ଅନ୍ତଃବିଦ୍ୟାଳୟ ଫୁଟ୍ବଲ୍ କ୍ୱାର୍ଟର୍ରେ କିସ୍
ଭୁବନେଶ୍ୱର: ୟୁନିଟ୍-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଚାଲିଥିବା ୟୁନିଲାଇଟ୍ କପ୍ ଅନ୍ତଃବିଦ୍ୟାଳୟ ଫୁଟ୍ବଲ୍ ପ୍ରତିଯୋଗିତାର କ୍ୱାର୍ଟର୍ ଫାଇନାଲ୍ରେ କିସ୍ ସ୍ଥାନ ପକ୍କା କରିଛି। ଶୁକ୍ରବାର କିସ୍ ୪-୦ ଗୋଲ୍ରେ ସିଆର୍ପିଏଫ୍ କେନ୍ଦ୍ରୀୟ ବିଦ୍ୟାଳୟକୁ ପରାସ୍ତ କରି ଏହି ସ୍ଥାନ ପକ୍କା କରିଥିଲା। କିସ୍ ପକ୍ଷଣୁ କୁନାରାମ ସୋରେନ୍ ଏବଂ ଜଗନ୍ନାଥ ସୋରେନ୍ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି କୁନାରାମଙ୍କୁ ଅତିଥି ଅମିୟ କାନ୍ତ ମିଶ୍ର ପୁରସ୍କାର ପ୍ରଦାନ କରିଥିଲେ। ୟୁନିଟ୍-୨ ଓ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ମ୍ୟାଚ୍ (୨-୨) ଅମୀମାଂସିତ ଭାବେ ଶେଷ ହୋଇଥିଲା। ୟୁନିଟ୍-୨ ପକ୍ଷରୁ ରାଜେଶ ମଲ୍ଲିକ, ସୁଜିତ କୁମାର ନାୟକ ଏବଂ ରାମକୃଷ୍ଣ ପକ୍ଷରୁ ଶକ୍ତି ରଂଜନ ପଟ୍ଟନାୟକ ଓ ଦଇତାରାମ ସୋରେନ୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଭୁବନେଶ୍ୱର ଦୌଡ଼କୁଦ ସଂଘର ସହ ସମ୍ପାଦକ ନବରଂଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ରାଜେଶ ମଲ୍ଲିକଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ମିଶ୍ର, ଦିଲିପ ଦାସ ଓ ପ୍ରଫୁଲ୍ଲ ମିଶ୍ର ଉପସ୍ଥିତ ଥିଲେ। ସରୋଜ ମହାରଣା, ଶ୍ରୀକାନ୍ତ ପଣ୍ଡା, ପ୍ରକାଶ ଦାସ, ରାଜେନ୍ଦ୍ର ବାରିକ, ଚନ୍ଦ୍ରକାନ୍ତ ବାରିକ, ପାକା ପଣ୍ଡା, ମହେଶ୍ୱର ସିଂହ (କମିଶନର) ମ୍ୟାଚ୍ ପରିଚାଳନା କରିଥିଲେ। ଶନିବାର ସୌନିକ ସ୍କୁଲ ଓ ଟାଇମ୍ସ ଗୁରୁକୁଳ ମଧ୍ୟରେ ମ୍ୟାଚ୍ ଖେଳାଯିବ।