ଆଇପିଏଲ୍‌: କ୍ରିସ ଗେଲଙ୍କ ଅର୍ଦ୍ଧଶତକ, ଦିଲ୍ଲୀକୁ ୧୬୪ ରନ୍‌ ଟାର୍ଗେଟ ଦେଲା ପଂଜାବ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୭ ତମ ମ୍ୟାଚ୍‌ରେ କିଙ୍ଗସ୍‌ ଏକାଦଶ ପଂଜାବ ଶନିବାର ୧୬୩ ରନ୍‌ କରିଛି। ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଦିଲ୍ଲୀ କ୍ୟାପିଟାଲସ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବ ବ୍ୟାଟିଂ କରିଥିଲା। କ୍ରିସ୍‌ଗେଲଙ୍କ ବିସ୍ଫୋରକ ବ୍ୟାଟିଂ (୬୯ ରନ, ୩୭ ବଲ, ୬ ଚୌକା, ୫ ଛକା) ବଳରେ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ଏହି ରନ୍‌ ସଂଗ୍ରହ କରିଛି। ଫଳରେ ଦିଲ୍ଲୀକୁ ୧୬୪ ରନ୍‌ ଟାର୍ଗେଟ ମିଳିଛି। ଦିଲ୍ଲୀ ପକ୍ଷରୁ ସନ୍ଦୀପ ଲାମିଛନେ ୩ଟି ଓ୍ଵିକେଟ ନେଇଥିବା ବେଳେ କାଗିସୋ ରାବାଡା ଓ ଅକ୍ଷର ପଟେଲ ୨-୨ ଓ୍ଵିକେଟ ନେଇଥିଲେ।

ପଂଜାବ ସ୍କୋର ୧୩ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ଭାବେ ଲୋକେଶ ରାହୁଲଙ୍କୁ ହରାଇଥିଲା। ଦ୍ୱିତୀୟ ଓ୍ଵିକେଟରେ ପଂଜାବ ମୟଙ୍କ ଅଗ୍ରଓ୍ଵାଲଙ୍କୁ ହରାଇବା ବେଳେ ସ୍କୋର ୪୨ ରନ ଥିଲା। ସେହିପରି ଦିଲ୍ଲୀର ୩ୟ ଶିକାର ହୋଇଥିଲେ ଡାଭିଡ ମିଲର। କ୍ରିସ୍‌ ଗେଲ ଆଉଟ୍‌ ହେବା ବେଳକୁ ସ୍କୋର ୧୦୪ ରନ୍‌ ଥିଲା। ପଂଜାବ ୧୦୬ ରନ୍‌ରେ ସାମ କୁରାନ, ୧୨୯ ରନ୍‌ରେ ମନ୍ଦୀପ ସିଂହ ଓ ୧୫୧ ରନ୍‌ରେ ରବିଚନ୍ଦ୍ରନ ଅଶ୍ୱିନ ଆଉଟ୍‌ ହୋଇଥିଲେ।

ଚଳିତ ଆଇପିଏଲ୍‌ରେ ଉଭୟ ଦିଲ୍ଲୀ ଏବଂ ପଂଜାବ ୯ଟି ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି। ଉଭୟ ଟିମ୍‌ ମଧ୍ୟ ୫ଟି ଲେଖାଏଁ ମ୍ୟାଚ ଜିତି ୧୦ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ମାତ୍ର ଅଙ୍କ ତାଲିକାରେ ଦିଲ୍ଲୀ ୩ୟ ସ୍ଥାନରେ ଥିବା ବେଳେ ପଂଜାବ ୪ର୍ଥ ସ୍ଥାନରେ ରହିଛି।

ଦିଲ୍ଲୀ ଏବଂ ପଂଜାବ ମଧ୍ୟରେ ଚଳିତ ଆଇପିଏଲ୍‌ରେ ମୋହାଲିରେ ଏପ୍ରିଲ ୧ରେ ମୁକାବିଲା ହୋଇଥିଲା। ଏହି ମ୍ୟାଚରେ ପଂଜାବ ୧୪ ରନରେ ବିଜୟୀ ହୋଇଥିଲା। ପଂଜାବ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ ହରାଇ ୧୬୬ ରନ କରିଥିଲା। ଲକ୍ଷ୍ୟ ପଛରେ ଗୋଡେଇ ଦିଲ୍ଲୀ ଦ୍ୱିତୀୟ ଇନିଂସରେ ୧୯.୨ ଓଭରରେ ୧୫୨ ରନ କରିଥିଲା।

ସମ୍ବନ୍ଧିତ ଖବର