ଆହତ ସଲାହଙ୍କୁ ୪ ସପ୍ତାହ ବିଶ୍ରାମ; ଇଜିପ୍ଟକୁ ଝଟ୍‌କା

0 39

ମାଦ୍ରିଦ୍‌: ଇଜିପ୍ଟ ଦଳର ସଦସ୍ୟ ଥିବା ଫରଓ୍ଵାର୍ଡ ମହମ୍ମଦ ସଲାହଙ୍କ ବିଶ୍ୱକପ୍‌ ଖେଳିବା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଗତ ଶନିବାର ରାତିରେ ଚାମ୍ପିଅନ୍‌ସ ଲିଗ୍‌ ଫାଇନାଲ୍‌ ମ୍ୟାଚ୍‌ ବେଳେ ଲିଭରପୁଲ୍‌ ପକ୍ଷରୁ ଖେଳିଥିବା ସଲାହ ଆହତ ହୋଇଥିଲେ। ତାଙ୍କ କାନ୍ଧରେ ଜୋର୍‌ରେ ଆଘାତ ଲାଗିଥିଲା। ତାଙ୍କ ଦଳ ମଧ୍ୟ ଫାଇନାଲ୍‌ରେ ରିଅଲ୍‌ ମାଦ୍ରିଦ୍‌ ନିକଟରୁ ୧-୩ ଗୋଲ୍‌ରେ ହାରି ଉପବିଜେତା ହୋଇଥିଲା। ହେଲେ ଆହତ ଯୋଗୁ ସାଲା ଏବେ ଆସନ୍ତା ମାସରେ ରୁଷିଆରେ ଆୟୋଜିତ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଖେଳିବା ନେଇ ସନ୍ଦେହ ଉପୁଜିଛି। ସଲାହାଙ୍କୁ ଏବେ ୪ ସପ୍ତାହ ବିଶ୍ରାମ ଦିଆଯାଇଛି। ସେ ସଂପୂର୍ଣ୍ଣ ସୁସ୍ଥ ହେବାକୁ ପ୍ରାୟ ଗୋଟିଏ ମାସ ଲାଗିଯିବ। ଫଳରେ ଇଜିପ୍ଟ ପାଇଁ ସେ ବିଶ୍ୱକପ୍‌ ଗ୍ରୁପ୍‌ ପର୍ଯ୍ୟାୟ ଖେଳିପାରିବେନି ବୋଲି ଦଳ ପକ୍ଷରୁ କୁହାଯାଇଛି। ଆଉ ଯଦି ସେ ସୁସ୍ଥ ହୋଇଥାନ୍ତି, ତେବେ ନକ୍‌ଆଉଟ୍‌ ପର୍ଯ୍ୟାୟ ଖେଳିପାରିବେ ବୋଲି ଆଶା କରାଯାଉଛି। ଗତ ଅକ୍ଟୋବରରେ କଙ୍ଗୋ ବିପକ୍ଷ ୨-୧ ବିଜୟରେ ସଲାହା ପେନାଲ୍‌ଟି ଗୋଲ୍‌ ହିଁ ଇଜିପ୍ଟକୁ ବିଶ୍ୱକପ୍‌ ଯୋଗ୍ୟତା ଭେଟି ଦେଇଥିଲା। ଏଠାରେ ସୂଚନାଯୋଗ୍ୟ, ଇଜିପ୍ଟ ୧୯୯୦ ପରେ ପ୍ରଥମ ଥର ଲାଗି ବିଶ୍ୱକପ୍‌ ଖେଳିବାକୁ ଯାଉଛି। ଇଜିପ୍ଟ ଗ୍ରୁପ୍‌-ଏରେ ଆୟୋଜକ ରୁଷିଆ, ଉରୁଗୁଏ ଓ ସାଉଦି ଆରବ ସହ ପ୍ରତିଦ୍ୱନ୍ଦ୍ୱିତା କରିବ। ଜୁନ୍‌ ୧୫ରେ ଉରୁଗୁଏ, ଜୁନ୍‌ ୧୯ରେ ଆୟୋଜକ ରୁଷିଆ ଏବଂ ଜୁନ୍‌ ୨୫ରେ ସାଉଦି ଆରବକୁ ଭେଟିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.