ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌: କଳିଙ୍ଗ ଓ କିସ୍‌ ବିଜୟୀ

ଭୁବନେଶ୍ୱର: ଗତବର୍ଷର ବିଜେତା କିସ୍‌ ଏବଂ ଉପବିଜେତା କଳିଙ୍ଗ ବିଦ୍ୟାପୀଠ ଦଳ ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶୁକ୍ରବାର ନିଜ ନିଜର ବିଜୟ ହାସଲ କରିଛନ୍ତି। ଅଶୋକ ପାଢୀଙ୍କ ୧୩ ମିନିଟ୍‌ ଗୋଲ୍‌ ବଳରେ କଳିଙ୍ଗ ବିଦ୍ୟାପୀଠ (ସାମପୁର) ୧-୦ରେ ୟୁନିଟ୍‌-୮ ଡିଏଭି ସ୍କୁଲ୍‌କୁ ପରାସ୍ତ କରିଥିଲା। ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ନାୟକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅଶୋକଙ୍କୁ ପ୍ରଦାନ କରିଥିଲେ। ସେହିପରି ଅନ୍ୟ ମ୍ୟାଚ୍‌ରେ ମଧ୍ୟ କିସ୍‌ ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ଯଦୁନାଥ ହେମ୍ବ୍ରମ୍‌ଙ୍କ ୨୧ ମିନିଟ୍‌ ଗୋଲ୍‌ ବଳରେ କିସ୍‌ ପ୍ରଥମ ଥର ପାଇଁ ପ୍ରତିଯୋଗିତାରେ ସାମିଲ ହୋଇଥିବା ଅରବିନ୍ଦ ଉଚ୍ଚ ବିଦ୍ୟାଳୟ (ଗଣ୍ଡରପୁର)କୁ ପରାସ୍ତ କରିଦେଇଥିଲା। ଯଦୁନାଥ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର କ୍ରୀଡ଼ା ସଂଗଠକ ହୃଦୟ ରଞ୍ଜନ ବେହେରାଙ୍କଠାରୁ ଗ୍ରହଣ କରିଥିଲେ। ଚନ୍ଦ୍ରକାନ୍ତ ବାରିକ, କୀର୍ତି ସ୍ୱାଇଁ, ସରୋଜ ମହାରଣା, ରାଜେନ୍ଦ୍ର ବାରିକ, ଶ୍ରୀକାନ୍ତ ପଣ୍ଡା, ପାକା ପଣ୍ଡା, ମହେଶ୍ୱର ସିଂହ (କମିଶନର) ମ୍ୟାଚ୍‌ ପରିଚାଳନା କରିଥିଲେ। ଆସନ୍ତାକାଲି ଡିଏଭି ଚନ୍ଦ୍ରଶେଖରପୁର ଓ ଜାଭିୟର କେଦାରଗୌରୀ ଏବଂ ସୈନିକ ସ୍କୁଲ୍‌ ଓ ପଳାଶୁଣୀ ସ୍କୁଲ୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର