ଆଇପିଏଲ୍‌: ଚେନ୍ନାଇକୁ ଫେରିବେ ଧୋନି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ମହେନ୍ଦ୍ର ସିଂହ ଧୋନି ଫେରିବା ନିଶ୍ଚିତ ହୋଇଛି। ବୁଧବାର ନୂଆଦିଲ୍ଲୀରେ ଆଇପିଏଲ୍‌ ପରିଚାଳନା ପରିଷଦ ଏବଂ ବିସିସିଆଇ ପ୍ରଶାସନିକ ସମିତିର ଏକ ମିଳିତ ବୈଠକ ବସିଥିଲା। ଏଥିରେ ଆଇପିଏଲ୍‌ରେ କେଉଁ ଦଳ କେତେ ଖେଳାଳି ରଖିପାରିବେ, ଦରମା, ଖେଳାଳିଙ୍କ ନିୟମ ଏବଂ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଦୁଇ ବର୍ଷ ବାସନ୍ଦ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ରାଜସ୍ଥାନ ରୟାଲ୍ସ ନିଜ ପାଖରେ ୨୦୧୫ରେ ରଖିଥିବା ଖେଳାଳିଙ୍କ ମଧ୍ୟରୁ ୫ ଜଣଙ୍କୁ ରଖିବାକୁ ପରିଚାଳନା ପରିଷଦ ଅନୁମତି ପ୍ରଦାନ କରଥିଲା। ଫଳରେ ଧୋନି ତାଙ୍କ ପୂର୍ବ ଦଳ ସିଏସ୍‌କେକୁ ଫେରିବା ଥୟ ହୋଇଯାଇଛି। ୨୦୧୮ ସଂସ୍କରଣରେ ଗୋଟିଏ ଦଳ ନିଜ ପାଖରେ ଅତିବେଶୀରେ ୮ ବିଦେଶୀ ଖେଳାଳିଙ୍କ ସହ ୨୫ ଏବଂ ଅତିକମ୍‌ରେ ୧୮ ଖେଳାଳିଙ୍କୁ ରଖିପାରିବେ। ଖେଳାଳିଙ୍କ ଦରମା ବାବଦରେ ଗୋଟିଏ ଫ୍ରାଞ୍ଚାଇଜ୍‌ ଅତିବେଶିରେ ୨୦୧୮ରେ ୮୦ କୋଟି, ୨୦୧୯ରେ ୮୨ କୋଟି ଏବଂ ୨୦୨୦ରେ ୮୫ କୋଟି ଟଙ୍କା ଖର୍ଚ୍ଚ କରିପାରିବ। ଅତିକମ୍‌ରେ ଏହାର ୭୫ ପ୍ରତିଶତ ଖର୍ଚ କରିବାକୁ ବାଧ୍ୟ ହେବେ। ଅଣମାନ୍ୟତା ଖେଳାଳିଙ୍କ ପାଇଁ ଫ୍ରାଞ୍ଚାଇଜ୍‌ ଗୁଡ଼ିକ ଅତିବେଶୀରେ ୪୦ ଲକ୍ଷ ଟଙ୍କା ଦରମା ବାବଦରେ ଖର୍ଚ୍ଚ କିପାରିବେ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା।

୨୦୧୮ ସଂସ୍କରଣରେ ସିଏସ୍‌କେ ଧୋନିଙ୍କ ସହ ଡେ୍ଵନ୍‌ ବ୍ରାଭୋଙ୍କୁ ରଖିବାକୁ ଚିନ୍ତା କରିଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମା, କିରନ ପୋଲାର୍ଡ, ଯଶପ୍ରୀତ ବୁମ୍‌ରା ଏବଂ ପାଣ୍ଡ୍ୟ ଭ୍ରାତା (ହାର୍ଦିକ, କୁନାଲ)ଙ୍କୁ ରଖିବାକୁ ଯୋଜନା କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରାଟ କୋହଲି, ଏବି ଡି’ଭିଲିୟର୍ସ ଏବଂ କ୍ରିସ୍‌ ଗେଲ୍‌ଙ୍କୁ ନିଜ ପାଖରେ ରଖିପାରେ। ଦିଲ୍ଲୀ ଡେୟାର ଡେଭିଲ୍ସ କୌଣସି ପୁରୁଣା ଖେଳିଳିଙ୍କୁ ନ ରଖିବା ପାଇଁ ଚିନ୍ତା କରିଥିଲା ବେଳେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଡେଭିଡ୍‌ ଓ୍ଵାର୍ନର ଏବଂ ଭୁବନେଶ୍ୱର କୁମାରଙ୍କୁ ରଖିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର