ଆଇପିଏଲ୍‌ ୧୨: ଦିଲ୍ଲୀକୁ ୧୬୭ ରନ୍‌ ଟାର୍ଗେଟ ଦେଲା ପଂଜାବ

ମୋହାଲି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ମ୍ୟାଚ୍‌ରେ ସୋମବାର ଦିଲ୍ଲୀ କ୍ୟାପିଟାଲସ୍‌କୁ କିଙ୍ଗ ଏକାଦଶ ପଂଜାବ ୧୬୭ ରନ୍‌ ଟାର୍ଗେଟ ଦେଇଛି। ମୋହାଲିର ଆଇ.ଏସ୍‌ ବିନ୍ଦ୍ରା ଷ୍ଟାଡିୟମ୍‌ରେ ଦିଲ୍ଲୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୬୬ ରନ୍‌ କରିଛି। ଫଳରେ ଦିଲ୍ଲୀକୁ ଏହି ମ୍ୟାଚ ବିଜୟ ପାଇଁ ୧୬୭ ରନ୍‌ ଟାର୍ଗେଟ ମିଳିଛି।

ଦିଲ୍ଲୀର କ୍ରିସ୍‌ ମୋରିସ୍‌ ୩ଟି ଓ୍ଵିକେଟ ନେଇଛନ୍ତି। ସେହିପରି କାଗିସୋ ରାଓ୍ଵାଡା ଓ ସନ୍ଦୀପ ଲାମିଚେନ ୨-୨ ଓ୍ଵିକେଟ ନେଇଛନ୍ତି।

ପଂଜାବର ସ୍କୋର ୧୫ ରନ୍‌ରେ ଲୋକେଶ ରାହୁଲ୍‌ ଦିଲ୍ଲୀର ପ୍ରଥମ ଶିକାର ହୋଇଥିଲେ। ସେ ୧୧ଟି ବଲ୍‌ ଖେଳି ୧୫ ରନ୍‌ କରିବା ପରେ କ୍ରିସ୍‌ ମୋରିସ୍‌ଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ହୋଇଥିଲେ। ଦଳର ଅନ୍ୟତମ ଓପନର୍‌ ସାମ୍‌ କୁରାନ (୨୦ ରନ୍‌) ଲାମିଚାନଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ସ୍କୋର ୩୬ ରନ୍‌ରେ ୨ୟ ଓ୍ଵିକେଟ ହରାଇ ଥିବା ପଂଜାବ ୩ୟ ଓ୍ଵିକେଟ ଭାବରେ ୫୮ ରନ୍‌ରେ ମୟଙ୍କ ଅଗ୍ରଓ୍ଵାଲ (୬ ରନ୍‌)ଙ୍କୁ ହରାଇ ଥିଲା। ଶିଖର ଧାଓ୍ଵନଙ୍କ ଦ୍ୱାରା ଅଗ୍ରଓ୍ଵାଲ୍‌ ରନ୍‌ ଆଉଟ୍‌ ହୋଇଥିଲେ।

ପଂଜାବ ୧୨୦ ରନ୍‌ରେ ସରଫରାଜ ଖାନ (୩୯ ରନ୍‌, ୨୯ ବଲ ଓ ୬ ଚୌକା), ୧୩୭ ରନ୍‌ରେ ଡାଭିଡ ମିଲର (୪୩ ରନ୍‌, ୩୦ ବଲ, ୪ ଚୌକା ଓ ୨ଛକା), ୧୪୬ ରନ୍‌ରେ ହାର୍ଦ୍ଦୁଶ ଭିଲଜୋନ, ୧୫୨ ରନ୍‌ରେ ରବିଚନ୍ଦ୍ରନ ଅଶ୍ୱିନ, ୧୫୩ ରନ୍‌ରେ ମୁରଗାନ ଅଶ୍ୱିନ ଓ ୧୫୬ ରନ୍‌ରେ ମହମ୍ମଦ ସାମିଙ୍କୁ ହରାଇଥିଲା।

ସମ୍ବନ୍ଧିତ ଖବର