟ ପାଳିରେ ସର୍ବାଧିକ ବଲ୍‌ ନିୟନ୍ତ୍ରଣ ରଖିଥିବା‌ ଖେଳାଳିଙ୍କ ମଧ୍ୟରେ ମୟଙ୍କ ଶୀର୍ଷକୁ ଉଠିଛନ୍ତି। ଅଗ୍ରୱାଲ ୩୩୦ ବଲ୍‌ରୁ ୨୪୩ ରନ୍ କରି ୯୬.୦୬ ପ୍ରତିଶତ ବଲ୍ ନିୟନ୍ତ୍ରଣ କରିଥିଲେ। ଏ କ୍ଷେତ୍ରରେ ସେ ୱେଷ୍ଟଇଣ୍ଡିଜ୍‌ର ଶିବନାରାୟଣ ଚନ୍ଦରପଲ୍‌ (୨୦୩*, ୩୭୨ ବଲ୍‌)ଙ୍କ ୯୫.୯୬ ପ୍ରତିଶତ ବଲ୍‌ ନିୟନ୍ତ୍ରଣକୁ ପଛରେ ପକାଇଥିଲେ। ମୟଙ୍କଙ୍କ ୨୪୩ ରନ୍‌ ବାଂଲାଦେଶ ବିପକ୍ଷରେ ସର୍ବାଧିକ ବ୍ୟକ୍ତିଗତ ଭାରତୀୟ ସ୍କୋରର୍‌ ସଚିନ ତେନ୍ଦୁଲକର (୨୪୮ ରନ୍‌, ଢାକା, ୨୦୦୪-୦୫)ଙ୍କୁ ପଛରେ ପକାଇବାରେ ସକ୍ଷମ ହୋଇନଥିଲା। ଭାରତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଭାବେ ସର୍ବାଧିନ ରନ୍‌ କରିବାରେ ସେ କେବଳ ବୀରେନ୍ଦ୍ର ସେହବାଗ (୩୧୯, ୩୦୯, ୨୯୩, ୨୫୪)ଙ୍କ ପରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛନ୍ତି। ତେବେ ସେ ବିନୁ ମଙ୍କଡ (୨୩୧)ଙ୍କୁ ପଛରେ ପକାଇଥିଲେ।

। ଦିନକରେ ୪୦୭ ରନ୍‌
ଶୁକ୍ରବାର ଦ୍ବିତୀୟ ଦିବସରେ ଭାରତ ମୋଟ ୮୮ ଓଭର ଖେଳି ୪୦୭ ରନ୍‌ ଯୋଡ଼ିଛି। ବ୍ୟାଟ୍‌ସମ୍ୟାନଙ୍କ ନିୟନ୍ତ୍ରଣ ପ୍ରତିଶତ ମଧ୍ୟ ପ୍ରଶଂସନୀୟ ଭାବେ ୯୪.୫୪ ରହିଛି। ମୋଟ ୫୩୧ ବଲ୍ ମଧ୍ୟରୁ ମାତ୍ର ୨୯ ବଲ୍‌ ଭାରତୀୟ ବ୍ୟାଟସମ୍ୟାନଙ୍କ ନିୟନ୍ତ୍ରଣ ବାହାରେ ଥିଲା। ପୂର୍ବରୁ ଭାରତ ଗୋଟିଏ ଦିନରେ ସର୍ବାଧିକ ୪୪୩ ରନ୍ କରିଥିଲା। ୨୦୦୯ରେ ଶ୍ରୀଲଙ୍କା ବିପକ୍ଷ ବ୍ରାବର୍ଣ୍ଣ ଟେଷ୍ଟ୍‌ ଦ୍ବିତୀୟ ଦିନରେ ହିଁ ଭାରତ ଏହା କରିଥିଲା। ସେହି ଶୃଙ୍ଖଳାରେ କାନପୁରଠାରେ ଗୋଟିଏ ଦିନରେ ଭାରତ ୪୧୭/୨ ସ୍କୋର୍ କରିଥିଲା। ବ୍ୟକ୍ତିଗତ ଭାବେ ମୟଙ୍କ ଶୁକ୍ରବାର ୨୦୬ ରନ୍‌ ଯୋଡ଼ିଥିଲେ। କାରଣ ପୂର୍ବଦିନ ସେ ୩୭ ରନ୍‌ରେ ଅପରାଜିତ ଥିଲେ। ନିର୍ଦ୍ଧିଷ୍ଟ ଗୋଟିଏ ଦିନରେ ସର୍ବାଧିକ ରନ୍‌ କରିବାରେ ସେ ବୀରେନ୍ଦ୍ର ସେହବାଗ (୨୮୪ ଓ ୨୫୭), କରୁଣ ନାୟାର (୨୩୨), ବୀରେନ୍ଦ୍ର ସେହବାଗ (୨୨୮), ମହେନ୍ଦ୍ର ସିଂହ ଧୋନି (୨୦୬)ଙ୍କ କ୍ଲବ୍‌ରେ ସାମିଲ ହୋଇଥିଲେ।

। ଲଗାତାର ଚତୁର୍ଥ ଦ୍ବିଶତକ
ଭାରତ ପାଇଁ ଲଗାତାର ଚତୁର୍ଥ ଟେଷ୍ଟ୍‌ରେ ଅନ୍ୟୁନ ଜଣେ ଭାରତୀୟ ଦ୍ବିଶତକ ହାସଲ କରିଛନ୍ତି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୟଙ୍କ ଅଗ୍ରୱାଲ (୨୧୫, ବିଶାଖାପାଟଣା), ବିରାଟ କୋହଲି (୨୫୪*, ପୁନେ) ଏବଂ ରୋହିତ ଶର୍ମା (୨୧୨, ରାଞ୍ଚି) ଦ୍ବିଶତକ ହାସଲ କରିଥିଲେ। ଏବେ ପୁଣି ମୟଙ୍କ ପ୍ରଥମ ପାଳିରୁ ହିଁ ଦ୍ବିଶତକ ମାରି ନେଇଛନ୍ତି। ଲଗାତାର ୪ ଟେଷ୍ଟ୍‌ରେ ଦ୍ବିଶତକ ମଧ୍ୟ ଭାରତ ପାଇଁ ପ୍ରଥମ ଉଦାହରଣ। ୨୦୧୬-୧୭ରେ ଏହି ସଂଖ୍ୟା ସର୍ବାଧିକ ୩ ଥିଲା। ବିରାଟ କୋହଲି ଓ କରୁଣ ନାୟାର୍‌ ଇଂଲଣ୍ଡ ବିପକ୍ଷରେ ଏବଂ କୋହଲି ବାଂଲାଦେଶ ବିପକ୍ଷରେ ଦ୍ବିଶତକ ମାରିଥିଲେ। ଅନ୍ୟପକ୍ଷରେ ପଞ୍ଚମ ଭାରତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଭାବେ ମୟଙ୍କ ଅନ୍ୟୁନ ୨ ଦ୍ବିଶତକ ହାସଲ କରିଗଲେ। ବୀରେନ୍ଦ୍ର ସେହବାଗ (୬), ସୁନିଲ ଗାଭାସ୍କର (୩) ଆଗରେ ଥିବାବେଳେ ବିନୁ ମଙ୍କଡ, ୱାସିମ୍ ଜାଫରଙ୍କ ସହିତ ମୟଙ୍କ ମିଳିତ ତୃତୀୟ ହୋଇଛନ୍ତି।

। ସିଦ୍ଧୁଙ୍କ ସମକକ୍ଷ
ମୟଙ୍କଙ୍କ ମାରାଥନ ପାଳି ଅବସରରେ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍ ନବଜୋତ୍ ସିଂହ ସିଦ୍ଧୁଙ୍କ ଦୀର୍ଘଦିନର କୀର୍ତ୍ତିମାନ ମଧ୍ୟ ପଛରେ ପଡ଼ିଯିବା ସ୍ଥିତି ଆସିଥିଲା। ୩୩୦ ବଲ୍‌ ୨୪୩ ରନ୍‌ ଭିତରେ ମୟଙ୍କ ୮ ଛକା ମାରିଥିଲେ। ଯାହାକି ଦୀର୍ଘ ୨୬ ବର୍ଷ ଧରି ଶୀର୍ଷରେ ଥିବା ସିଦ୍ଧୁ (ବନାମ ଶ୍ରୀଲଙ୍କା, ଲକ୍ଷ୍ନୌ, ୧୯୯୩-୯୪) ମଧ୍ୟ ସେଠାରେ ୮ ଛକା ମାରିଥିଲେ।

। ଉମେଶ ଉଦୟ
ରଣଜୀ ଟ୍ରଫିରେ ଏକଦା ଓଡ଼ିଶା ବିପକ୍ଷରେ ଶତକ ହାସଲ କରିଥିବା ଉମେଶ ଯାଦବଙ୍କ ବ୍ୟାଟିଂ ଏବେ ଚର୍ଚାକୁ ଆସିଛି। ଶୁକ୍ରବାର ଉମେଶ ମାତ୍ର ୧୦ ବଲ୍‌ରୁ ୨୫ ରନ୍‌ (୧ ଚୌକା, ୩ ଛକା) କରି ଅପରାଜିତ ଅଛନ୍ତି। ଏଥି ସହିତ ଉମେଶ ଟେଷ୍ଟ୍ କ୍ରିକେଟ୍‌ରେ ଖେଳିଥିବା ଶେଷ ୨୦ ବଲ୍‌ରୁ ୫୭ ରନ୍‌ କରିସାରିଛନ୍ତି। ଏହାର କ୍ରମ ରହିଛି ଏଭଳି-୬, ୬, ୦, ୧, ୬, ୦, ୬, ୦, ୬, ୦, ୦, ୬, ୨, ୦, ୪, ୬, ୬, ୧, ୧, ୦।

ସମ୍ବନ୍ଧିତ ଖବର