‘ଆଇଓଏ’ର ସ୍ପଷ୍ଟିକରଣ: ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହରବୀର ଦେଖିବେ ଝିଅ ସାଇନା ନେହଓ୍ଵାଲ୍‌ଙ୍କ ମ୍ୟାଚ୍‌

ନୂଆଦିଲ୍ଲୀ: ହରବୀର ସିଂହ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆଗାମୀ ଏପ୍ରିଲ ୪ରୁ ଆରମ୍ଭ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଝିଅ ସାଇନା ନେହଓ୍ଵାଲ୍‌ଙ୍କ ବ୍ୟାଡମିଣ୍ଟନ ମ୍ୟାଚ୍‌ ଦେଖିବେ। ଗୋଲ୍ଡକୋଷ୍ଟ କ୍ରୀଡ଼ା ଗ୍ରାମରେ ଭାରତୀୟ ଟିମ୍‌ ଅଧିକାରୀ/ଅଣ ଖେଳାଳି ତାଲିକାରୁ ହରବୀର ସିଂହଙ୍କ ନାମ ବାଦ୍‌ ପଡ଼ିବା ପରେ ସାଇନା ନେହଓ୍ଵାଲ୍‌ ଟୁଇଟ୍‌ କରିବାର ୨୪ ଘଣ୍ଟା ନପୂରୁଣୁ ଭାରତୀୟ ଅଲମ୍ପିକ ସଂଘ(ଆଇଓଏ) ମଙ୍ଗଳବାର ଏହା ସ୍ପଷ୍ଟ କରିଛନ୍ତି। ଆଇଓଏ କହିଛି, ହରବୀର ସିଂହଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମରେ ରହିବା ସୁବିଧା ମିଳିଛି ଓ ସେ ନିଜର ଝିଅ ସାଇନା ନେହଓ୍ଵାଲଙ୍କ ମ୍ୟାଚ୍‌ ଦେଖିପାରିବେ।

ପିତାଙ୍କୁ ନିଜର ମ୍ୟାଚ୍‌ ଦେଖିବାକୁ ସୁଯୋଗ ମିଳିଥିବାରୁ ସାଇନା ଭାରତୀୟ ଅଲମ୍ପିକ ସଂଘକୁ ଧନ୍ୟବାଦ ଜଣାଇଛନ୍ତି। ଟୁଇଟରରେ ସେ ଲେଖିଛନ୍ତି, ତାଲିକାରେ ସ୍ଥାନ ମିଳିବାରେ ସାହାଯ୍ୟ କରିଥିବାରୁ ଭାରତୀୟ ଅଲମ୍ପିକ ସଂଘକୁ ଧନ୍ୟବାଦ। ଏହା ମୋ ପାଇଁ ଖୁସିର ମୂହୁର୍ତ୍ତ।

ଭାରତୀୟ ଟିମ୍‌ ଅଧିକାରୀ ତାଲିକାରେ ପିତା ହରବୀରଙ୍କୁ ସାମିଲ ନକରାଯିବା ପରେ ସାଇନା ସୋମବାର ଅନେକ ଗୁଡ଼ିଏ ଟୁଇଟ କରିଥିଲେ। ନିରାଶା ହୋଇ ସେ ସାଇନା ଲେଖିଥିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ ପାଇଁ ମୋ ବାପାଙ୍କ ଟିକେଟ ସୁନିଶ୍ଚିତ ହୋଇଥିଲା। ଏଥି ପାଇଁ ମୁଁ ଆବଶ୍ୟକ ରାଶି ଜମା କରିଥିଲି। ଏଠାକୁ ଆସିବା ପରେ ଅଧିକାରୀ ତାଲିକାରେ ବାପାଙ୍କ ନାମ ନଥିଲା ବୋଲି ସାଇନା ଟୁଇଟ୍‌ କରିଛନ୍ତି। ସାଇନା ଲେଖିଥିଲେ ବାପା ମୋର ମ୍ୟାଚ୍‌ ଦେଖିପାରିବେ ନାହିଁ।

ଖେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ହରବୀର ସିଂହ ଓ ପିଭି ସିନ୍ଧୁଙ୍କ ମା’ ବିଜୟ ପୁସର୍ଲାଙ୍କ ସହିତ ୧୫ଜଣ ଅଧିକାରୀ/ଅଣ ଖେଳାଳିଙ୍କୁ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ରହିବା ସୁବିଧା ମିଳିଛି।

ସମ୍ବନ୍ଧିତ ଖବର