ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍‌ସ-ଚେନ୍ନାଇ ସୁପର କିଙ୍ଗ୍‌ସ ଉଦ୍‌ଘାଟନୀ ମୁକାବିଲା

ମାର୍ଚ୍ଚ ୨୯ରୁ ଆଇପିଏଲ୍‌; ଫାଇନାଲ୍‌ ମେ’ ୨୪ରେ

ମୁମ୍ବାଇ: ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ଓ ଉପବିଜେତା ଚେନ୍ନାଇ ସୁପର କିଙ୍ଗ୍‌ସ ଚଳିତ ବର୍ଷର ଆଇପିଏଲ୍‌ ଉଦ୍‌ଘାଟନୀ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିଲା ବେଳେ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳା ଶେଷ ହେବାର ୧୧ ଦିନ ପରେ ହିଁ ଆଇପିଏଲ୍‌ର ଶୁଭାରମ୍ଭ ହେବ। ଭାରତୀୟ ଦଳ ମାର୍ଚ୍ଚ ୧୮ ତାରିଖରେ କୋଲ୍‌କାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆ ଖେଳିବ। ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ର ଫାଇନାଲ୍‌ ମେ’ ୨୪ ତାରିଖରେ ଖେଳାଯିବ। ଏଥର ଆଇପିଏଲ୍‌ ପାଇଁ ଲିଗ୍‌ ପର୍ଯ୍ୟାୟର ସୂଚୀ ଘୋଷଣା ହୋଇଥିଲା ବେଳେ ନକ୍‌ଆଉଟ୍‌ ସୂଚୀ ପରେ ଘୋଷଣା ହେବ ବୋଲି କୁହାଯାଇଛି। ତେବେ ଲିଗ୍‌ ପର୍ଯ୍ୟାୟରେ ଉଦ୍‌ଘାଟନୀ ମୁକାବିଲାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ରବିବାରଗୁଡ଼ିକରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ। ଶେଷ ଲିଗ୍‌ ମ୍ୟାଚ୍‌ ମେ’ ୧୭ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ମୋଟ ୫୬ ମ୍ୟାଚ୍‌ ଖେଳାଯିବ। ରାଜସ୍ଥାନ ରୟାଲ୍‌ସ ବ୍ୟତୀତ ଅନ୍ୟ ୭ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଘରୋଇ ପଡ଼ିଆକୁ ଅପରିବର୍ତିତ ରଖିଥିବା ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର