ଆଇପିଏଲ୍‌ ୧୨: ମିଲର-ମନ୍ଦୀପଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ବି କୋଲକାତା ଠାରୁ ୨୮ ରନ୍‌ରେ ହାରିଲା ପଂଜାବ

କୋଲକାତା: ଡାଭିଡ ମିଲର (ଅପରାଜିତ ୫୯ ରନ୍‌, ୪୦ ବଲ, ୫ ଚୌକା ଓ ୩ ଛକା) ଓ ମନ୍ଦୀପ ସିଂହ (ଅପରାଜିତ ୩୩ ରନ୍‌, ୧୫ ବଲ, ୪ ଚୌକା ଓ ୧ ଛକା)ଙ୍କ ଳଢୁଆ ବ୍ୟାଟିଂ ପରେ ବୁଧବାର କିଙ୍ଗ ଏକ୍ସଆଇ ପଂଜାବ ପରାସ୍ତ ହୋଇଛି। ଦ୍ୱିତୀୟ ଇନିଂସରେ ୨୧୯ ରନ୍‌ ଟାର୍ଗେଟ ନେଇ ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୯୦ ରନ୍‌ କରିପାରିଛି। ଫଳରେ କୋଲକାତା ନାଇଟ୍‌ ରାଇଡର୍ସ ଠାରୁ ୨୮ ରନ୍‌ରେ ପରାସ୍ତ ହୋଇଛି। ଚଳିତ ଆଇପିଏଲ୍‌ରେ କୋଲକାତାର ଏହା ହେଉଛି ଦ୍ୱିତୀୟ ବିଜୟ।

ଇଡେନ ଗାର୍ଡେନ ପଡ଼ିଆରେ ପଂଜାବ ନିଜର ସ୍କୋର ୧୧ ରନ୍‌ରେ ଲୋକେଶ ରାହୁଲଙ୍କୁ ହରାଇଥିଲା। ବିସ୍ଫୋରକ ବ୍ୟାଟସ୍‌ମ୍ୟାନ କ୍ରିସ୍‌ ଗେଲ (୨୦ ରନ୍‌, ୧୩ ବଲ, ୨ ଚୌକା ଓ ୨ ଛକା) ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିପାରି ନଥିଲେ। ୭.୩ ଓଭରରେ ସ୍କୋର ୬୦ ରନ୍‌ ଥିବା ବେଳେ ଗେଲ ପାଭଲିଅନ ଫେରିଥିଲେ। କୋଲକାତାର ୪ର୍ଥ ଶିକାର ହୋଇଥିଲେ ମୟଙ୍କ ଅଗ୍ରଓ୍ଵାଲ। ମୟଙ୍କ (୫୮ ରନ, ୧୩ ବଲ, ୨ ଚୌକା ଓ ୨ ଛକା) ପୀୟୁଷ ଚାଓ୍ଵଲାଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନ ଫେରିଥିଲେ। କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଓ୍ଵିକେଟ, ଲକି ଫରଗୁସନ ଗୋଟିଏ ଏବଂ ପୀୟୁଷ ଚାଓ୍ଵଲା ଗୋଟିଏ ଓ୍ଵିକେଟ ନେଇଥିଲେ।

Cricbuzz

ପ୍ରଥମ ଇନିଂସରେ ରବୀନ ଉଥାପ୍ପା (ଅପରାଜିତ ୬୭ ରନ୍‌, ୫୦ ବଲ, ୬ ଚୌକା ଓ ୨ ଛକା) ଓ ନୀତିଶ ରାଣାଙ୍କ ଅର୍ଦ୍ଧଶତକ (୬୩ ରନ୍‌, ୩୪ ବଲ, ୨ ଚୌକା ଓ ୭ ଛକା) ବଳରେ କୋଲକାତା ନାଇଟ୍‌ ରାଇଡର୍ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୨ତମ ସଂସ୍କରଣରେ ବୁଧବାର ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୨୧୮ ରନ୍‌ କରିଥିଲା। ଫଳରେ ପଂଜାବକୁ ୨୧୯ ରନ୍‌ ଟାର୍ଗେଟ ମିଳିଥିଲା।

ଚଳିତ ଆଇପିଏଲ୍‌ର ୬ଷ୍ଠ ମ୍ୟାଚରେ ପଂଜାବ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। ଅଧିନାୟକ ଦିନେଶ କାର୍ତ୍ତିକ ଗୋଟିଏ ବଲ ସମ୍ମୁଖୀନ ହୋଇ ୧ ରନ୍‌ କରିଥିଲେ। ପଂଜାବର ବୋଲର ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ହାର୍ଦ୍ଦୁସ ଭିଲଜୋନ ଏବଂ ଆଣ୍ଡ୍ରୁ ଟେଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା।

କୋଲକାତା ସ୍କୋର ୩୪ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ଭାବରେ କ୍ରିସ୍‌ ଲିନ୍‌ଙ୍କୁ ହରାଇଥିଲା। ପଂଜବର ଦ୍ୱିତୀୟ ଶିକାର ହୋଇଥିଲେ ସୁନୀଲ ନାରାୟଣ (୨୪ ରନ୍‌)। ସେତେବେଳକୁ କୋଲକାତାର ସ୍କୋର ୩.୩ ଓଭରରେ ୩୬ ରନ୍‌ ଥିଲା। ମାତ୍ର କୋଲକାତା ୩ୟ ଓ୍ଵିକେଟ୍‌ରେ ରବୀନ ଉଥାପ୍ପା ଓ ନୀତିଶ ରାଣା ୧୧୦ ରନ୍‌ ଭାଗିଦାରୀ ହୋଇପାରିଥିଲେ। ରାଣା ଆଉଟ୍‌ ହୋଇ ପାଭଲିଅନ ଫେରିବା ପରେ କ୍ରିଜକୁ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ ଆନ୍ଦ୍ରେ ରସେଲ (୪୮ ରନ୍‌, ୧୭ ବଲ, ୩ ଚୌକା ଓ ୫ ଛକା) ପ୍ରବେଶ କରିଥିଲେ। ରସେନଲ ଏକଦା ଜୀବନଦାନ ପାଇବା ପରେ ଧୂଆଁଧାର ବ୍ୟାଟିଂ କରିଥିଲେ।

ସମ୍ବନ୍ଧିତ ଖବର