ଜୟପୁର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୧ତମ ମୁକାବିଲାରେ ରବିବାର ରାଜସ୍ଥାନ ରୟାଲସ୍କୁ କୋଲକାତା ନାଇଟ୍ ରାଇଡର୍ସ ୮ ଓ୍ଵିକେଟରେ ପରାସ୍ତ କରିଛି । କୋଲକାତା ୧୪୦ ରନ୍ ଲକ୍ଷ୍ୟର ପିଛା କରି ୧୩.୫ ଓଭରରେ ଏହା ହାସଲ କରିିଥିଲା । କ୍ରିସ୍ ଲିନ୍ (୩୨ ବଲ୍ ୫୦ ରନ୍ ୬ ଚଉକା ୩ଛକା), ସୁନିଲ ନାରେନ୍ (୨୫ ବଲ୍ ୪୭ ରନ୍ ୬ ଚଉକା ୩ଛକା) ଓ ରବିନ୍ ଉଥାପା ୧୬ ବଲ୍ରେ ୨୬ ରନ୍ କରିଥିଲେ । ଏହି ବିଜୟ ସହ କୋଲକାତା ୮ ପଏଣ୍ଟ୍ ହାସଲ କରି ଟେବୁଲ୍ର ଶୀର୍ଷରେ ରହିଛି ।
ପ୍ରଥମ ଇନିଂସରେ ରାଜସ୍ଥାନ ରୟାଲସ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୩୯ ରନ୍ରେ ଅଟକାଇଥିଲା। ଷ୍ଟିଭେନ୍ ସ୍ମିଥଙ୍କ ଅର୍ଦ୍ଧଶତକ (ଅପରାଜିତ ୭୩ ରନ୍) ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୧୩୯ ରନ୍ କରିବା ପରେ କୋଲକାତାକୁ ୧୪୦ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା।
ଗୋଲାପି ସହର ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମ୍ରେ କୋଲକାତା ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବ୍ୟାଟିଂ କରିଥିଲା। ରାଜସ୍ଥାନ ଦ୍ୱିତୀୟ ଓଭରର ପ୍ରଥମ ବଲରେ ସ୍କୋର ୫ ରନ୍ରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ମାତ୍ର ୫ ରନ୍ କରି ପାଭଲିଅନ୍ ଫେରିଥିଲେ। ଟିମ୍ର ଅନ୍ୟତମ ଓ୍ଵିକେଟ ଭାବରେ ଜୋସ୍ ବଟଲର ଶିକାର ହୋଇଥିଲେ। ସେ ୩୪ ବଲ ଖେଳି ୩୭ ରନ୍ କରିବା ପରେ ଆଉଟ୍ ହୋଇଥିଲେ। କୋଲକାତାର ୩ୟ ଶିକାର ହୋଇଥିଲେ ରାହୁଲ ତ୍ରିପାଠୀ (୬ ରନ୍)।
ଆଇପିଏଲ୍ର ଦ୍ୱାଦଶ ସଂସ୍କରଣ ରାଜସ୍ଥାନ ରୟାଲସ୍ ପାଇଁ ଭାଗ୍ୟଶାଳୀ ହୋଇପାରି ନଥିବା କହିଲେ ଚଳିବ। କାରଣ ଦଳ ଏଯାଏଁ ୪ଟି ମ୍ୟାଚ୍ ଖେଳିଥିବା ବେଳେ ଏପ୍ରିଲ ୨ରେ ବେଙ୍ଗାଲୁରୁ ବିପକ୍ଷରେ ଗୋଟିଏ ମ୍ୟାଚ୍ ୭ ଓ୍ଵିକେଟରେ ବିଜୟୀ ହୋଇଛି। ସେହିପରି ଦଳ ମାର୍ଚ୍ଚ ୨୫ରେ ପଂଜବା ଠାରୁ ୧୪ ରନ୍ରେ, ମାର୍ଚ୍ଚ ୨୯ରେ ହାଇଦ୍ରାବାଦ୍ ଠାରୁ ୫ ଓ୍ଵିକେଟରେ ଓ ମାର୍ଚ୍ଚ ୩୧ରେ ଚେନ୍ନାଇ ଠାରୁ ୮ ରନ୍ରେ ପରାସ୍ତ ହୋଇଛି।
ଆଜିର ମ୍ୟାଚ୍କୁ ବାଦ୍ ଦେଲେ କୋଲକାତା ନାଇଟ୍ ରାଇଡର୍ସ ଏଯାଏଁ ୪ଟି ମ୍ୟାଚ ଖେଳିଛି। ଏଥରୁ ୩ଟି ମ୍ୟାଚ୍ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ରେ ହାରିଛି। ମାର୍ଚ୍ଚ ୩୦ରେ କୋଲକାତା ସୁପର ଓଭରରେ ଦିଲ୍ଲୀ ଠାରୁ ପରାସ୍ତ ହୋଇଥିଲା। ମାର୍ଚ୍ଚ ୨୪ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ କୋଲକାତା ୬ ଓ୍ଵିକେଟରେ ଜିତିବା ସହିତ ବିଜୟ ଅଭିଯାନ ଆରମ୍ଭ କରିଥିଲା। ସେହିପରି ମାର୍ଚ୍ଚ ୨୭ରେ ପଂଜାବ ବିପକ୍ଷରେ ୨୮ ରନ୍ରେ ବିଜୟୀ ହୋଇଥିବା ବେଳେ ଏପ୍ରିଲ ୫ରେ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଜିତିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/9d4ff-15452278560181-800.jpg)