ବର୍ମିଂହାମ୍: ଏଜ୍ବାଷ୍ଟନ୍ ଟେଷ୍ଟ୍ରେ ରୋମାଞ୍ଚ ବଢ଼ିଛି ଓ ଭାରତ ଉପରେ ଚାପ ବି। ଶୁକ୍ରବାର ମୋଟ ୧୪ ଓ୍ଵିକେଟ୍ର ପତନ ଏହି ଟେଷ୍ଟକୁ ଚତୁର୍ଥ ଦିନରେ ଶେଷ ହେବା ବାଟ ବି ଫିଟାଇଛି। ଭାରତ ସମ୍ମୁଖରେ ୧୯୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତୃତୀୟ ଦିନ ଶେଷ ସୁଦ୍ଧା ଦଳ ୧୧୦ ରନ୍ରେ ୫ ଓ୍ଵିକେଟ୍ ହରାଇ ସଙ୍କଟରେ ରହିଛି। ବିରାଟ କୋହଲି (୪୩*) ଏବଂ ଦୀନେଶ କାର୍ତିକ (୧୮*) ଅତୁଟ ଷଷ୍ଠ ଓ୍ଵିକେଟ୍ରେ ୩୨ ରନ୍ ଯୋଡ଼ି ଆଶା କାଏମ ରଖିଛନ୍ତିି। ଶନିବାର ଭାରତକୁ ୮୪ ରନ୍ ଏବଂ ଇଂଲଣ୍ଡକୁ ୫ ଓ୍ଵିକେଟ୍ ଆବଶ୍ୟକ।
ଗୁରୁବାର କୋହଲିଙ୍କ ପ୍ରଥମ ଇଂଲଣ୍ଡ ମାଟି ଶତକ ବଳରେ ମ୍ୟାଚ୍କୁ ଫେରିଥିବା ଭାରତ ଶୁକ୍ରବାର ତାଙ୍କ ଦିଲ୍ଲୀ ସାଥୀ ଈଶାନ୍ତ ଶର୍ମାଙ୍କ ୫ ଓ୍ଵିକେଟ୍ ବଳରେ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ ଭାରତର ୩ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ମୁରଲୀ ବିଜୟ, ଶିଖର ଧାଓ୍ଵନ ଏବଂ ଲୋକେଶ ରାହୁଲ୍ ୪୬ ରନ୍ ଭିତରେ ପ୍ୟାଭିଲିଅନ୍ ଫେରି ନିରାଶ କରିଥିଲେ। ପ୍ରଥମ ପାଳିରେ ଓ୍ଵିକେଟଶୂନ୍ୟ ରହିଥିବା ଷ୍ଟୁଆର୍ଟ ବ୍ରଡ୍ ଲଗାତାର ଓଭରରେ ମୁରଲୀ ବିଜୟ ଏବଂ ଶିଖର ଧାଓ୍ଵନଙ୍କୁ ପ୍ୟାଭିଲିଅନ୍ ରାସ୍ତା ଦେଖାଇ ଦେଇଥିଲେ। ମଲାନ୍ଙ୍କ କ୍ୟାଚ୍ ହାତଛଡ଼ାରୁ ଜୀବନଦାନ ପାଇଥିବା ମୁରଲୀ ଏହାର ଫାଇଦା ଉଠାଇ ପାରିନଥିଲେ। ବ୍ରଡ୍ ତାଙ୍କୁ ଲେଗ୍ ବିଫୋର୍ ଓ୍ଵିକେଟ୍ କରାଇ ନେଇଥିଲେ। ଧାଓ୍ଵନଙ୍କ ସହ ଆଲୋଚନା ପରେ ଏହାକୁ ରିଭ୍ୟୁ ନ କରି ସେ ଫେରିଆସିଥିଲେ। ପରବର୍ତୀ ଓଭରରେ ଧାଓ୍ଵନ ବ୍ରଡ୍ଙ୍କ ବୋଲିଂରେ ଏଜ୍ ଦେଇ ଓ୍ଵିକେଟରକ୍ଷକ ଜନି ବେୟାରଷ୍ଟୋଙ୍କ ଗ୍ଲୋଭ୍ସରେ ଧରାପଡ଼ିଥିଲେ। ଭାରତ ୨୨/୨ରେ ସଂଘର୍ଷ କରିଥିଲା। ଅଧିନାୟକ ବିରାଟ କୋହଲିଙ୍କ ସହ ଯୋଗଦେଇ ପ୍ରଥମ ପାଳିରେ ବିଫଳ ରାହୁଲ ଏହାକୁ ଭରଣା କରିବେ ବୋଲି ବିଶ୍ୱାସ ଆସିଥିଲା। କିନ୍ତୁ ବେନ୍ ଷ୍ଟୋକ୍ସଙ୍କ ଏକ ବିଳମ୍ବିତ ଗତିର ବଲ୍ରେ ବି ସେ ବେୟାରଷ୍ଟୋଙ୍କୁ ଲଗାତାର କ୍ୟାଚ୍ ଧରିବାର ସୁଯୋଗ ଦେଇଥିଲେ। ପୁଣି ଥରେ ଭାରତ ଏକ ଭଲ ଭାଗୀଦାରି ଗଢ଼ି ଆସୁଥିବା ବେଳେ ଓ୍ଵିକେଟ୍ ହରାଇ ଦେଇଥିଲା। ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଆଗୁଆ ଆସିଥିବା ରବିଚନ୍ଦ୍ରନ୍ ଅଶ୍ୱିନ୍ଙ୍କୁ ଯଥାକ୍ରମେ ସାମ୍ କରନ୍ ଓ ଜେମ୍ସ ଆଣ୍ଡରସନ୍ ଆଉଟ୍ କରି ଭାରତ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।
ଶୁକ୍ରବାର ୯/୧ରୁ ଖେଳିଥିବା ଇଂଲଣ୍ଡକୁ ପ୍ରଥମେ ଭାରତୀୟ ଅଫ୍ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନ୍ ଅସ୍ତବ୍ୟସ୍ତ କରି ଦେଇଥିଲେ। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଜେନିଙ୍ଗ୍ସ ଓ ଅଧିନାୟକ ଜୋ ରୁଟ୍ଙ୍କୁ ରାହୁଲଙ୍କ ହାତରେ କ୍ୟାଚ୍ କରାଇ ଇଂଲଣ୍ଡକୁ ୩୯/୩ରେ ପହଞ୍ଚାଇଥିଲେ। ଏହି ସମୟରେ ଡେଭିଡ୍ ମଲାନ୍ ଓ ଜନି ବେୟାରଷ୍ଟୋଙ୍କ ମଧ୍ୟରେ ଭାଗୀଦାରି ଜମି ଆସୁଥିବା ବେଳେ ଈଶାନ୍ତ ଶର୍ମାଙ୍କ ଅଗ୍ନୀବର୍ଷି ବୋଲିଂ ସବୁ ଓଲଟପାଲଟ କରି ଦେଇଥିଲା। ଏହି ଦୁହିଁଙ୍କ ଓ୍ଵିକେଟ୍ ସହିତ ଅଭିଯାନ ଆରମ୍ଭ କରିବା ପରେ ଆତ୍ମବିଶ୍ୱାସରେ ଭରି ଯାଇଥିଲେ ଈଶାନ୍ତ। ମଧ୍ୟାହ୍ନ ଭୋଜନ ବିରତି ପୂର୍ବ ଓ ପରେ ବୋଲିଂ ହୋଇଥିବା ୩୧ତମ ଓଭରରେ ସେ ୩ ଓ୍ଵିକେଟ୍ ନେଇଥିଲେ। ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ ଏବଂ ଜୋସ୍ ବଟଲର୍ଙ୍କୁ ଆଉଟ୍ କରିଥିଲେ। ୮୭ ରନ୍ରେ ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇବା ପରେ ଯୁବ ତାରକା ସାମ୍ କରନ୍ (୬୩, ୬୫ ବଲ୍, ୯ ଚୌକା, ୨ ଛକା)ଙ୍କ ଆକ୍ରାମକ ପାଳି ଇଂଲଣ୍ଡକୁ ଲଢ଼ୁଆ ସ୍କୋର୍ ଦିଗରେ ନେଇଥିଲା। ଶେଷ ୩ ଭାଗୀଦାରି ବଳରେ ସେ ୯୩ ରନ୍ ଯୋଡ଼ିଥିଲେ। ଷ୍ଟୁଆର୍ଟ ବ୍ରଡ୍ଙ୍କୁ ଆଉଟ୍ କରି ଈଶାନ୍ତ ଟେଷ୍ଟ୍ କ୍ରିକେଟ୍ରେ ଅଷ୍ଟମ ଥର ୫ ଓ୍ଵିକେଟ୍ ସଫଳତା ପାଇଥିଲେ। ପୂର୍ବ ରାତିର କୋହଲିଙ୍କ ପାଳି ଭଳି କରନ୍ଙ୍କ ପାଳି ଓ ଭାଗୀଦାରି କିନ୍ତୁ ଶେଷରେ ନିର୍ଣ୍ଣାୟକ ହୋଇଥିଲା। ଇଂଲଣ୍ଡ ୧୮୦ ରନ୍ କରିନେବା ଭାରତ ଉପରେ ଚାପ ପକାଇଥିଲା।