ଭୁବନେଶ୍ବର: ସ୍ପେସାଲ ଅଲିମ୍ପିକ୍ସ ଭାରତ-ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବୁଧବାର ଅନ୍ତଃବିଦ୍ୟାଳୟ ୟୁନିଫାଏଡ୍ ବାଳିକା ଫୁଟ୍ବଲ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ୍ରେ ଭୁବନେଶ୍ବରର ବିଆର୍ଏମ୍-ଆଶା ଦଳ ୭-୧ ଗୋଲ୍ରେ ସୋନପୁର ଜିଲ୍ଲା ଦିବ୍ୟାଙ୍ଗ କଲ୍ୟାଣ ବିଦ୍ୟାଳୟକୁ ପରାସ୍ତ କରିଥିଲା। ଭୁବନେଶ୍ବରର ରାଜଶ୍ରୀ ମହାପାତ୍ର ହ୍ୟାଟ୍ରିକ୍ ସଫଳତା ପାଇଥିଲା ବେଳେ ସରିତା ରାଉତରାୟ ୨, ସଙ୍ଗୀତା ଓ ବାସନ୍ତି ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଅନ୍ୟ ମ୍ୟାଚ୍ଗୁଡ଼ିକରେ କେନ୍ଦୁଝରର ସଦ୍ଭାବନା ୪-୦ ଗୋଲ୍ରେ ବାଲିଗୁଡ଼ା ବନବାସୀ ସେବା ସମିତିକୁ, ନିମାପଡ଼ାର ଓଏଲ୍ଏସ୍ ୧-୦ ଗୋଲ୍ରେ କଟକର ବିଭିଏମ୍ଏମ୍ଏମ୍ଆର୍ବିଟିକୁ ଏବଂ ବିଏସ୍ଏସ୍ ୨-୦ ଗୋଲ୍ରେ ଡିଏଚ୍ଡବ୍ଲୁଏସ୍କୁ ହରାଇଥିଲା। ଅତିଥି ଭାବେ ଫିଜିଓଥେରାପିଷ୍ଟ ପ୍ରିୟାଲି ମହାପାତ୍ର, ଜାତୀୟସ୍ତରୀୟ ସ୍ପେସିଆଲ୍ ଆଥ୍ଲେଟ୍ ଦେବାଶିଷ, ଗଙ୍ଗାଧର ସାହୁ ଓ ହରେକୃଷ୍ଣ ରାଉତ ଉପସ୍ଥିତ ଥିଲେ। ଦୀପକ ମହନ୍ତ, ତ୍ରିନାଥ ସମଲ, ଝସକେତନ ପ୍ରଧାନ, ଝସକେତନ ସାହୁ ମ୍ୟାଚ୍ଗୁଡ଼ିକୁ ପରିଚାଳନା କରିଥିଲେ।