ମୁମ୍ବାଇ: ଆଇପିଏଲ୍-୧୧କୁ ଅଧିକ ରଙ୍ଗୀନ କରୁଛି ଦର୍ଶକ ଗ୍ୟାଲେରିରେ ବଲିଉଡ୍ ତାରକାଙ୍କ ଭିଡ଼। ଏହି ଚର୍ଚିତ ଲିଗ୍ ଅବସରରେ କ୍ରିକେଟ୍ ଏବଂ ଚଳଚ୍ଚିତ୍ର ଦୁନିଆର ଏକପ୍ରକାର ମହାମିଳନ ହେଉଛି। ଆର୍ସିବି ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଏହାର ପ୍ରମୁଖ ସୂତ୍ରଧାର ପାଲଟିଛନ୍ତି। କୋହଲିଙ୍କ ମ୍ୟାଚ୍ ବେଳେ ସେ ଦର୍ଶକ ଷ୍ଟାଣ୍ଡରେ ରହିବା କ୍ରିକେଟ୍କୁ ଅଧିକ ଗ୍ଲାମରିଅସ୍ କରୁଛି। ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହଙ୍କ ପତ୍ନୀ ହାଜେଲ କିଚ୍ ନିଜ ପତିଙ୍କୁ ଉତ୍ସାହିତ କରୁଥିବାର ଦୃଶ୍ୟ ବି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଚଳିତ ସଂସ୍କରଣର ଉଦ୍ଘାଟନୀ ଉତ୍ସବରେ ବରୁଣ ଧାଓ୍ଵନ, ହ୍ରିତିକ ରୋଶନ, ଜ୍ୟାକ୍ଲିନ୍ ଫର୍ନାଣ୍ଡିସ୍ ଓ ତମନ୍ନା ଭାଟିଆଙ୍କ ଭଳି ସିନେ ତାରକା ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିଥିଲେ। ସେଦିନ ଦର୍ଶକ ଗ୍ୟାଲେରିରେ ଥିଲେ ମହାନାୟକ ଅମିତାଭ ବଚ୍ଚନ ଏବଂ ତାଙ୍କ ସୁପୁତ୍ର ଅଭିଷେକ ବଚ୍ଚନ। କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ବେଳେ ଇଡେନ୍ ଗାର୍ଡେନ୍ସ ଗ୍ୟାଲେରିରେ ପ୍ରସିଦ୍ଧ ବେଙ୍ଗଲି ଅଭିନେତା ପ୍ରଶନଜିତ୍ ବାନାର୍ଜୀଙ୍କୁ ବରାବର ଦେଖିବାକୁ ମିଳୁଛି। କିଙ୍ଗ୍ସ ଏକାଦଶ ପଞ୍ଜାବର ମାଲିକାଣୀ ପ୍ରୀତି ଜିଣ୍ଟାଙ୍କ ଉପସ୍ଥିତି ମଧ୍ୟ ଦଳର ପ୍ରତି ମ୍ୟାଚ୍ରେ ରହୁଛି। ମୋଟାମୋଟି ଭାବେ କହିବାକୁ ଗଲେ ଆଇପିଏଲ୍ ଦେଶର ବଛାବଛା ସିନେ ବ୍ୟକ୍ତିତ୍ୱଙ୍କୁ କ୍ରିକେଟ୍ ପ୍ରେମୀଙ୍କ ପାଖକୁ ନେଇ ଆସୁଛି।