ଆଇପିଏଲ୍‌ ୧୧: ଟାଇଟଲ୍‌ ପାଇଁ ଚେନ୍ନାଇ-ହାଇଦ୍ରାବାଦର ମୁକାବିଲା, କିଏ ଜିତିବ ୨୦ କୋଟି

ମୁମ୍ବାଇ: ଭିଭୋ ପକ୍ଷରୁ ଆୟୋଜିତ ଏକାଦଶ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ସୁପର ସଣ୍ଡେରେ ଟାଇଟ୍‌ଲ ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି ଚେନ୍ନାଇ ସୁପର କିଙ୍ଗସ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଚଳିତ ସଂସ୍କରଣ ଟାଇଟଲ ଓ ୨୦ କୋଟି ଟଙ୍କାର ଚେକ୍‌ ହାତେଇବା ପାଇଁ ଉଭୟ ଦଳ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ହେବ। ଏହି ମ୍ୟାଚ୍‌ରେ ଯେଉଁ ଦଳ ପରାଜିତ ହେବ ତାକୁ ୧୨.୫ କୋଟି ଟଙ୍କା ପୁରସ୍କାର ମିଳିବ। ଫାଇନାଲ୍‌ ମୁକାବିଲା ପାଇଁ ଟସ୍‌ ପଡ଼ି ସାରିଛି। ଚେନ୍ନାଇ ସୁପର କିଙ୍ଗସ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଛି।

ଆଇପିଏଲ୍‌ରେ ମୂଲ୍ୟବାନ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ସହିତ ଟ୍ରଫି ପ୍ରଦାନ କରାଯାଇଥାଏ। ଏହା ବିସିସିଆଇ ପକ୍ଷରୁ ଦିଆଯାଇଥାଏ। ୨୦୦୮ରେ ଏହି ପୁରସ୍କାର ରାଜସ୍ଥାନ ରୟାଲସ୍‌ର ସେନ୍‌ ଓ୍ଵାଟ୍‌ସନ୍‌ଙ୍କୁ ମିଳିଥିଲା। ୨୦୦୯ରେ ଡେକାନ ଚାଜର୍ସର ଆଦାମ ଗିଲଖ୍ରୀଷ୍ଟ, ୨୦୧୦ରେ ରୟାଲ ଚ୍ୟାଲେଞ୍ଜର୍ସର ଜ୍ୟାକସ୍‌ କାଲିସ, ୨୦୧୧ରେ ବେଙ୍ଗାଲୁରୁର ଗିଲ ଖ୍ରୀଷ୍ଟ, ୨୦୧୩ରେ ରାଜସ୍ଥାନର ସେନ୍‌ ଓ୍ଵାଟ୍‌ସନ୍‌, ୨୦୧୪ରେ କିଙ୍ଗସ୍‌ ଏକସ୍‌ଆଇ ପଞ୍ଜବର ଗ୍ଲେନ ମ୍ୟାକସ୍‌େଓ୍ଵଲ୍‌, ୨୦୧୫ରେ କୋଲକାତା ନାଇଟ୍‌ ରାଇଡର୍ସର ଆନ୍ଦ୍ରେ ରସେଲ, ୨୦୧୬ରେ ବେଙ୍ଗାଲୁରୁର ବିରାଟ କୋହଲି ଓ ୨୦୧୭ରେ ରାଇଜିଙ୍ଗ ପୁନେ ସୁପରଜ୍ୟାଣ୍ଟର ବେନ୍‌ ଷ୍ଟୋକ୍‌ଙ୍କୁ ମିଳିଥିଲା।

ପରପଲ୍‌ କ୍ୟାପ୍‌ ପାଇଁ ଆଇପିଏଲ୍‌ରେ ଟ୍ରଫି ସହିତ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥାଏ। ୨୦୦୮ରେ ରାଜସ୍ଥାନ ରୟାଲସ୍‌ର ସହିଲ ତନଭିର ଏହି ପୁରସ୍କାର ପାଇଥିବା ବେଳେ ୨୦୧୭ରେ ସନରାଇଜର୍ସ ହାଇଦ୍ରାବାଦ୍‌ର ଭୁବନେଶ୍ୱର କୁମାର ଏହି ପୁରସ୍କାର ପାଇଥିଲେ। ସେହିଭଳି ଅରେଞ୍ଜ କ୍ୟାପ୍‌ ପାଇଁ ମଧ୍ୟ ଟ୍ରଫି ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥାଏ। ୨୦୦୮ରେ ଏହି ପୁରସ୍କାର ପାଇଥିଲେ କିଙ୍ଗସ୍‌ ଏକସ୍‌ଆଇ ପଞ୍ଜାବର ସନ୍‌ ମାର୍ଶ। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ଖେଳାଳି ଡାଭିଡ ଓ୍ଵାର୍ଣ୍ଣର ୨୦୧୭ରେ ଅରେଞ୍ଜ କ୍ୟାପ୍‌ ପୁରସ୍କାର ହାସଲ କରିଥିଲେ।

ଆମାଜିଂ ପ୍ଲେଆର ଆଓ୍ଵାର୍ଡ ପାଇଁ ମଧ୍ୟ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ଏଥି ପାଇଁ ଖେଳାଳିର ୪ଟି ଯୋଗ୍ୟତା ଥିବା ଦରକାର। ଖେଳାଳି ୧୯୯୨ ଏପ୍ରିଲ ୧ ପରେ ଜନ୍ମ ହୋଇଥିବେ। ଅତି କମ୍‌ରେ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ୨୫ଟିରୁ କମ ଆଇପିଏଲ ମ୍ୟାଚ୍‌ ଖେଳିଥିବେ ଏବଂ ପୂର୍ବରୁ ଏହି ଆଓ୍ଵାର୍ଡ ପାଇ ନଥିବେ। ସେହିଭଳି ଷ୍ଟାଇଲିସ ପ୍ଲେୟାର ଆଓ୍ଵାର୍ଡ ପାଇଁ ମଧ୍ୟ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବା ବନ୍ଦୋବସ୍ତ ରହିଛି।

ଆଗରୁ ଜିତିଥିଲେ…

୨୦୦୮- ରାଜସ୍ଥାନ ରୟାଲସ୍‌
୨୦୦୯- ଡେକାନ ଚାର୍ଜସ
୨୦୧୦- ଚେନ୍ନାଇ ସୁପର କିଙ୍ଗସ୍‌
୨୦୧୧- ଚେନ୍ନାଇ ସୁପର କିଙ୍ଗସ୍‌
୨୦୧୨- କୋଲକାତା ନାଇଟ୍‌ ରାଇଡର୍ସ
୨୦୧୩- ମୁମ୍ବାଇ ଇଣ୍ଡିଆନସ୍‌
୨୦୧୪- କୋଲକାତା ନାଇଟ୍‌ ରାଇଡର୍ସ
୨୦୧୫- ମୁମ୍ବାଇ ଇଣ୍ଡିଆନସ୍‌
୨୦୧୬- ସନ୍‌ରାଇଜର୍ସ ହାଇଦ୍ରାବାଦ୍‌
୨୦୧୭- ମୁମ୍ବାଇ ଇଣ୍ଡିଆନସ୍‌

ସମ୍ବନ୍ଧିତ ଖବର