ମୋହାଲି: ଆଇପିଏଲ୍-୧୨ ଦିଲ୍ଲୀ କ୍ୟାପିଟାଲସ୍କୁ ୧୪ ରନ୍ରେ ହରାଇଲା କିଙ୍ଗସ୍ ଏକାଦଶ ପଞ୍ଜାବ । ସାମ୍ କୁରେନ୍ଙ୍କ ଦମ୍ଦାର ବୋଲିଂ (୨.୨ ଓଭରରେ ୧୧ ରନ୍ ୪ ଓ୍ଵିକେଟ) ବଳରେ ଦିଲ୍ଲୀ ହାତରୁ ମ୍ୟାଚ୍କୁ ଛଡାଇ ଆଣିଥିଲା କିଙ୍ଗସ୍ ଏକାଦଶ ପଞ୍ଜାବ । ୧୬.୪ ଓଭରରେ ସାମିଙ୍କ ଶିକାର ହୋଇଥିଲେ ରିଷଭ ପନ୍ତ ଏହା ପରେ ଦିଲ୍ଲୀ ୮ ରନ୍ରେ ୭ ଓ୍ଵିକେଟ୍ ହରାଇଥିଲା । ଶେଷରେ୧୯.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୫୨ କରିବାରେ ସକ୍ଷମ ହୋଇଥିଲା ଦିଲ୍ଲୀ କ୍ୟାପିଟାଲସ୍ ।
ଦିଲ୍ଲୀକୁ ଆରମ୍ଭରୁ ପ୍ରଥମ ଝଟକା ଲାଗିଥିଲା। ୧୦ ଓଭରରେ ୩ଟି ଓ୍ଵିକେଟ୍ ହରାଇ ସ୍କୋର ୮୪ ରନ୍ କରିଥିଲା। ଓପନ୍ର ପୃଥ୍ଵୀ ସ ଆଜି ଫ୍ଲପ ହୋଇଥିଲେ। ସେ ମାତ୍ର ଗୋଟିଏ ବଲ୍ ସମ୍ମୁଖୀନ ହୋଇ କୌଣସି ରନ୍ ନକରି ପାଭଲିଅନ୍ ଫେରି ଯାଇଥିଲେ। ଅଶ୍ୱିନଙ୍କ ବଲ ଲୋକେଶ ରାହୁଲଙ୍କୁ କ୍ୟାଚ ଦେଇ ପୃଥ୍ଵୀ ଆଉଟ୍ ହେବା ପରେ ପଡିଆ ଭିତରକୁ ଅଧିନାୟକ ଶ୍ରେୟସ ଆୟାର ପ୍ରବେଶ କରିଥିଲେ। ଭିଲଜୋନଙ୍କ ଦ୍ୱାରା ଆଉଟ୍ ହେବା ପୂର୍ବରୁ ଆୟାର ୨୨ଟି ବଲ ଖେଳି ୨୮ ରନ୍ ଯୋଡ଼ିଥିଲେ। ଏଥିରେ ୫ଟି ଚୌକା ସାମିଲ ଥିଲା।
ଦ୍ୱିତୀୟ ଓ୍ଵିକେଟ୍ରେ ଦିଲ୍ଲୀ ୬୧ ରନ୍ କରିଥିଲା। ସ୍କୋର ୮୨ ରନ୍ରେ ପଂଜାବ ଶିଖର ଧାଓ୍ଵନ (୩୦ ରନ୍, ୨୫ ବଲ୍, ୪ ଚୌକା)ଙ୍କୁ ହରାଇଥିଲା। ଧାଓ୍ଵନ ଅଶ୍ୱିନଙ୍କ ଦ୍ୱାରା ଏଲ୍ବିଡବ୍ଲୁ ହୋଇଥିଲେ।
ପ୍ରଥମ ଇନିଂସରେ ଦିଲ୍ଲୀ କ୍ୟାପିଟାଲସ୍କୁ କିଙ୍ଗ ଏକାଦଶ ପଂଜାବ ୧୬୭ ରନ୍ ଟାର୍ଗେଟ ଦେଇଥିଲା। ମୋହାଲିର ଆଇ.ଏସ୍ ବିନ୍ଦ୍ରା ଷ୍ଟାଡିୟମ୍ରେ ଦିଲ୍ଲୀ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୬୬ ରନ୍ କରିଛି। ଫଳରେ ଦିଲ୍ଲୀକୁ ଏହି ମ୍ୟାଚ ବିଜୟ ପାଇଁ ୧୬୭ ରନ୍ ଟାର୍ଗେଟ ମିଳିଥିଲା। ଦିଲ୍ଲୀର କ୍ରିସ୍ ମୋରିସ୍ ୩ଟି ଓ୍ଵିକେଟ ନେଇଛନ୍ତି। ସେହିପରି କାଗିସୋ ରାଓ୍ଵାଡା ଓ ସନ୍ଦୀପ ଲାମିଚେନ ୨-୨ ଓ୍ଵିକେଟ ନେଇଥିଲେ।
ପଂଜାବର ସ୍କୋର ୧୫ ରନ୍ରେ ଲୋକେଶ ରାହୁଲ୍ ଦିଲ୍ଲୀର ପ୍ରଥମ ଶିକାର ହୋଇଥିଲେ। ସେ ୧୧ଟି ବଲ୍ ଖେଳି ୧୫ ରନ୍ କରିବା ପରେ କ୍ରିସ୍ ମୋରିସ୍ଙ୍କ ଦ୍ୱାରା ଏଲ୍ବିଡବ୍ଲୁ ହୋଇଥିଲେ। ଦଳର ଅନ୍ୟତମ ଓପନର୍ ସାମ୍ କୁରାନ (୨୦ ରନ୍) ଲାମିଚାନଙ୍କ ଦ୍ୱାରା ଆଉଟ୍ ହୋଇ ପାଭଲିଅନ୍ ଫେରିଥିଲେ। ସ୍କୋର ୩୬ ରନ୍ରେ ୨ୟ ଓ୍ଵିକେଟ ହରାଇ ଥିବା ପଂଜାବ ୩ୟ ଓ୍ଵିକେଟ ଭାବରେ ୫୮ ରନ୍ରେ ମୟଙ୍କ ଅଗ୍ରଓ୍ଵାଲ (୬ ରନ୍)ଙ୍କୁ ହରାଇ ଥିଲା। ଶିଖର ଧାଓ୍ଵନଙ୍କ ଦ୍ୱାରା ଅଗ୍ରଓ୍ଵାଲ୍ ରନ୍ ଆଉଟ୍ ହୋଇଥିଲେ।
ପଂଜାବ ୧୨୦ ରନ୍ରେ ସରଫରାଜ ଖାନ (୩୯ ରନ୍, ୨୯ ବଲ ଓ ୬ ଚୌକା), ୧୩୭ ରନ୍ରେ ଡାଭିଡ ମିଲର (୪୩ ରନ୍, ୩୦ ବଲ, ୪ ଚୌକା ଓ ୨ଛକା), ୧୪୬ ରନ୍ରେ ହାର୍ଦ୍ଦୁଶ ଭିଲଜୋନ, ୧୫୨ ରନ୍ରେ ରବିଚନ୍ଦ୍ରନ ଅଶ୍ୱିନ, ୧୫୩ ରନ୍ରେ ମୁରଗାନ ଅଶ୍ୱିନ ଓ ୧୫୬ ରନ୍ରେ ମହମ୍ମଦ ସାମିଙ୍କୁ ହରାଇଥିଲା।