ଆଇପିଏଲ୍‌ ୧୨: ଦିଲ୍ଲୀକୁ ୬ ଓ୍ଵିକେଟରେ ହରାଇଲା ଚେନ୍ନାଇ

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍‌ ଚଳିତ ଆଇପିଏଲ୍‌ ମ୍ୟାଚ୍‌ରେ ମଙ୍ଗଳବାର ୨ୟ ଥର ବିଜୟ ହାସଲ କରିଛି। ଉଦ୍‌ଘାଟନୀ ଅବସରରେ ମାର୍ଚ୍ଚ ୨୩ରେ ଚେନ୍ନାଇରେ ବେଙ୍ଗାଲୁରୁକୁ ପରାସ୍ତ କରିଥିବା ବେଳେ ଆଜି ଦିଲ୍ଲୀ କ୍ୟାପିଟାଲସ୍‌କୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ଚେନ୍ନାଇ ୪ ଓ୍ଵିକେଟ ହରାଇ ୧୪୮ ରନ୍‌ ବିଜୟ ଲକ୍ଷ୍ୟକୁ ପୂରା କରିଛି। ଦଳର ଖେଳାଳିମାନେ ୧୯.୪ ଓଭରରେ ୧୫୦ ରନ୍‌ କରିଛନ୍ତି। ଡୋଏନ ବ୍ରାଭୋ ୧୯.୪ ନମ୍ବର ବୋଲକୁ ଚୌକା ମାରି ଇନିଂସ ଶେଷ କରିଥିଲେ। କେଦାର ଯାଦବ ୨୭ ରନ୍‌ କରିଥିବା ବେଳେ ମହେନ୍ଦ୍ର ସିଂହ ଧୋନି (ଅପରାଜିତ ୩୨ ରନ୍‌) ଇନିଂସ ଶେଷ ପର୍ଯ୍ୟନ୍ତ ଖେଳିଥିଲେ।

ଚେନ୍ନାଇ ସ୍କୋର ୨୧ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ଭାବରେ ଅମ୍ବାତି ରାୟଡୁଙ୍କୁ ହରାଇଥିଲା। ସ୍କୋର ଦ୍ରୁତ ଗତିରେ ବଢୁଥିବା ବେଳେ ଦ୍ୱିତୀୟ ଓ୍ଵିକେଟ୍‌ରେ ସେନ୍‌ ଓ୍ଵାଟସନ୍‌ ଆଉଟ୍‌ ହୋଇଥିଲେ। ସେତେବେଳକୁ ଚେନ୍ନାଇର ସ୍କୋର ୭୩ ରନ୍‌ ଥିଲା। ଓ୍ଵାଟସନ୍‌ ୨୬ଟି ବଲ ଖେଳି ୪୪ ରନ୍‌ କରିଥିଲେ। ଏଥିରେ ୪ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଦିଲ୍ଲୀର ତୃତୀୟ ଶିକାର ହୋଇଥିଲେ। ସୁରେଶ ରାଇନା (୩୦ ରନ, ୧୬ ବଲ, ୪ ଚୌକା ଓ ଗୋଟିଏ ଛକା)।

ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମରେ ମଙ୍ଗଳବାର ଟସ୍‌ ଜିଣି ଦିଲ୍ଲୀ କ୍ୟାପିଟାଲସ୍‌ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୪୭ ରନ୍‌ କରିଥିଲା। ଫଳରେ ଚେନ୍ନାଇକୁ ୧୪୮ ରନ୍‌ ବିଜୟ ପାଇଁ ଟାର୍ଗେଟ ମିଳିଥିଲା। ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୫ମ ମ୍ୟାଚ୍‌ରେ ପ୍ରଥମ ଇନିଂସରେ ଶିଖର ଧାଓ୍ଵାନଙ୍କ ଅର୍ଦ୍ଧଶତକ (୫୧ ରନ୍‌, ୪୭ ବଲ, ୭ ଚୌକା) ହାସଲ କରିଥିଲେ।

Cricbuzz

ଦିଲ୍ଲୀ ଟିମ୍‌ର ପାର୍ଥିବ ପଟେଲ ୨୪ ରନ, ଶ୍ରେୟସ ଆୟାର ୧୮ ରନ ଓ ଋଷଭ ପନ୍ତ ୨୫ ରନ ସଂଗ୍ରହ କରିଥିଲେ। ଅନ୍ୟ ବ୍ୟାଟସ୍‌ମ୍ୟାନ ମାନେ ସେତେ ଭଲ ବ୍ୟାଟିଂ କରି ନଥିଲେ। ଚେନ୍ନାଇର ଡାରେନ ବ୍ରାଭୋଙ୍କୁ ୩ଟି ଓ୍ଵିକେଟ ମିଳିଥିଲା। ସେହିପରି ଦିପକ ଚାହର, ରବୀନ୍ଦ୍ର ଜାଦେଜା ଓ ଇମରାନ୍‌ ତାହିରଙ୍କୁ ୧-୧ ଓ୍ଵିକେଟ୍‌ ମିଳିଥିଲା।

ସ୍କୋର ୩୬ ରନ୍‌ ଥିବା ବେଳେ ଚେନ୍ନାଇକୁ ପ୍ରଥମ ସଫଳତା ମିଳିଥିଲା। ଓପନର ପାର୍ଥିବ ପଟେଲ ୨୪ ରନ କରି ପାଭଲିଅନକୁ ଫେରିଥିଲେ। ସେହିପରି ଦଳର ସ୍କୋର ୭୯ ରନ୍‌ରେ ଶ୍ରେୟସ ଆୟାର ଆଉଟ୍‌ ହୋଇଥିଲେ। ସ୍କୋର ୧୨୦ ରନ୍‌ ଥିବା ବେଳେ ଚେନ୍ନାଇର ୩ୟ ଶିକାର ଋଷଭ ପନ୍ତ, ୧୨୨ ରନ୍‌ ଥିବା ବେଳେ ୪ର୍ଥ ଶିକାର କୋଲିନ ଇନ୍‌ଗ୍ରାମ ହୋଇଥିଲେ। ଦିଲ୍ଲୀର ୫ମ ଓ୍ଵିକେଟ ୧୨୩ ରନ୍‌ ଓ ୬ଷ୍ଠ ଓ୍ଵିକେଟ ୧୨୭ ରନ୍‌ରେ ପଡ଼ିଥିଲା।

ସମ୍ବନ୍ଧିତ ଖବର