ଆଇପିଏଲ: ହାଇଦ୍ରାବାଦ୍କୁ ୧୬୦ ରନ୍ ଟାର୍ଗେଟ ଦେଲା କୋଲକାତା
ହାଇଦ୍ରାବାଦ୍: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଦ୍ୱାଦଶ ସଂସ୍କରଣର ୩୮ତମ ମ୍ୟାଚ୍ରେ ରବିବାର ସନ୍ରାଇଜର୍ସ ହାଇଦ୍ରାବାଦ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୬୦ ରନ୍ ଟାର୍ଗେଟ ଦେଇଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆୟୋଜକ ହାଇଦ୍ରାବାଦ୍ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୮ଟି ଓ୍ଵିକେଟ ହରାଇ ୧୫୯ ରନ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
କୋଲକାତା ପାଇଁ କ୍ରସି ଲିନ ସର୍ବାଧିକ ୫୧ ରନ ଯୋଡ଼ିଥିଲେ। ସେ ୪୭ଟି ବଲ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମଧ୍ୟ ମାରିଥିଲେ। ଦଳର ଅନ୍ୟ ଖେଳାଳି ସୁନିଲ ନାରାୟଣ ୨୫ ରନ, ରିଙ୍କୁ ସିଂ ୩୦ ରନ, ଆନ୍ଦ୍ରେ ରସଲ ୧୫ ରନ ଓ ନୀତିଶ ରାଣା ୧୧ ରନ କରିଥିବା ବେଳେ ଅନ୍ୟ ଖେଳାଳିମାନେ ଉତ୍ସାହ ଜନକ ରନ କରିବାରେ ବିଫଳ ହୋଇଥିଲେ।
ହାଇଦ୍ରାବାଦ୍ ପାଇଁ ଖଲିଲ ଅହମଦ ୩ଟି ଓ୍ଵିକେଟ ନେଇଥିଲେ। ସେହିପରି ଭୁବନେଶ୍ୱର କୁମାର ୨ଟି ଓ୍ଵିକେଟ ନେଇଥିବା ବେଳେ ସନ୍ଦୀପ ଶର୍ମା ଓ ରସିଦ ଖାନ ୧-୧ ଓ୍ଵିକେଟ ନେଇଥିଲେ।
ଏଯାଏଁ ଖେଳାଯାଇଥିବା ଚଳିତ ଆଇପିଏଲ୍ର ଅଙ୍କ ତାଲିକାରେ ହାଇଦ୍ରାବାଦ୍ ୫ମ ସ୍ଥାନ ଅଧିକାର କରିଥିବା ବେଳେ କୋଲକାତା ୬ଷ୍ଠ ସ୍ଥାନରେ ରହିଛି। ହାଇଦ୍ରାବାଦ୍ ୮ଟି ମ୍ୟାଚ୍ ଖେଳି ସେଥିରୁ ୪ଟି ମ୍ୟାଚ ଜିତି ୮ ପଏଣ୍ଟ ହାସଲ କରିଛି। ସେହିଭଳି କୋଲକାତା ୯ଟି ମ୍ୟାଚ ଖେଳି ୪ଟି ମ୍ୟାଚ ଜିତିବା ପରେ ୮ ପଏଣ୍ଟ ହାସଲ କରିଛି।
କୋଲକାତା ଓ ହାଇଦ୍ରାବାଦ୍ ମଧ୍ୟରେ ଗତ ମାର୍ଚ୍ଚ ୨୪ରେ ଇଡେନ ଗାର୍ଡେନରେ ମୁକାବିଲା ହୋଇଥିଲା। ଏଥିରେ କୋଲକାତା ୬ ଓ୍ଵିକେଟରେ ବିଜୟୀ ହୋଇଥିଲା। ସେହି ମ୍ୟାଚରେ ହାଇଦ୍ରାବାଦ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ ହରାଇ ୧୮୧ ରନ୍ କରିଥିଲା। ଜବାବାରେ କୋଲକାତା ୧୯.୪ ଓଭରରେ ୪ ଓ୍ଵିକେଟ ହରାଇ ୧୮୩ ରନ୍ କରି ମ୍ୟାଚ୍ ବିଜୟୀ ହୋଇଥିଲା।